Monday, November 25, 2024
spot_imgspot_imgspot_img
Homeରାଜ୍ୟପେସା ଡାକ୍ତର,ନିଶା ସମାଜସେବା : ସେବା ଓ ସମର୍ପଣର ଅନ୍ୟ ନାମ ଡାକ୍ତର ରାମଚନ୍ଦାନି ।

ପେସା ଡାକ୍ତର,ନିଶା ସମାଜସେବା : ସେବା ଓ ସମର୍ପଣର ଅନ୍ୟ ନାମ ଡାକ୍ତର ରାମଚନ୍ଦାନି ।

ବରଗଡ – ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମ ଭୋଇଙ୍କ ଏହି ମାନବବାଦୀ ବାଣୀର ମହତ୍ତ୍ଵ କୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ବୁର୍ଲା ମେଡିସିନ ବିଭାଗର ସହକାରୀ ଅଧ୍ୟାପକ ଡ଼ ଶଙ୍କର ରାମଚନ୍ଦାନି । କନ୍ସଲଟେସନ୍ ଫି ବାବଦକୁ ମାତ୍ର ଟଙ୍କାଟିଏ ନେଇ ରୋଗୀସେବା କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନି ସମଗ୍ର ଦେଶରେ ପରିଚିତ । ଓଡ଼ିଶାରେ ତାଙ୍କର ଆଉ ଏକ ନାଁ ହେଉଛି ଟଙ୍କିକିଆ ଡାକ୍ତର । ଗଣମାଧ୍ୟମ ହେଉ କି ସାମାଜିକ ଗଣମାଧ୍ୟମ ସବୁବେଳେ ଚର୍ଚ୍ଚାରେ ଥିବା ଏହି ଡାକ୍ତର ଜଣକ ରୋଗୀଙ୍କୁ କେବେ ରୋଗୀ ବୋଲି ଭାବିନଥାନ୍ତି ନିଜର ଆତ୍ମୀୟ ଭାବି ତାର ଚିକିତ୍ସା କରିଥାଆନ୍ତି । ଆଉ ସବୁବେଳେ ରୋଗୀ ସହିତ ହସି ହସି କଥା ହୋଇ ତାର କଷ୍ଟକୁ ଦୂର କରୁଥିବାର ଏହି ଯୁବ ଡାକ୍ତରଙ୍କୁ ଲକ୍ଷାଧିକ ଅସହାୟ ଗରିବ ରୋଗୀ ଭଗବାନଙ୍କ ଦ୍ଵିତୀୟ ଅବତାର ବୋଲି ଭାବି ଥାନ୍ତି । ୧୯୮୦ ମସିହାରେ ଶଙ୍କର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।ଘରେ ତାଙ୍କର ପାଞ୍ଚ ଭାଇ, ଚାରି ଭଉଣୀ ଏବଂ ବାପା,ମା ଙ୍କ ସହିତ ଏଗାର ଜଣ ସଦସ୍ୟ ଙ୍କୁ ନେଇ ଗୋଟେ ବଡ଼ ପରିବାର ।

ଆଉ ଏତେବଡ଼ ପରିବାର କୁ ଚଳାଇବା ପାଇଁ ଗରିବ ବାପାଙ୍କୁ ଅନେକ କଷ୍ଟ କରିବାକୁ ପଡୁଥାଏ । ତଥାପି ବାପା ବ୍ରହ୍ମାନନ୍ଦ ରାମଚନ୍ଦାନି ସ୍ବପ୍ନ ଦେଖୁଥାନ୍ତି ଗରିବ ପୁଅ ଶଙ୍କର ପାଠ ପଢ଼ି ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବ ବୋଲି । ବାପାଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଶଙ୍କରଙ୍କ ଭିତରେ ଥାଏ ଅହେତୁକ ଇଚ୍ଛାଶକ୍ତି ଆଉ ଏହାରି ଭିତରେ ପ୍ରଥମେ ପଦ୍ମପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢି ପରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରୁ ମେଟ୍ରିକ୍ ପାସ୍ କଲା ପରେ ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ୨ ରେ ପାଠ ପଢୁଥିବା ସମୟରେ ହଟାତ ହୃଦରୋଗରେ ବାପାଙ୍କ ମୃତ୍ୟୁ ହୋଇ ଯାଏ । ଆଉ ବାପାଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡନ୍ତି ଶଙ୍କର । ଏତେବଡ଼ କଷ୍ଟ ସହିବାକୁ ତାଙ୍କ ପାଖରେ ଶକ୍ତି ନ ଥାଏ । ଶଙ୍କର ଭାବି ନେଇଥିଲେ ସେ ଆଉ ପାଠ ପଢିପାରିବେ ନାହିଁ କି ଡାକ୍ତର ମଧ୍ୟ ହୋଇ ପାରିବେ ନାହିଁ । ବାପାଙ୍କ ସ୍ବପ୍ନ ସ୍ବପ୍ନ ହୋଇ ରହିଯିବ । ତେବେ ଏହି ସମୟରେ ତାଙ୍କ ମା ଲାଜବନ୍ତି ଦେବୀ ସବୁ ଦୁଃଖ କଷ୍ଟ କୁ ହୃଦୟରେ ଚାପି ଦେଇ ସ୍ଵାମୀଙ୍କ ସ୍ବପ୍ନ ସାକାର କରିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସନ୍ତି ।

ଖଣ୍ଡେ ସିଲେଇ ମେସିନ କିଣି ସିଲେଇ କାମ ଆରମ୍ଭ କରନ୍ତି । ଆଉ ରୋଜଗାର କରି ପୁଅକୁ ଡାକ୍ତର କରିବା ପାଇଁ ଦିନ ରାତି ଏକ କରି ଅନେକ ପରିଶ୍ରମ କରି ଶଙ୍କରଙ୍କୁ ୨୦୦୩ ମସିହାରେ ଏମବିବିଏସ ପାଠ ପଢିବା ପାଇଁ ବୁର୍ଲା ମେଡିକାଲ କଲେଜକୁ ପଠାଇ ଦିଅନ୍ତି । କିନ୍ତୁ ଦୁଃଖ ଏତିକିରେ ସରି ନଥିଲା ଘରେ ଅଜା ଓ କାକା ଦୁଇଜଣ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ନିତିଦିନ ଛଟ ପଟ ହେଉଥିବାର ଦୃଶ୍ୟ ଶଙ୍କର କୁ ଆହୁରି କଷ୍ଟ ଦେଉଥାଏ । ମାତ୍ର ୧୬ ବର୍ଷ ବୟସର ଜଣେ କଲେଜ ଛାତ୍ର ବା କରିବ କଣ ? ନାଁ ପାଖରେ ଟଙ୍କା ଅଛି ନାଁ ଅଛି ଚିକିତ୍ସା କରିବାର ସାମର୍ଥ୍ୟ । ତଥାପି ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ନିଜର କୋହ କୁ ନିଜ ଛାତି ତଳେ ଚାପି ଦେଇ କେବଳ ଗୋଟିଏ ଲକ୍ଷ ମୁଁ ପାଠ ପଢି ମଣିଷ ହେବି ଓ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବି । ମା ସିଲେଇ କରୁଥିବା ସମୟରେ ମାଙ୍କ ପାଖରେ ବସି ସିଲେଇ ମେସିନର ଠକ୍ ଠକ୍ ଶବ୍ଦରେ ପାଠ ପଢୁଥିବା ଶଙ୍କର ସମୟକ୍ରମେ ୨୦୧୦ ମସିହାରେ ଏମବିବିଏସ ପାସ୍ କରି ହୋଇଯାଆନ୍ତି ଡାକ୍ତର । ତେବେ ସେ ସେତିକି ବେଳେ ଚର୍ଚ୍ଚା କୁ ଆସନ୍ତି ଯେବେ ସେ ଛାତ୍ର ସଂଗଠନର ନେତୃତ୍ବ ନେଇ ଏମ.ଆର.ଆଇ ମେସିନ ପାଇଁ ଆନ୍ଦୋଳନ କରନ୍ତି ।

ଛାତ୍ର ଜୀବନରେ ବୁର୍ଲା ମେଡିକାଲ ରେ ଥିବା ବିଭିନ୍ନ ସମସ୍ୟା ପାଇଁ ଅନେକ ଥର ଆନ୍ଦୋଳନ କରି ଅନେକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି ।ତେବେ ଏହି ଚର୍ଚ୍ଚିତ ଯୁବ ଡାକ୍ତର ପ୍ରଥମେ ଜମଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ ଯୋଗ ଦେଇ ୬ ମାସ ରହିଲା ପରେ ତାଙ୍କର ବଦଳି ହୁଏ ନୁଆପଡ଼ାକୁ ସେଠାରେ ୨ ବର୍ଷ କାମ କଲା ପରେ ପୁଣି ତାଙ୍କର ବଦଳି ହୁଏ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ବୁର୍ଲା । ସେଠାରେ ସେ ଜୁନିଅର ରେସିଡେନ୍ସି କରିସାରିବା ପରେ ସମୟାନୁ କ୍ରମେ ଦିନେ ସେ ଯେଉଁ କଲେଜରେ ପାଠ ପଢୁଥିଲେ ସେହି କଲେଜ ରେ ହୋଇଗଲେ ଅଧ୍ୟାପକ । ଭିମାସାର ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଯୋଗ ଦେବାପରେ ଗରିବ ରୋଗୀ ମାନଙ୍କ ପାଇଁ କ୍ଲିନିକ୍ ଖୋଲି ୧ ଟଙ୍କାରେ ସେବା ଯୋଗାଇ ଦେବା ପାଇଁ ନେଇଥିଲେ ନିଷ୍ପତ୍ତି । ଆଜିର ବ୍ୟୟ ବହୁଳ ଚିକିତ୍ସା ସମୟରେ ୪୨ ବର୍ଷୀୟ ଡାକ୍ତର ଶଙ୍କର ରାମଚନ୍ଦାନି ମା ଲାଜବନ୍ତି ଦେବୀଙ୍କ ନାଁ ରେ ୧୨ ଫେବୃଆରୀ ୨୦୨୧ ମସିହାରେ ଆରମ୍ଭ କରନ୍ତି ଟଙ୍କିକିଆ କ୍ଲିନିକ୍ ଯେଉଁଠି କନ୍ସଲଟେସନ୍ ଫି ବାବଦକୁ ନିଅନ୍ତି ମାତ୍ର ୧ ଟଙ୍କା ।

ଶଙ୍କରଙ୍କ ଏଭଳି ମହତ କାମ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିବା ସହ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହୁଏ । ଦେଶରେ ଏହା ଖବରର ଶିରୋନାମା ପାଲଟି ଯାଏ । ଆଉ ସେବେଠୁ ଆରମ୍ଭ ହୋଇଛି ଗରିବ ଅସହାୟ ରୋଗୀଙ୍କ ସେବା ଯେଉଁ କ୍ଲିନିକ ରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ସତୁରି ହଜାର (୭୦୦୦୦) ରୁ ଉର୍ଦ୍ଧ ରୋଗୀ ଚିକତ୍ସିତ ହୋଇ ଉପକୃତ ହୋଇଛନ୍ତି । ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ଥିଲା ତାଙ୍କ ପାରାକ୍ୱେଟ ବ୍ୟାନ ଅଭିଯାନ । କାରଣ ଭିମସାର ରେ ପାରକ୍ୱେଟ ମୃତ୍ୟୁକୁ ନେଇ ସେ ଆରମ୍ଭ କରିଥିଲେ ପାରାକ୍ୱେଟ ବ୍ୟାନ୍ ଅଭିଯାନ । ଓଡ଼ିଶା ତଥା ଭାରତରେ ତ ଏହା ଚର୍ଚ୍ଚା ହେଉଥିଲା କିନ୍ତୁ ସୁଇଜରଲ୍ୟାଣ୍ଡ ର ଏକ ବୈଦ୍ୟୁତିକ ଗଣମାଧ୍ୟମ ଆରଏସଆଇ ତାଙ୍କର ଏହି ଲଢେଇକୁ ପ୍ରଶଂସା କରିବା ପରେ ଏହା ଏକ ଅନ୍ତର୍ଜାତୀୟ ଖବର ପାଲଟି ଯାଇଥିଲା । ନିଜ ପିଲା ଛୁଆଙ୍କ ଭବିଷ୍ୟତ କୁ ପଛରେ ପକାଇ ସରକାରଙ୍କ ତରଫରୁ ପାଉଥିବା ଦରମା ଟଙ୍କାର ସିଂହ ଭାଗ ଅର୍ଥକୁ ମଧ୍ୟ ଗରୀବ ରୋଗୀ ମାନଙ୍କ ପାଇଁ ଖର୍ଚ୍ଚ କରିଦିଅନ୍ତି ।

ତେବେ ପ୍ରତି ବର୍ଷ କ୍ୟାନସର ରୋଗୀ, ଏଡସ୍ ରୋଗୀ ଓ କୁଷ୍ଠାଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ଦାନ ଦେବା ସହ ଜୁନାପାଣିରେ ଥିବା କୁଷ୍ଠ କଲୋନୀର ସମ୍ପୂର୍ଣ ଦାୟିତ୍ଵ ନେଇ ୫୨ ଟି ପରିବାର କୁ ଯୋଗାଇ ଦେଇଥାନ୍ତି ସବୁ ପ୍ରକାର ସୁବିଧା ସୁଯୋଗ। ପୁଣି କେତେବେଳେ କୁନି କୁନି ଅସହାୟ ଛାତ୍ର ଛାତ୍ରୀ ତ କେତେବେଳେ ଅସହାୟ ଡାକ୍ତର ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଥାନ୍ତି । ଖାଲି ସେତିକି ରେ ଅଟକି ନାହିଁ ତାଙ୍କ ସେବା କାର୍ଯ୍ୟ ।ନିକଟରେ ସେ ଗରିବ ରଥ ନାମରେ ଏକ ଚାରିଚକିଆ ଯାନର ଶୁଭାରମ୍ଭ କରିଛନ୍ତି । ଆଉ ଏହି ଗରିବ ରଥ ଗାଡିର ଭଡା ବାବଦକୁ ଗରିବ ଲୋକଟିଏକୁ ବି ଦେବାକୁ ହେବ ମାତ୍ର ଏକ ଟଙ୍କା । ସଂଧ୍ୟା ସମୟରେ ବରଗଡ ଅଂଚଳରୁ ବୁର୍ଲାକୁ ଆସୁଥିବା ଗରିବ ରୋଗୀ ଗାଡି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେବେ ରାମଚନ୍ଦାନୀଙ୍କ ଏହି ଗରିବ ରଥ ଏବେ ରୋଗୀ ଓ ଡାକ୍ତରଖାନା ଭିତରେ ଦୂରତା କମାଇବାରେ ସକ୍ଷମ ହୋଇଛି । ଜନସେବା ପାଇଁ ପରିଚିତ ଡାକ୍ତର ଶଙ୍କର ସବୁବେଳେ କୁହନ୍ତି ମାନବ ସେବା ହିଁ ମାଧବ ସେବା ।

ଜନସେବାରେ ରେକର୍ଡ ସୃଷ୍ଟି କରିଥିବା ଡାକ୍ତର ରାମ ଚନ୍ଦାନୀ ଅନେକ କୃଷ୍ଠାଶ୍ରମକୁ ଯାଇ କୁଷ୍ଠରୋଗୀମାନଙ୍କୁ ସେବା ଯୋଗାଇ ଦେଉଥିବା ବେଳେ ତାଙ୍କ ସେବାର ତାଲିକା ଏତେ ଲମ୍ବା ଯେ ୧ ଟଙ୍କା ଫି ବ୍ୟତୀତ, ୧ଟଙ୍କାରେ ମେଡିସିନ୍‌, ୧ ଟଙ୍କାରେ ରାତ୍ର ରହଣୀ ବ୍ୟବସ୍ଥା, ୧ ଟଙ୍କାରେ କାର ଆମ୍ବୁଲାନ୍ସ, ୧ ଟଙ୍କାରେ ଇସିଜି, ୧ ଟଙ୍କାରେ ରକ୍ତ ପରୀକ୍ଷା ଆଉ ଫୋନ ମାଧ୍ୟମରେ ମାଗଣା ଚିକିତ୍ସା ସେବା, ୧ ଟଙ୍କାରେ ଚାଷୀ କ୍ଲିନିକ୍ କରି ଲୋକଙ୍କୁ ଦିନରାତି ସେବା ଯୋଗାଇ ଦେଉଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନୀତ ହୋଇଥିବା ଡାକ୍ତର ରାମ ଚନ୍ଦାନୀ ଓଟିଭିର ସିଟିଜେନ୍ ଆୱାର୍ଡ ମଧ୍ୟ ହାସଲ କରିଥିଲେ ।

ଏହା ବ୍ୟତୀତ ନିଜ ଅବିରତ ସେବା ପାଇଁ ଡାକ୍ତର ଶଙ୍କର ରାମଚନ୍ଦାନି ଟାଇମ୍ସ ହେଲଥ୍ ଆଇକନ୍ ଆୱାର୍ଡ଼,କୋସଲ ରତ୍ନ ସମ୍ମାନ,ହୀରାଖଣ୍ଡ ର ହୀରା ସମ୍ମାନ,ସ୍ବାସ୍ଥ୍ୟ ବିର ସମ୍ମାନ,ଓଡ଼ିଶା ପ୍ରତିଭା ସମ୍ମାନ,କୋଭିଡ ଯୋଦ୍ଧା ସମ୍ମାନ,ସତ୍ୟବାଦୀ ସମ୍ମାନ,ଗାଁ ବୀର ସମ୍ମାନ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପ୍ରଶଂସିତ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ପ୍ରଶଂସିତ,ସାଉଦି ଆରବ, ଦୁବାଇ, ନୂଆଦିଲ୍ଲୀ ଓ ବାଙ୍ଗାଲୋର,ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ଛତିଶଗଡ଼ରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।ତେବେ ସାମଗ୍ରିକ ଭାବେ ସମାଜ ପାଇଁ ତାଙ୍କରି ଏପରି ଉଦ୍ୟମ ଆଜିର ସମୟରେ ଏକ ବଡ଼ ଉଦାହରଣ । କଥାରେ ଅଛି ହରି ଅନନ୍ତ…ହରି କଥା ଅନନ୍ତ । ଠିକ୍ ସେହିପରି ମାତ୍ର ୧ ଟଙ୍କାରେ ରୋଗୀସେବା କରି ଚର୍ଚ୍ଚାକୁ ଆସିଥିବା ଡାକ୍ତର ରାମଚନ୍ଦାନିଙ୍କ ବିଷୟରେ ଯେତେ କହିଲେ ବି କଥା ସରିବ ନାହିଁ, ନିଶ୍ଚୟ କିଛି ବାକି ରହିଯିବ ।

ରିପୋର୍ଟ – ସୁଶାନ୍ତ ପଣ୍ଡା

error: Content is protected !!