ବରପାଲି-ବରପାଲି କେଡି ଭବନ ପରିସରରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୯୯୯ ବ୍ୟାଚର ଛାତ୍ରମାନଙ୍କ ଏକ ବନ୍ଧୁମିଳନ ସମାରୋହ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଛାତ୍ର ମାନେ ସିଲଭର୍ ଜୁବଲି ସହ ଗୁରୁପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରାରମ୍ଭରୁ ନିମନ୍ର୍ତିତ ଗୁରୁମାନଙ୍କ ଦ୍ବାରା ମାଁ ସମଲେଇଶ୍ବରୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମାରୋହକୁ ଇଦ୍ଘାଟନ କରିଥିଲେ। ପରେ ଛାତ୍ର ମାନେ ଗୁରୁ ମାନଙ୍କ ପାଦଧୋଇ ପୂଜାର୍ଚ୍ଚନା କରିଥିଲେ। ଛାତ୍ର ନୀଳ ମାଧବ ସାହୁଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ଛାତ୍ରମାନେ ଗୁରୁଶିଷ୍ୟ ପରମ୍ପରା ଏବଂ ଭାବଧାରା ଉପରେ ମତବ୍ୟକ୍ତ କରିଥିଲେ।
ପ୍ରାକ୍ତନ ପ୍ରଧାନଶିକ୍ଷକ ବିଶି କେଶନଙ୍କ ସମେତ ପୂର୍ବତନ ଶିକ୍ଷକ ମଛିନ୍ଦ୍ର ମଲ୍ଲିକ ଓ ରାଜମଣି ସାହୁ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ଯମରେ ସମ୍ମାନିତ କରାଯାଇଥିଲା। ପରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ଛାତ୍ରବନ୍ଧୁ ମାନଙ୍କ ପୁଅଝିଅ ମାନେ ମଧ୍ଯ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ଛାତ୍ର ସତ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ୧୫ ଜଣ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ୧୦୦ ଜଣ ଛାତ୍ର ମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ।