ପଦ୍ମପୁର- ବଦଲିଲା ସରକାର ହେଲେ ବଦଲି ପାରିଲା ନାହିଁ ଅବ୍ୟବସ୍ଥା । ଗାଁ ଠୁ ସହର ସବୁଠି ହେବ ପକ୍କା ସଡକ , ହେଲେ ଆଜିବି ଏହା କିଛି ଗାଁ ପାଇଁ ସାତ ସପନ ହୋଇଛି । ଲୋକଙ୍କ ଗମନା ଗମନ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପକ୍କା ସଡକ ତିଆରି କରାଯାଇଥାଏ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗତ ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ଠାରୁ ଖଲିମୁଣ୍ଡା ଭାୟା ବିଶିପାଲି ଏକ ରାସ୍ତା ୨୦୨୧ ମସିହାରେ ଆରମ୍ଭ ହୋଇଥିଲା ଯାହାର କାର୍ଯ୍ୟ ଅବଧି ନଅ ମାସ ରହିଥିଲା ।
ମୋଟ ୬.୬୦ କିମି ଲମ୍ବା ଏହି ରାସ୍ତା ତିଆରି ପାଇଁ ଶ୍ରୀ ସୁଭ୍ରାଶୁଂ ପଣ୍ଡା ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ତିନି ବର୍ଷ ବିତିଯାଇ ଓଡିଶାରେ ସରକାର ପରିବର୍ତ୍ତନ ହୋଇଗଲାଣି ହେଲେ ଆଜି ମଧ୍ୟ ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାସ୍ତାରେ କେବଳ ମୁରୁମ ପକାଇ ପିଚୁ ପକାଇବା କାମ ଠିକାଦାର ଭୁଲିଯାଇଥିବା ମନେ ହେଉଛି । ଏହି ରସ୍ତାରେ ପ୍ରତିଦିନ ଶହ ଶହ ଲୋକ ତଥା ଯାନବାହନ ଯିବା ଆସିବା କରିଥାନ୍ତି । ଜମଲା ମହାବିଦ୍ୟାଳୟକୁ ପ୍ରତିଦିନ ତିନି ଗୋଟି ପଂଚାୟତର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଏହି ରସ୍ତାରେ ଆସିଥାନ୍ତି ।
ହେଲେ ଅସମ୍ପୂର୍ଣ୍ଣ କାମ ଯୋଗୁଁ ସେମାନଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଲା କାରଣରୁ ଏଭଲି ଅବ୍ୟବସ୍ଥା ହେବା ସହ ସାଧାରଣ ଜନତା ଅସୁବିଧା ଭୋଗୁଥିବା ଲୋକେ ଅଭିଯୋଗ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନଦେଇ ଯଥାଶୀଘ୍ର ଏହି ରାସ୍ତା ସମ୍ପୂଣ୍ଣ କରାଗଲେ ଲୋକମାନେ ସରକାରୀ ଯୋଜନାର ଲାଭ ପାଇ ପାରିବେ ।