ଜଣେ ଯୁବଛାତ୍ର କହୁଛି, ‘ମୁଁ ଯଦି ତା ପାଇଁ ଲାଲ ଗୋଲାପ ଆଣିଦେବି, ତେବେ ସେ ମୋ ସହିତ ନୃତ୍ୟ କରିବ’ । କିନ୍ତୁ ମୋର ବଗିଚାରେ ଗୋଟିଏ ବି ଲାଲ ଗୋଲାପ ନାହିଁ । ଓକ୍ ଗଛରେ ବସା ବାନ୍ଧିଥିବା ବୁଲ୍ବୁଲ୍ ପକ୍ଷୀ ଏ କଥା ଶୁଣି ବିସ୍ମିତ ହେଲା । ପିଲାଟି କାନ୍ଦି କହିଲା, ମୋ ବଗିଚାରେ ଲାଲ ଗୋଲାପ ନାହିଁ । ଖୁସି ଛୋଟ ଛୋଟ ଜିନିଷ ଉପରେ ନିର୍ଭର କରେ ! ସେ ନିଜକୁ କହିଲା- ବୁଦ୍ଧିମାନ ଲୋକଙ୍କ ଲେଖା ପଢିଛି । ଦର୍ଶନଶାସ୍ତ୍ରର ରହସ୍ୟ ବୁଝିଛି । ହେଲେ ଲାଲ ଗୋଲାପର ଇଚ୍ଛା ପାଇଁ ମୋ ଜୀବନ ଦୁଃଖଭରା । ବୁଲ୍ବୁଲ୍ ଭାବିଲା- ଯୁବକ ଜଣକ ସଚ୍ଚୋଟ ପ୍ରେମିକ । ରାତିର ଅନ୍ଧାର ଭଳି କୃଷ୍ଣ କେଶ, ଗୋଲାପ ଭଳି ଲାଲ ଓଠ, ହେଲେ ମଳିନ ପଡିଯାଇଛି ମାତ୍ରାଧିକ ଆସକ୍ତି ଯୋଗୁଁ । ଆଖି ଭୃୂଲତାରେ ଦୁଃଖର ଛାପ । ପୁଣି ଯୁବଛାତ୍ର ନିଜକୁ କହିଲା- ରାଜକୁମାର କାଲି ରାତିରେ ପାର୍ଟିର ଆୟୋଜନ କରୁଛନ୍ତି । ସେଠାରେ ମୋର ପ୍ରେମିକା ଥିବ । ମୁଁ ଲାଲ ଗୋଲାପ ଆଣିଲେ ସେ ପାହାନ୍ତା ଯାଏଁ ମୋ ସହ ନାଚିବ । ମୋର ବାହୁ ବନ୍ଧନକୁ ଆସିବ । ମୋ କାନ୍ଧରେ ମୁଣ୍ଡ ରଖିବ । ମୋ ହାତରେ ହାତ ଦେବ । କିନ୍ତୁ ମୋ ବଗିଚାରେ ଲାଲ ଗୋଲାପ ନାହିଁ । ତେଣୁ ସେ ଅନ୍ୟମାନଙ୍କ ସହିତ ନୃତ୍ୟ କରିବ, ମୋ ହୃଦୟ ଭାଙ୍ଗିଯିବ । ବୁଲ୍ବୁଲ୍ ଭାବିଲା- ରାତି ରାତି ମୁଁ ପ୍ରେମର ଗୀତ ଗାଇଛି । ଏହା ମୋ ପାଇଁ ଆନନ୍ଦ, ହେଲେ ତା ପାଇଁ ଯନ୍ତ୍ରଣା । ପ୍ରକୃତରେ ପ୍ରେମ ହିଁ ଚମତ୍କାର । ସବୁଜ ମଣି ଠାରୁ ମୂଲ୍ୟବାନ । ସ୍ୱଚ୍ଛ ଓପେଲରୁ ବି ପ୍ରିୟ । ନା ମୁକ୍ତା ଓ ମୋତିମାଣିକ୍ୟ ଏହାକୁ କିଣି ପାରିବ କି ବଜାରରେ ସଉଦା ହେବ । ନା ବଣିକ ଠାରୁ କିଣିଯାଇ ପାରେ କି ସୁନାର ଓଜନରେ ବଦଳାଯାଇପାରେ । ଯୁବକ କହୁଛି- ସଂଗିତଜ୍ଞ ମାନେ ବାଦ୍ୟ ବଜାଇବେ । ବୀଣା ଓ ବେହେଲାର ସ୍ୱରରେ ପ୍ରେମିକା ମୋ ନାଚିବ । ଏତେ ହାଲୁକା ନୃତ୍ୟ କରିବ ଯେ ପାଦ ତାର ମାଟିକୁ ଲାଗିବ ନାହିଁ । ସୁନ୍ଦର ପୋଷାକ ପିନ୍ଧି ରାଜକର୍ମଚାରୀମାନେ ତା ଚାରିପଟେ ଘେରିଯିବେ । କିନ୍ତୁ ମୋ ସହିତ ସେ ନୃତ୍ୟ କରିବ ନାହିଁ ! କାରଣ ତାକୁ ଦେବା ପାଇଁ ମୋ ପାଖରେ ଲାଲ ଗୋଲାପ ନାହିଁ । ଏକଥା କହି ଯୁବକ ଘାସ ଉପରେ କଚାଡି ପଡିଲା । ମୁହଁକୁ ହାତରେ ଲୁଚାଇଲା । କାନ୍ଦିବାକୁ ଲାଗିଲା । ଲାଂଜ ହଲାଇ ଯାଉଥିବା ଝିଟିପିଟି ପ୍ରଶ୍ନକଲା- କାହିଁକି କାନ୍ଦୁଛି ? ଖରାରେ ଉଡିବୁଲୁଥିବା ପ୍ରଜାପତି ପଚାରିଲା- ବାସ୍ତବରେ କାହିଁକି? ବୁଲବୁଲ ଉତର ଦେଲା- ଲାଲ ଗୋଲାପ ପାଇଁ କାନ୍ଦୁଛି । ସେମାନେ କହିଲେ- ଲାଲ ଗୋଲାପ ପାଇଁ, କେତେ ହାସ୍ୟାସ୍ପଦ ! କିନ୍ତୁ ବୁଲବୁଲ ହିଁ ବୁଝିପାରୁଥିଲା ଯୁବଛାତ୍ରଙ୍କ ଦୁଃଖର ରହସ୍ୟକୁ । ତେଣୁ ସେ ନିରବରେ ଓକ୍ ଗଛରେ ବସି ପ୍ରେମର ରହସ୍ୟକୁ ଚିନ୍ତା କରୁଥିଲା ।
ଡେଣାମେଲାଇ ବୁଲବୁଲ ଉପରକୁ ଉଡିଲା । ବଣ ଜଙ୍ଗଲ ଅତିକ୍ରମ କରି ବଗିଚାର ଗୋଲାପ ଗଛରେ ପହଂଚିଲା । କହିଲା- ମତେ ଲାଲ ଗୋଲାପଟିଏ ଦିଅ । ମୁଁ ତୁମ ପାଇଁ ମଧୂର ସଂଗୀତ ଗାନ କରିଦେବି । ଗଛ ମୁଣ୍ଡ ହଲାଇ କହିଲା- ମୋ ଗୋଲାପଗୁଡିକ ଧଲା ରଂଗର । ସମୁଦ୍ରର ଫେଣ, ପାହାଡର ବରଫ ଭଳି ଧଳା । କିନ୍ତୁ ଯାହା ଚାହୁଁଛ ଛାତ୍ରର ଝରକା ପାଖରେ ଥିବା ମୋ ଭାଇ ତୁମକୁ ଦେଇପାରେ । ତେଣୁ ସେଠି ପହଂଚି ବୁଲବୁଲ କହିଲା- ମତେ ଗୋଟିଏ ଲାଲ ଗୋଲାପଟିଏ ଦିଅ । ମୁଁ ତୁମ ପାଇଁ ମଧୂର ସଂଗୀତ ଗାନ କରିଦେବି । କିନ୍ତୁ ଗଛ ମନା କରି କହିଲା- ମୋର ଗୋଲାପ ଲାଲ ରଂଗର । କପୋତର ପାଦ, ସମୁଦ୍ର ଗହ୍ୱରର ପ୍ରବାଳ ଭଳି ଲାଲ । କିନ୍ତୁ ଶୀତ ତ ମୋ ଶିରା ପ୍ରଶିରାକୁ ଥଣ୍ଡା କରିଦେଇଛି, ତୁଷାର ମୋ କଢିକୁ ନଷ୍ଟ କରିଛି, ପବନ ମୋ ଶାଖା ପ୍ରଶାଖାକୁ ଭାଂଗି ଦେଇଛି । ଏ ବର୍ଷ ତେଣୁ କୈଣସି ଫୁଲ ମୋ ପାଖରେ ନାହିଁ । ପକ୍ଷୀ କହିଲା- ଗୋଟିଏ ଲାଲ ଗୋଲାପ ଦରକାର, କେବଳ ଗୋଟିଏ । କିଭଳି ଭାବରେ ପାଇବି? ଗଛ ଉତର ଦେଲା- ବାଟ ଅଛି କିନ୍ତୁ କହିବାକୁ ବି ଭୟଙ୍କର । ପକ୍ଷୀ ଦୃଢୋକ୍ତି ପ୍ରକାଶ କଲା- ମୁଁ ଡରିବି ନାହିଁ, ମତେ କହ । ତେଣୁ ଗଛ କହିଲା- ଯଦି ଲାଲ ଗୋଲାପ ଚାହଁ, ଗୀତ ଗାଇ ହୃଦୟର ରକ୍ତ ନିଗାଡି ଚାନ୍ଦିନି ରାତିରେ ଫୁଲ ତିଆରି କରିବାକୁ ହେବ । ରାତିସାରା ଗାଇବ, କନ୍ଟା ଛାତିକୁ ଲାଗିବ, ତୁମ ରକ୍ତ ମୋ ଶିରାକୁ ଆସିବ । ଲାଲ ଗୋଲାପଟିଏ ପାଇଁ ମୃତ୍ୟୁର ପାଉଣା, ଚିତ୍କାର କଲା ପକ୍ଷୀ । ଜୀବନ ସମସ୍ତଙ୍କ ପ୍ରିୟ । ତଥାପି ପ୍ରେମ ଜୀବନ ଠୁ ବି ବଡ । ମଣିଷ ହୃଦୟ ସହିତ ପକ୍ଷୀର ହୃଦୟ କଣ ସମାନ ହେବ ? ପୁଣି ଡେଣାମେଲାଇ ନିଜ ବସାକୁ ଫେରିଗଲା ।
ଯୁବଛାତ୍ର ପୁଣି ସେଇ ଘାସ ଗାଲିଚାରେ । ଆଖିର ଲୁହ ଶୁଖିନାହିଁ । ପକ୍ଷୀ ପାଟିକଲା- ଖୁସି ହୁଅ । ତୁମେ ଲାଲ ଗୋଲାପ ପାଇବ । ଚାନ୍ଦିନି ରାତିରେ ଗୀତ ଗାଇ ହୃଦୟର ରକ୍ତ ନିଗାଡି ଫୁଲ ତିଆରି କରିବି । କିନ୍ତୁ ତୁମେ ସଚ୍ଚୋଟ ପ୍ରେମୀକ ହେବାକଥା । ପ୍ରେମ ସବୁଠୁ ବଡ । ଜ୍ୱାଳା ଭଳି ଡେଣା ଓ ଶରୀର । ମହୁ ଭଳି ଓଠ ଓ ସୁଗନ୍ଧିତ ନିଃଶ୍ୱାସ । ଛାତ୍ର ପକ୍ଷୀର କିଛି କଥା ବୁଝିପାରିଲା ନାହିଁ । ସେ କେବଳ ବହିର ଭାଷା ବୁଝିପାରେ । କିନ୍ତୁ ଓକ୍ ଗଛ ବୁଝି ଦୁଃଖିତ ହେଲା କାରଣ ତା ଡାଳରେ ବସା ବାନ୍ଧିଥିବା ପକ୍ଷୀକୁ ଖୁବ ଭଲପାଏ । ସେ କହିଲା- ମୋ ପାଇଁ ଶେଷ ଗୀତ ଗା, ତୁ ଚାଲିଗଲେ ମୁଁ ଏକାକି ହୋଇଯିବି । ଓକ ଗଛ ପାଇଁ ସେ ଗୀତ ଗାଇଲା । ଛାତ୍ର ନିଜକୁ କହିଲା ପକ୍ଷୀର ରୂପ ଅଛି । କିନ୍ତୁ ତାର ଅନୁଭବ କାହିଁ? ସେ କଳାକାର ଭଳି । ଆନ୍ତରିକତା ବିହିନ ଶୈଳୀ । ଅନ୍ୟପାଇଁ ତା ଉତ୍ସର୍ଗ ନାହିଁ । ସେ ସଂଗୀତ କଥା ଚିନ୍ତାକରେ । ତଥାପି ସ୍ୱୀକାର କରିବାକୁ ହେବ ଯେ ତାର ସ୍ୱର ସୁନ୍ଦର, କିନ୍ତୁ ଅର୍ଥ କିଛି ନାହିଁ । ଶେଷରେ ଯୁବକ ଘରକୁ ଯାଇ ବିଛଣାରେ ନିଜ ପ୍ରେମକଥା ଭାବି ଶୋଇପଡିଲା ।
ଜହ୍ନ ଉଇଁଲା ପରେ ବୁଲ୍ବୁଲ୍ ଗୋଲାପ ଗଛକୁ ଗଲା । ଛାତି ଆଉଜି କନ୍ଟାରେ ବସିଲା । ରାତିସାରା ଗୀତ ଗାଇଲା । ନଇଁ ଆସି ଜହ୍ନ ବି ଗୀତ ଶୁଣିଲା । ଛାତି ଭିତରକୁ କନ୍ଟା ପଶି ରକ୍ତ ବହିଲା । ପୁଅ ଝିଅଙ୍କ ହୃଦୟରେ ପ୍ରେମର ଆବାହନକୁ ନେଇ ଗୀତ ଗାଇଲା । ଉପର ଡାଳରେ ଚମତ୍କାର ଗୋଲାପ ଫୁଟିଲା । ଗୀତ ଯେତେ ପାଖୁଡା ସେତେ । ନଦୀ ଉପରେ କୁହୁଡି ଭଳି ଫୁଲ ଶେତା ଦିଶିଲା । ତେଣୁ ଆହୁରି ଆଉଜିଜିବା ପାଇଁ ବୁଲ୍ବୁଲ୍କୁ କୋହଭରା ଚିତ୍କାର କଲା ଗଛ । ନଚେତ ଗୋଲାପ ସଂପୂର୍ଣ୍ଣ ହେବା ପୂର୍ବରୁ ସକାଳ ହୋଇଯିବ । ନିକଟତର ହେଲା ବୁଲ୍ବୁଲ୍, ପୁରୁଷ ଓ ଅବିବାହିତ ଝିଅ ହୃଦୟରେ ସୃଷ୍ଟି ହେଉଥିବା ଉତେଜନା ପ୍ରେମ ଭଳି ଗୀତ ଗାଇଲା । ଗଛର ପତ୍ର ମୃଦୁ ଗୋଲାପି ହେଲା, ଚୁମ୍ବନ ଅଙ୍କନ ପରେ ନବବଧୂର ଚେହେରା ଯେମିତି । କିନ୍ତୁ ହୃଦୟକୁ କନ୍ଟା ଛୁଇଁ ନାହିଁ, ତେଣୁ ଗୋଲାପ ବି ସେଭଳି । କେବଳ ବୁଲ୍ବୁଲ୍ର ରକ୍ତ ହିଁ ରଂଗାଇପାରିବ । ନିକଟତର ହେବା ପାଇଁ ପୁଣି କାନ୍ଦି କାନ୍ଦି କହିଲା ଗଛ । ନଚେତ ଫୁଲ ସଂପୂର୍ଣ୍ଣ ହେବା ପୁର୍ବରୁ ରାତି ପାହିଯିବ । ବୁଲ୍ବୁଲ୍ ଅଧିକ ନିକଟତର ହେଲା, କନ୍ଟା ଛାତିକୁ ଭେଦିଲା । ଭୟଙ୍କର ଯନ୍ତ୍ରଣା, ଗୀତ ବି କର୍କଶ, ଯେପରି ମୃତ୍ୟୁ ସନ୍ନିକଟ ପ୍ରେମ । ପୁର୍ବାକାଶ ଭଳି ଗାଢ ଲାଲ ହେଲା ଗୋଲାପ । କିନ୍ତୁ ଅସ୍ପଷ୍ଟ ହେଉଥିଲା ବୁଲବୁଲର ସ୍ୱର, ଫଡ ଫଡ ହେଉଥିଲା ଡେଣା, ନିଷ୍ପ୍ରଭ ହେଉଥିଲା ଚକ୍ଷୁଦ୍ୱୟ । ଆହୁରି ଅସ୍ପଷ୍ଟ ହେଉଥିଲା ଗୀତ, ଅବରୋଧ ହେଉଥିଲା ଗଳା । ଶେଷ ସଂଗୀତର ପଦ ଶୁଣାଇଲା । ଉଲ୍ଲାସରେ କମ୍ପନ ହୋଇ ଥଣ୍ଡା ସକାଳର ପବନରେ ଗୋଲାପ ତାର ପାଖୁଡା ମେଲାଇଲା । ଗଛ କହିଲା- ଦେଖ ତୁମ ଗୋଲାପ ସଂପୂର୍ଣ୍ଣ ହୋଇଛି । କିନ୍ତୁ କନ୍ଟା ଲାଗି ଘାସ ଉପରେ ମୃତ ପଡିଥିବା ବୁଲବୁଲ କୈାଣସି ଉତର ଦେଲା ନାହିଁ ।
ମଧ୍ୟାହ୍ନରେ ଝରକା ଖୋଲି ଛାତ୍ର ବାହାରକୁ ଦେଖିଲା । କି ସୈାଭାଗ୍ୟ । ଏଠାରେ ଲାଲ ଗୋଲାପ ! ଜୀବନରେ ଏଭଳି ଗୋଲାପ କେବେ ଦେଖିନାହିଁ । ଏହି ସୁନ୍ଦର ଫୁଲର ନିଶ୍ଚୟ ଲାଟିନ ନାମ ଥିବ କହି ନଇଁ ପଡି ଫୁଲ ଛିଣ୍ଡାଇଲା । ଟୋପି ପିନ୍ଧିଲା, ଫୁଲ ଧରି ପ୍ରଫେସରଙ୍କ ଘର ଅଭିମୂଖେ ଆଗେଇଲା । କବାଟ ପାଖରେ ବସିଥିବା ପ୍ରଫେସରଙ୍କ ଝିଅ ହାତରେ ନୀଳ ରେଶମ ସୁତା ଓ ପାଦ ତଳେ ଛୋଟ କୁକୁର । ଯୁବକ କହିଲା- ଲାଲ ଗୋଲାପ ଆଣିଲେ ତୁମେ ମୋ ସହିତ ନୃତ୍ୟ କରିବ ବୋଲି କହିଥିଲ । ଏ ନିଅ ପୃଥିବୀର ସବୁଠାରୁ ଅଧିକ ରକ୍ତିମ ଗୋଲାପ । ରାତିରେ ତମେ ଖୋସିବ ଏବଂ ଆମେ ଏକାଠି ନୃତ୍ୟ କଲା ବେଳେ ପରିଚୟ ଦେବ ମୁଁ ତୁମକୁ କେତେ ଭଲ ପାଏଁ । କିନ୍ତୁ ଝିଅଟି ରାଗିଗଲା । କହିଲା- ଫୁଲଟି ମୋ ଡ୍ରେସ ସହିତ ମ୍ୟାଚ କରିବ ନାହିଁ । ଚ୍ୟାମ୍ବରଲେନଙ୍କ ପୁତୁରା ମୋ ପାଖକୁ ଅସଳ ଅଳଙ୍କାର ପଠାଇଛନ୍ତି । ସମସ୍ତେ ଜାଣନ୍ତି ଫୁଲ ଠାରୁ ରତ୍ନର ମୂଲ୍ୟ ଢେର ଅଧିକ । ଯୁବକ କହିଲା- ତୁମେ ଅକୃତଜ୍ଞ । ରାଗିଯାଇ ଫୁଲକୁ ଟୁକୁରାକରି ରାସ୍ତାରେ ଫିଙ୍ଗିଲା ଓ ତା ଉପରେ ଗାଡି ଚକ ଚାଲିଗଲା । ଝିଅ କହିଲା- ତୁମେ ଅଭଦ୍ର । କିଏ ତୁମେ ? କେବଳ ଜଣେ ଛାତ୍ର, ମତେ ବିଶ୍ୱାସ ହେଉନି ଯେ ଚ୍ୟାମ୍ବରଲେନଙ୍କ ପୁତୁରା ଭଳି ତୁମ ଜୋତାର ବନ୍ଧନିରେ ରୁପା ଲାଗିଥିବ । ଚୈାକିରୁ ଉଠି ଝିଅଟି ଘର ଭିତରକୁ ଚାଲିଗଲା । ଯୁବକ ଫେରିବା ବେଳେ ଭାବୁଥିଲା- ପ୍ରେମ ହିଁ ବୋକାମୀ । ତର୍କଶାସ୍ତ୍ରର ଅଧା ଉପେଯାଗୀ ନୁହେଁ । ଏହା ପ୍ରମାଣ ବିହିନ । ପ୍ରେମ ଦୁଷ୍ପ୍ରାପ୍ୟ, ଅସତ୍ୟ, ଅବ୍ୟବହାରିକ । କିନ୍ତୁ ଏହି ବୟସରେ ବ୍ୟବହାରିକ ହେବା ହିଁ ସବୁକିଛି । ମୁଁ ଦର୍ଶନ ଶାସ୍ତ୍ର ପଢିବାକୁ ଯିବି ଓ ଅଭୈାତିକ ବିଜ୍ଞାନ ପଢିବି । କୋଠାକୁ ଫେରି ଧୁଲି ଧୁସରିତ ବହି ଆଣି ପଢିବା ଆରମ୍ଭ କଲା ।
ମୂଳ ଇଂରାଜୀ ରଚନା- ଓସ୍କାର ୱାଇଲ୍ଡ
ଭାବାନୁବାଦ-ସୁଶାନ୍ତ କୁମାର ମିଶ୍ର , ବରଗଡ, ମୋ-୯୯୩୮୨୭୭୬୩୫