Thursday, December 5, 2024
spot_imgspot_imgspot_img
Homeରାଜ୍ୟକାମରେ ଲାଗୁନି ମାଛ ଓ ମାଂସ ବଜାର : ରାସ୍ତା କଡରେ ବେପାରୀ ।

କାମରେ ଲାଗୁନି ମାଛ ଓ ମାଂସ ବଜାର : ରାସ୍ତା କଡରେ ବେପାରୀ ।

ବୁଗୁଡା(ସୋରେନ କୁମାର ପ୍ରଧାନ)- ଦୀର୍ଘ ବର୍ଷ ହେଲା ଏନ୍ଏସି ପକ୍ଷରୁ ମାଛ ଓ ମାଂସ ବଜାର ନିର୍ମାଣ କରାଯାଇଥିଲେ ବି ଅଦ୍ୟାବଧି କାମରେ ଲାଗିନଥିବା ବେଳେ ବେପାରୀମାନେ ରାସ୍ତା କଡରେ ମାଛ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ଯପକ୍ଷରେ ରାସ୍ତାକଡସ୍ଥ ଦୋକାନ ଗୁଡିକ ସମ୍ମୁଖରେ ମାଛ ବେପାରୀମାନେ ବ୍ଯବସାୟ କରୁଥିବାରୁ ଅଧିକାଂଶ ସମୟରେ ଦୋକାନୀ ଓ ବେପାରୀ ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଦେଖା ଦେଉଛି।

ପୂର୍ବରୁ ଏଭଳି ସମସ୍ୟା ଦେଖାଦେଇଥିବାରୁ ପୋଲିସ ଓ ଏନ୍ଏସି ପ୍ରଶାସନ ପକ୍ଷରୁ ମାଛ ବେପାରୀଙ୍କୁ ରାସ୍ତା କଡରୁ ଉଠାଇ ମାଛ ବଜାରକୁ ନିଆଯାଇଥିଲା । ସେମାନେ ସେଠାରେ କିଛି ଦିନ ମାଛ ବେପାର କରିବା ପରେ ମାର୍କେଟ ନିର୍ମାଣରେ ତୃଟି ଏବଂ ଅସୁବିଧା ଦର୍ଶାଇ ପୁଣି ରାସ୍ତା କଡକୁ ଜିଦ୍ କରି ଫେରିଥିଲେ । ଫଳରେ ଏନ୍ଏସି ପକ୍ଷରୁ ବ୍ଯବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମାଛ ମାର୍କେଟ ମଧ୍ୟରେ ଥିବା ଖୋଲା ସ୍ଥାନରେ ଛାତ ପକାଇ ନୂତନ ଶୈଳୀରେ ନିର୍ମାଣ କରି ଏ ବର୍ଷ ସ୍ବାୟତ୍ତ ଶାସନ ଦିବସରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ଉଦଘାଟନ କରାଗଲା ।

ଏ ମଧ୍ୟରେ ମାଛ ବଜାର ଉଦଘାଟନ ହେବାର ତିନି ମାସ ବିତିଯାଇଥିଲେ ସୁଦ୍ଧା ମାଛ ବ୍ଯବସାୟୀମାନେ ରାଜରାସ୍ତା କଡରେ ବେପାର ଜମାଉଥିବାରୁ ଟ୍ରାଫିକ ସମସ୍ଯା ସୃଷ୍ଟି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ଯପକ୍ଷରେ ତରବରିଆ ଭାବେ କରାଯାଇଥିବା ଉଦଘାଟନ ପରେ ବି ମାଛ ମାର୍କେଟର ସିମେଣ୍ଟ ଚଟାଣ ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି । ତେଣୁ, ଏନଏସି ପକ୍ଷରୁ ମାଛ ଓ ମାଂସ ମାର୍କେଟର ଅଧୁରା କାମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ସହର ମଧ୍ୟସ୍ଥ ରାଜରାସ୍ତା କଡରୁ ମାଛ ବେପାରୀଙ୍କୁ ଉଚ୍ଛେଦ କରିବା ନେଇ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

error: Content is protected !!