Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଆଦିବାସୀ ସଂଘର ପଞ୍ଚାୟତ ସ୍ତରୀୟ ସମାବେଶ।

ଆଦିବାସୀ ସଂଘର ପଞ୍ଚାୟତ ସ୍ତରୀୟ ସମାବେଶ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)- ପାଟଣାଗଡ ଉପଖଣ୍ଡ ଯୋଗିମୁଣ୍ଡା ଆମ୍ବ ତୋଟା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଚଉଷଠି ପ୍ରକାର ଆଦିବାସୀ ଦେବଦେବୀ ପୂଜନ କାର୍ଯ୍ୟ ପରେ ଶିବ ଚରଣ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ ଯୋଗଦେଇ ସଂଗ୍ରାମୀ ସଙ୍ଗୀତ ଗାନକରି ପୃଥିବୀ ପୃଷ୍ଠରେ ଆଦିବାସୀ ମାନଙ୍କ ଆବାହନ କାଳର ଭୂମିକା, ଦେଶ ସ୍ୱାଧୀନତା ହାସଲରେ ଆଦିବାସୀ ମାନଙ୍କ ଭୂମିକା ଓ ବଳିଦାନ , ପୁରାଣ ଯୁଗ ରାମାୟଣ ମହାଭାରତ ରେ ଆଦିବାସୀ ମାନଙ୍କ ଭୂମିକା ଓ ବଳିଦାନ ଏବଂ ଆଜି ଭାରତ ବର୍ଷରେ ସମ୍ବିଧାନ, ଆଇନ କାନୁନ ଥାଇ ମଧ୍ୟ ମଧ୍ୟଯୁଗୀୟ ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ ନିର୍ଯାତନା ବିଷୟରେ ଆଲୋକପାତକରିଥିଲେ ।

ଦେଶରେ ଆଦିବାସୀ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ ବଢ଼ି ବଢ଼ି ଚାଲିଥିବା ଖବର ଦୈନନ୍ଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି, ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରଶାସନ ଯେଉଁଭଳି ଭାବରେ ପଦକ୍ଷେପ ନେବା କଥା ସେଭଳି ଆଖି ଦୃଶିଆ ପଦକ୍ଷେପ ନେଉ ନାହିଁ ଯଦ୍ୱାରା ଅପରାଧୀ ଆଇନ କାନୁନକୁ ଭୃକ୍ଷେପ କରୁନାହିଁ ସଂସ୍କାରିତ ହେବା ବଦଳରେ ଆହୁରି ଅପରାଧ କରୁଛି । ଗତ କିଛି ତଳେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଦ ଗ୍ରାମର ଆଦିବାସୀ ମହିଳାକୁ ଜଣେ ଅଣଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବଳାତ୍କାର ଉଦ୍ୟମ କରି ଦେହରେ ବିଷ୍ଠା ଲେପି ପାଟିରେ ଖୁଆଇଦେବା ଘଟଣା ସମଗ୍ର ଦେଶ ପାଇଁ ଲଜ୍ଜାଜନକ ଓ ନିନ୍ଦନୀୟ ।

ଗତ ବର୍ଷ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଉଜ୍ଜଳ ବରିହା ହତ୍ୟା ଘଟଣାକୁ ଆଜି ଦେଢ଼ ବର୍ଷ ପୁରିଲା କିନ୍ତୁ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଲା , ଏମିତି ଜିଲ୍ଲାରେ ଅନେକ ଘଟଣା ଘଟିଛି । ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ କୁ ମୁଳୋତ୍ପାଟନ କରିବାକୁ ହେଲେ ସବୁ ଆଦିବାସୀ ମାନେ ଏକ ହୋଇ ଦୃଢ଼ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । ଆଦିବାସୀ ମାନଙ୍କ ଭୋଟରେ ନେତା, ମନ୍ତ୍ରୀ ହେଉଛନ୍ତି, ବଡ଼ବଡ଼ ପଦ ପଦବୀ ପାଉଛନ୍ତି କିନ୍ତୁ ଆଦିବାସୀ ମାନଙ୍କ ଅସୁବିଧା ସମୟରେ କୌଣସି ନେତାଙ୍କର ଦେଖା ଦର୍ଶନ ମିଳେ ନାହିଁ । ସଂଗଠନକୁ ତୃଣ ମୂଳ ସ୍ତରରୁ ଆହୁରି ମଜବୁତ କରିବା ପାଇଁ ସମସ୍ତେ ମିଳିମିଶି ଗୋଟିଏ ମାର ସନ୍ତାନ ହିସାବରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଆଗାମୀ ଜାନୁଆରୀ ୨୮ ତାରିଖରେ ପାଟଣାଗଡ଼ ଠାରେ ବିଶାଳ ଆଦିବାସୀ ସମାବେଶ କରି ଆଦିବାସୀ ମାନଙ୍କ ଏକତା ଓ ଶକ୍ତି ପ୍ରଦର୍ଶନ କରାଯିବ ସେହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରୁ ସବୁ ଆଦିବାସୀ ମାନେ ଯୋଗଦେବାକୁ ଅନୁରୋଧ କରିଥିଲେ। ଆଜିର ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ସଂଯୋଜକ ଗୌରାଙ୍ଗ ବରିହା, ପିଣ୍ଟୁ ବୁଡ଼େକ ସହ ପିଣ୍ଟୁ ବରିହା, କ୍ଷୀରବତୀ ମାଝୀ, ଜଳନ୍ଧର ମାଝୀ, ଖୁସିରାମ ଭୋଇ, ଚନ୍ଦ୍ରମଣି ବରିହା, ତପନ ବରିହା, ମଳି ମାଝୀ, ରାମା ମାଝୀ, ସୁନିତା ଶବର, ତ୍ରିନାଥ ମାଝୀ, ବିଜୟ ସିଂ ଛତ୍ରିଆ, ଚମରା ମାଝୀ, ତୁଲାରାମ ବରିହା, ସାଂପୁ ବରିହାଙ୍କ ସହ ଶତାଧିକ ଆଦିବାସୀ ପୁରୁଷ ମହିଳା ଯୋଗଦେଇଥିଲେ ।

error: Content is protected !!