ପାଇକମାଲ – ପାଇକମାଲ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବରଗଡ଼ ଶିକ୍ଷାଜିଲ୍ଲାର ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଛପଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ କୁମାର ପଟ୍ଟନାୟକ, ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଚୂଡ଼ାମୁଣି ବାରିକ, ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋନାଥ ଭୋଇ, ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଶୁଭମ୍ କୁମାର ପତି, ସୋହେଲା ବ୍ଲକ ଶିକ୍ଷାଅଧିକାରୀ ଶ୍ରୀମତୀ ଅମୃତା ସାହୁ, ବିଜେପୁର ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ନାରାୟଣ ଭୋଇ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ଵାଦଶ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ଶ୍ରୀ ତ୍ରିଲୋଚନ ନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍କୁଲର ସାଇନିଂ ଷ୍ଟାର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାର ବିଜ୍ଞ ସାଧନକର୍ମୀ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀ ରାଜେଶ ଖମାରୀ, ଶ୍ରୀ ଜିତେନ୍ଦ୍ର ପଣ୍ଡା, ଶ୍ରୀ ମାନସରଞ୍ଜନ ଶତପଥୀ, ଶ୍ରୀ ଅନୀଲ ବେହେରା, ଶ୍ରୀ ପ୍ରିୟ ରଞ୍ଜନ ସାହୁ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଶିବ ଶଙ୍କର ଦାଶ, ଶ୍ରୀମତୀ ରୋଜାଲିନ ମିଶ୍ର ଓ ଅନ୍ୟାନ୍ୟ ସାଧନକର୍ମୀ ମାନଙ୍କ ଦ୍ବାରା କରାଯିବ।

ସମସ୍ତ ଅତିଥି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ କହିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଉତ୍ସାହିତ କରିଥଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମଟି ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଯୋଶୀ ଆରମ୍ଭ କରି ବରଗଡ଼ ଶିକ୍ଷା ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସଫଳତାକୁ ରାଜ୍ୟସ୍ତରରେ ପ୍ରତିଫଳିତ କରାଇ ପାରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ କଚ୍ଛପଙ୍କ ଦ୍ଵାରା କାର୍ଯ୍ୟକ୍ରମର ସଫଳ ଉପସ୍ଥାପନ ଫଳରେ ଗତ ବର୍ଷ ବରଗଡ଼ ଶିକ୍ଷାଜିଲ୍ଲା ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ପୂର୍ବତନ ସାଇନିଂ ଷ୍ଟାର ଛାତ୍ରୀ କୁମାରୀ ସୁଚିସ୍ମିତା ପାଣିଗ୍ରାହୀ ଯିଏକି ବର୍ତ୍ତମାନ ରାୟପୁର ସ୍ଥିତ ଏମ ଇ ଟି ବିଶ୍ଵବିଦ୍ୟାଳୟରେ ଇଂରାଜୀ ବିଷୟରେ ସ୍ନାତକୋତ୍ତର ଛାତ୍ରୀ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

