ଭୁବନେଶ୍ୱର – ପିତାମାତା କେବଳ ଶିକ୍ଷକ ନୁହଁନ୍ତି ବରଂ ଭଗବାନଙ୍କର ଏକ ସ୍ୱରୂପ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଚଳିତ ସେପ୍ଟେମ୍ବର ୧୯ ତାରିଖ ଗୁରୁବାର ଦିନ ରାଜଭବନର ଅଭିଷେକ ହଲ୍ଠାରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଓ ଭାରତୀୟ ବନସେବା ପରୀକ୍ଷା–୨୦୨୩ରେ କୃତକାର୍ଯ୍ୟ ରାଜ୍ୟର ପରୀକ୍ଷାର୍ଥୀଙ୍କର ପିତାମାତାଙ୍କୁ ସଂବର୍ଦ୍ଧିତ କରିବା ଅବସରରେ ରାଜ୍ୟପାଳ ଏହା କହିଥିଲେ । ଉଦ୍ବୋଧନ ଛଳରେ ରାଜ୍ୟପାଳ କହିଥିଲେ ଯେ, ଆମେ ସାରା ଜୀବନ ପିତାମାତାଙ୍କ ସମର୍ଥନ, ସହଯୋଗ ଓ ଆର୍ଶୀବାଦ ସହିତ ବଢିଛୁ । ପିତାମାତା ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ନିଜେ ଦୁଃଖ କଷ୍ଟ, ଅଭାବ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ପିତାମାତା ପିଲାଙ୍କୁ ସଫଳତାର ଶିଖରରେ ପହଂଚାନ୍ତି ।
ସେମାନଙ୍କୁ ସମ୍ବୋଧନ କରି ରାଜ୍ୟପାଳ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ପୁଅଝିଅଙ୍କୁ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଆପଣମାନେ ଗଢି ତୋଳିଛନ୍ତି ବୋଲି କହିଥିଲେ । ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ନୀତି ଓ ଯୋଜନା ପ୍ରଶାସକମାନେ କାର୍ଯ୍ୟକାରୀ କରିଥାନ୍ତି । ବିଭିନ୍ନ ଯୋଜନାର ସୁଫଳ କିପରି ଜନସାଧାରଣ ପାଇପାରିବେ ଏବଂ ସେମାନଙ୍କ ମୁହଁରେ ହସ ଫୁଟିବ ସେଥିପାଇଁ ପ୍ରଶାସକମାନେ ଦାୟିତ୍ୱ ସଂପନ୍ନ ସହ ଯତ୍ନବାନ ହୋଇ କାର୍ଯ୍ୟକରିବା ଉଚିତ । ଆଗାମୀ ଦିନରେ ପ୍ରଶାସକଙ୍କୁ ଏଥିପାଇଁ ସଚେତନ କରାଇବା ଦିଗରେ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ନିଜର ପୁଅଝିଅଙ୍କୁ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ସେବା କରିବା ପାଇଁ ପ୍ରେରଣା ଯୋଗାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି ।
ରାଷ୍ଟ୍ର ନିର୍ମାଣରେ ପ୍ରଶାସକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ବିକଶିତ ଓଡ଼ିଶା – ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ପିତାମାତା ପିଲାମାନଙ୍କୁ ଅନୁପ୍ରେରିତ କରିବା ପାଇଁ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ଶତପଥୀ ବକ୍ତବ୍ୟ ପ୍ରଦାନ କରି ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ନିଷ୍ଠା, ସଚ୍ଚୋଟତାକୁ ପାଥେୟକରି ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟକରି ନିଜର ଓ ପଦର ମର୍ଯ୍ୟାଦା ବଢାଇବା ନିମନ୍ତେ ପିତାମାତା ମାର୍ଗଦର୍ଶନ କରାଇବାକୁ କହିଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ସ୍ୱାଗତ ଭାଷଶ ପ୍ରଦାନ କରିବା ସହ ସଂବର୍ଦ୍ଧନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଭାରତୀୟ ବନସେବା ପରୀକ୍ଷାର ୧୯ଜଣ କୃତୀ ପରୀକ୍ଷାର୍ଥୀଙ୍କ ପିତାମାତାଙ୍କୁ ରାଜ୍ୟପାଳ ଉପଢୋକନ ପ୍ରଦାନ କରି ସଂବର୍ଦ୍ଧିତ କରିଥିଲେ ।