ଗାଇସିଲେଟ-ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିନସ୍ଥ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବାବୁଲାଲ ଭୋଇଙ୍କ ଘର ପଛପଟ ବିଲରେ ଲଙ୍କା ଚାଷ କରିଥିବାରୁ କୁକୁଡ଼ା ପଶି ନ ପାରିବେ ବୋଲି ଜାଲ ବାଡ ଦେଇଥିଲେ । ପ୍ରତିଦିନ ଭଳି ଆଜି ସକାଳୁ ବାବୁଲାଲ ନିଜ ବିଲକୁ ଯିବା ସମୟରେ ହଟାତ ତାଙ୍କର ନଜର ପଡ଼ିଥିଲା ଏକ ବିରାଟ ଅଜଗର ଜାଲରେ ଲାଗି ଛଟ ପଟ ହେଉଥିବାର ।
ତେବେ ଅଜଗରକୁ ଦେଖି ବାବୁଲାଲ ଭୟଭୀତ ହୋଇ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଖବର ପାଇ ବନବିଭାଗ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ । ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଅଜଗର ପଶି ଆସିଥିବା ଅନୁମାନ କରାଯାଉଛି ।
ତେବେ ପଦ୍ମପୁର ଉପ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ସାପଟିର ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରେଇବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବାରୁ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ କରା ଡୁଙ୍ଗୁରି ଠାରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଜଗର ସାପଟିର ଓଜନ ୮ ରୁ ୧୦ କିଲୋ ଭିତରେ ଥିବାବେଳେ ୬ ଫୁଟ ଲମ୍ବ ଥିବାର ବନ ବିଭାଗ ପ୍ରକାଶ କରିଛି ।