ଜଣକୁ ପୁରଷ୍କାର ଆଉ ଜଣକୁ ତିରଷ୍କାର ।
ଫେଲ ମାରିଛି ଆସ ସ୍କୁଲ ଯିବା ଅଭିଯାନ ।
ପଦ୍ମପୁର – ସାରା ଭାରତ ବର୍ଷରେ ଦିଲ୍ଲୀରୁ ନେଇ ପଲ୍ଲୀ ସବୁଠି ଉତ୍ସବ ମୁଖର ସହ ଧୁମ୍ ଧାମ୍ ରେ ୭୯ତମ ସ୍ୱାଧିନତା ଦିବସ ପାଳନ ହେଇଛି । ଇଂରେଜ ସରକାର କବଳରୁ ସ୍ୱାଧିନତା ପାଇବା ପାଇଁ କିଭଲି ଭାବରେ ସ୍ୱାଧିନତା ସଂଗ୍ରାମୀ ମାନେ ନିଜର ଜୀବନକୁ ବଳିଦାନ ଦେଇଛନ୍ତି ତଥା ସାଧାରଣ ଜନତା କିଭଲି ନିଜର ମୌଳିକ ଅଧିକାର ପାଇପାଇବେ ସେଥି ପାଇଁ ବହୁ ସଂଗ୍ରାମୀ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାହାର ଗାଥା ଆଜି ଦେଶର କୋଣ ଅନୁକୋଣରେ ଲୋକଙ୍କୁ ଅବଗତ କରାଯାଉଛି । ବର୍ତ୍ତମାନ ସମୟରେ କୌଣସି ମଣିଷ ନିଜ ମୌଳିକ ଅଧିକାର ଯେପରି କି ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟରୁ ବଞ୍ଚିତ ନହେଉ ସେଥି ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

ହେଲେ ପଦ୍ମପୁର ଉପଖଣ୍ଡସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଲିଥିଲା । ପଦ୍ମପୁର ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହି ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା ପୁରଷ୍କୃତ କରୁଥିବା ସମୟରେ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ତଥା ଭିକ ମାଗି ପେଟ ପୋଷୁଥିବା ଦୁଇଜଣ ନାବାଳିକା ପୁରଷ୍କାର ବିତରଣ ଉତ୍ସବ ନିକଟକୁ ଆସିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉପସ୍ଥିତ ସରକାରୀ କର୍ମଚାରୀ ମାନେ ସେଠାରୁ ବିତାଡିତ କରିଥିଲେ ।

ଦେଶ ୭୯ତମ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଏଭଲି ହୃଦୟବିଦାରକ ଦୃଶ୍ୟ ଆମକୁ ପରାଧିନ ରହିଥିବା ଭଲି ମନେ ହେଉଛି । ଏଠି ଜଣେ ପିଲା ଭଲ ପାଠ ପଢୀ ଭଲ ନମ୍ବର ରଖି ଉତ୍ସାହିତ ହେଉଛି ହେଲେ ଅନ୍ୟପଟେ ସେହି ସମାନ ବୟସର ପିଲା ଜୀବନ ବଂଚିବା ପାଇଁ ସଙ୍ଗର୍ଷ କରୁଛି । ପାଠ ପଢା ଛାଡି ପେଟ ପାଟଣା ପାଇଁ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି । ସ୍କୁଲ ବ୍ୟାଗ ଝୁଲିବା କାନ୍ଧରେ ଝୁଲୁଛି ସାଧା ମୁଣା, ଯେଉଥିରେ କିଛି ଭିକ ପାଇଲେ ଭର୍ତ୍ତୀ କରି ନେବେ ଓ ପେଟ ପାଟଣା ହବ । ତେବେ ସରକାରଙ୍କ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ପଦ୍ମପୁରରେ କେତେ ସଫଳ ହୋଇଛି ଏହି ଚିତ୍ର ତାହାର ପ୍ରମାଣ ପ୍ରଦାନ କରୁଛି । ଏହି ସମୟରେ ଉପଖଣ୍ଡସ୍ତରୀୟ ତଥା ବ୍ଳକ ସ୍ତରୀୟ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।




