Sunday, November 24, 2024
spot_imgspot_imgspot_img
Homeରାଜ୍ୟନଭେମ୍ବର ମାସରେ କୃଷକ ଗର୍ଜନ ସମାବେଶ : ଯୋଗଦେବେ ଦଶ ହଜାରରୁ ଅଧିକ ଚାଷୀ...

ନଭେମ୍ବର ମାସରେ କୃଷକ ଗର୍ଜନ ସମାବେଶ : ଯୋଗଦେବେ ଦଶ ହଜାରରୁ ଅଧିକ ଚାଷୀ ।

ପଦ୍ମପୁର-ପଦ୍ମପୁର ଠାରେ ଚଳିତ ବର୍ଷ ନଭେମ୍ବର ୮ ତାରିଖରେ କୃଷକ ଗର୍ଜନ ସମାବେଶ ହେବାକୁ ଯାଉଛି । ଏହି ସମାବେଶକୁ ସଫଳ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟୁତ ସମସ୍ୟା, ଧାନ ବିକ୍ରି, ଫସଲ ବୀମା, ଇନପୁଟ ସବସିଟି, ବର୍ଷା ଏବଂ ରୋଗପୋକ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ସର୍ବ ସମ୍ମତ କ୍ରମେ ବାର୍ଷିକ ସମାବେଶ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ସମାବେଶକୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ସଦସ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। କୃଷକ ଗର୍ଜନ ସମାବେଶରେ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସମସ୍ୟା ଲୋକ ଲୋଚନକୁ ଆଣିବା ସହ ସରକାର ମାନଙ୍କୁ ଏହି ସମସ୍ୟା ପ୍ରସଙ୍ଗରେ ଅବଗତ କରିବାର ଲକ୍ଷ ବୋଲି ସଭାପତି କହିଛନ୍ତି ।

ପ୍ରମୁଖ ସମସ୍ୟା ମାନଙ୍କ ମଧ୍ୟରେ ପଦ୍ମପୁର ଅଞ୍ଚଳକୁ ସମ୍ପୂଣ୍ଣ ଜଳସେଚନ କରିବା, ସ୍ୱାମୀନାଥନ ଆୟୋଗ ପ୍ରସ୍ତାବ ଅନୁସାରେ ଫସଲର ମୂଲ୍ୟ ନିର୍ଧାରଣ କରିବା, ସବୁ ଚାଷୀଙ୍କ ଋଣ ଛାଡ଼ କରିବା ଏବଂ ସୁଧ ମୁକ୍ତ ଋଣ ପ୍ରଦାନ କରିବା, ସୁଚାରୁରୂପେ ଧାନ କିଣାବିକା କରିବା , ୩୦୦ ୟୁନିଟ ବିଦ୍ୟୁତ ସମସ୍ତଙ୍କୁ ମାଗଣା ଦେବା ସହିତ କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ ଜଳକର ଆଧାରରେ ସ୍ଥିର କରିବା, ଲଘୁ ବନ୍ୟାଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ୩୦୦୦ ଟଙ୍କା ଭତ୍ତା, ସମ୍ବଲପୁରୀ ଭାଷଙ୍କୁ ସାମ୍ବିଧାନିକ ମାନ୍ୟତା ଏବଂ ପଦ୍ମପୁର ଜିଲ୍ଲା ଘୋଷଣା କାର୍ଯ୍ୟକାରୀ କରିବା ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି କହିଥିଲେ ।

ଏହି ସମାବେଶରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ୱ ଚାଷୀ ସମାବେତ ହେବାର ଆକଳନ କରାଯାଇଛି। ଏହି ପ୍ରସ୍ତୁତି ସଭାରେ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଆଇନଜୀବୀ ଅଜିତ ଶତପଥୀ ଉପସ୍ଥିତ ଥିଲେ । ଏହି ସମାବେଶକୁ ସଫଳ କରିବା ପାଇଁ ୨୧ ଜଣିଆ ନୂତନ ପରିଚାଳନା କମିଟି ଗଠନ କରାଯାଇଛି ।

ଆଜିର ବୈଠକରେ ରୋହିତ ପଧାନ, କୈଳାସ ବାରିକ, ପରମାନନ୍ଦ ଭୋଇ, ରମେଶ ବରିହା, ହିମାଂଶୁ ପଧାନ, ଅରବିନ୍ଦ ପଣ୍ଡା, ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ମହେନ୍ଦ୍ର ସାହୁ, ମନବୋଧ ବିଶ୍ୱାଳ, ନିରାକାର ସାହୁ, ପ୍ରକାଶ ଦାସ, ପ୍ରକାଶ ମିଶ୍ର, ନବୀନ ବେହେରା, ଚିତ୍ତରଞ୍ଜନ ପାଣ୍ଡେ, ଅମୃତ ସାହୁ ହୋତାସନ ବିଶ୍ୱାଳଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।

error: Content is protected !!