Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି‘ମା’ ତୁଝେ ସଲାମ’ର ପଂଚଦଶ ସଂସ୍କରଣ :ସହିଦଙ୍କ ବଳିଦାନ ଏବେବି ଜାଜ୍ଜୁଲ୍ୟମାନ - ମହାମହିମ ରାଜ୍ୟପାଳ...

‘ମା’ ତୁଝେ ସଲାମ’ର ପଂଚଦଶ ସଂସ୍କରଣ :ସହିଦଙ୍କ ବଳିଦାନ ଏବେବି ଜାଜ୍ଜୁଲ୍ୟମାନ – ମହାମହିମ ରାଜ୍ୟପାଳ ।

ଭୁବନେଶ୍ୱର-ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ସହିଦମାନଙ୍କର ବଳିଦାନ ଏବେବି ଜାଜ୍ଜୁଲ୍ୟମାନ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ପବିତ୍ର ସ୍ୱଧୀନତା ଦିବସ ଅବସରରେ “ଓଡ଼ିଶା ଭାସ୍କର” ପକ୍ଷରୁ ଆୟୋଜିତ ‘ମା’ ତୁଝେ ସଲାମ’ କାର୍ଯ୍ୟକ୍ରମର ପଂଚଦଶ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଏହା କହିଥିଲେ । ଉଦ୍‌ବୋଧନଛଳରେ ରାଜ୍ୟପାଳ କହିଥିଲେ ଯେ ସେହି ସହିଦମାନଙ୍କ ଦେଶପ୍ରେମର ଗାଥାକୁ ଆଜିକାର ଯୁବପିଢ଼ୀ ଅନୁକରଣ କରିବା ସହ ମା’ ମାଟିର ସୁରକ୍ଷା ପାଇଁ ବ୍ରତୀହେବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଯେଉଁ ମହାମନିଷୀମାନେ ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ ଆଜି ହେଉଛି ସେମାନଙ୍କୁ ସ୍ମରଣ କରିବାର ଦିନ । ଭାରତର ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ । ଯେଉଁ ସହିଦମାନେ ଦେଶକୁ ସୁରକ୍ଷା ଦେବାରେ ଅବଦାନ ରଖି ଯାଇଛନ୍ତି ସେମାନଙ୍କୁ ଏ ଜାତି, ଦେଶ କେବେବି ଭୁଲି ପାରିବ ନାହିଁ । ଦେଶ ପ୍ରେମ ଓ ଜାତୀୟତାବୋଧରେ ସେମାନେ ଉଦ୍‌ବୃଦ୍ଧ ହୋଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବାର ଯେଉଁ ମହାନ ଆଦର୍ଶ ସୃଷ୍ଟି କରି ଯାଇଛିନ୍ତ ତାହା ଆଜି ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ବୀର ସହିଦ୍‌ମାନଙ୍କର ପରିବାରଙ୍କୁ ସମ୍ମାନିତ କରିବା ପାଇଁ ଓଡ଼ିଶା ଭାସ୍କରର ଉଦ୍ୟମକୁ ପ୍ରଶଂସା କରିଥିଲେ । ସହିଦ ପରିବାରର ପିଲାମାନଙ୍କ ଶିକ୍ଷା ପାଇଁ ରାଜ୍ୟପାଳ ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏତଦ୍‌ବ୍ୟତୀତ ସହିଦ ପରିବାରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମସ୍ଥଳକୁ ପହଂଚିବା ପରେ ରାଜ୍ୟପାଳଙ୍କୁ ବିଏସ୍‌ଏଫ୍ ଗାର୍ଡ କମାଣ୍ଡର ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ବି.ଏସ୍‌.ଏଫ୍‌. ର ଆଇ.ଜି. ଚାରୁଧ୍ୱଜ ଅଗ୍ରୱାଲ, ଭାରତୀୟ ତଟରକ୍ଷୀ ବାହିନୀର ଡ.ଆଇ.ଜି. ଏସ୍‌.ଆର୍‌. ଦାସ, ସିଆରପିଏଫ୍ ଗ୍ରୁପ୍ ସେଂଟର, ଭୁବନେଶ୍ୱରର ଡି.ଆଇ.ଜି. ବି.ବି. ସେଠୀ, ୧୨୦ଇନ୍‌ଫାଂଟ୍ରୀ ବାଟାଲିୟନର କମାଣ୍ଡିଂଗ୍ ଅଫିସର କର୍ଣ୍ଣେଲ ରୋହିତ କୁମାର ସିଂ, ବାୟୁସେନାର ୯ ଏୟାରମ୍ୟାନ୍ ସିଲେକ୍‌ସନ୍ ସେଂଟରର କମାଣ୍ଡିଙ୍ଗ୍ ଅଫିସର ଉଇଙ୍ଗ୍ କମାଣ୍ଡାର ରାଜଲକ୍ଷ୍ମୀ ପୃଥ୍ୱୀରାଜ, ଓଡ଼ିଶାର ଏନ୍‌.ସି.ସି. ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରି ଦେଶର ସ୍ୱାଧୀନତା ଓ ସୁରକ୍ଷାରେ ଯେଉଁ ଯବାନ୍‌ମାନେ ସହିଦ୍ ହୋଇ ଅମର ଗାଥା ରଚିଯାଇଛନ୍ତି ସେମାନଙ୍କୁ ସ୍ମରଣ କରିବାର ଅବସର ଆସିଛି ବୋଲି କହିଥିଲେ । ସହିଦ୍ ଯବାନଙ୍କ ପରିବାରକୁ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବାକୁ ଆହ୍ୱାନ ଜଣାଇଥିଲେ ଏବଂ ସହିଦ୍‌ମାନଙ୍କ ପରିବାର ପ୍ରତି ସମସ୍ତଙ୍କର ସମବେଦନା ଓ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଓଡ଼ିଶା ଭାସ୍କରର ସିଇଓ ତଥା ସଂପାଦକ କୌସ୍ତୁଭ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ‘ମା’ ତୁଝେ ସଲାମ’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଭାସ୍କର ଡ଼ିଜିଟାଲର ପ୍ରତିଷ୍ଠାତା ତିଲକରାଜ ମହାନ୍ତି ନିଜ ବକ୍ତବ୍ୟରେ ସହିଦ ଯବାନଙ୍କ ପରିବାରକୁ ସମ୍ମାନ ପ୍ରଦର୍ଶନ ଓ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣର ଅନନ୍ୟ ଚିନ୍ତାଧାରା ସଂପର୍କରେ ଉଲ୍ଲେଖ କରିଥିଲେ । ଓଡ଼ିଶା ଭାସ୍କରର ମୁଖ୍ୟ ସଂପାଦକ ପ୍ରଦୋଶ ପଟ୍ଟନାୟକ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି କହିଥିଲେ ।

error: Content is protected !!