ବରପାଲି-ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ସରସ୍ଵତୀ ମହିଳା ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଶନିବାର ସରସ୍ଵତୀ ସଂଘ ଓ ସହଯୋଗୀ ତପସ୍ଵିନୀ ନବସାଧନା କେନ୍ଦ୍ର, ନିଉ ଦିଲ୍ଲୀ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। ଉତ୍ସବରେ ଆମନ୍ର୍ତୀତ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପୂର୍ବତନ ସାଂସଦ ଡ଼. ପ୍ରଭାସ କୁମାର ସିଂହ, ତପସ୍ୱିନୀ ନବସାଧନା ନିଉଦିଲ୍ଲୀର ନିର୍ଦ୍ଦେଶକ ସ୍ନିଗ୍ଧା ନନ୍ଦ ଓ ସ୍ପେସିଆଲ ଅଲମ୍ପିକସ ଭାରତ ଓଡିଶାର କୋଚ୍ ଉମାକାନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ଵଳନ ମାଧ୍ୟମରେ କାର୍ଯ୍ଯକ୍ରମ ଉଦଘାଟିତ ହୋଇଥିଲା।
ସଂଘ ଉପ ସଭାପତି ଘରଯୁଗୀ ଗଡତିଆଙ୍କ ସଭାପତିତ୍ଵରେ ଅନୁଷ୍ଠାନର ସଭ୍ୟା ସୁମନା ଦାଶ ସ୍ଵାଗତ ଅଭିଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଂପାଦିକା ସୁନିତା ମୁଣ୍ଡ ରୌପ୍ୟ ଜୟନ୍ତୀ ବିବରଣୀ ଉପସ୍ଥାପନ କରିଥିଲେ । ପରେ ଡ.ପ୍ରଭାସ ସିଂହ ତାଙ୍କ ବକ୍ତବ୍ୟରେ ସମାଜରେ ଅବହେଳିତ ମାନଙ୍କ ଥଇଥାନ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ l କୋଚ୍ ଉମାକାନ୍ତ ଷଡଙ୍ଗୀ ଜାତୀୟ ସ୍ତରରେ ଏ ଅନୁଷ୍ଠାନର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ବିଜେପୁର ବିଧାୟକ ସନତ ଗଡ଼ତିଆ ତାଙ୍କ ଅଭିଭାଷଣରେ ଅଞ୍ଚଳର ନାରୀ ଓ ଅବହେଳିତଙ୍କ ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୁତି ଦେଇଥିଲେ l
ନିବେଦିତା ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିଗଣ ସରସ୍ବତୀ ପତ୍ରିକାକୁ ଉନ୍ମୋଚନ କରିବା ସହ ଡ଼. ପ୍ରଭାସ କୁମାର ସିଂହ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସତ୍ୟାନନ୍ଦ ପାଣ୍ଡେ ଦେବାନନ୍ଦ ଖଟୁଆ, ମଞ୍ଜୁଲତା ଦାଶ, ଜଳନ୍ଧର ପଟେଲ ଓ ଦେବଦତ୍ତ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ସହ ଜଡିତ ରହିଥିବା ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ସ୍ଵତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ବାର୍ଷିକ କ୍ରୀଡ଼ାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ହୋଇଥିଲା । ଶେଷରେ ସ୍ପେସିଏଲ୍ ଅଲମ୍ପିକ୍ ୟୁନିଫାଏଡ୍ ବିଦ୍ୟାଳୟ ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ୍, ରେମେଡ଼ିଆଲ କ୍ଲାସ ଓ ସରସ୍ଵତୀ ଭିନ୍ନକ୍ଷମ ତାଲିମ୍ କେନ୍ଦ୍ର ର ପିଲାମାନେ ମିଳିତ ଭାବେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଂଘ ସଭ୍ୟା ଡ଼ା.ସୁସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସରସ୍ଵତୀ ସଂଘର କର୍ମକର୍ତ୍ତା ଓ ସଭ୍ୟା ଗଣ ସାହାଯ୍ୟ କରିଥିଲେ ।