Tuesday, January 28, 2025
spot_imgspot_imgspot_img
Homeରାଜ୍ୟଶ୍ରୀ ଶ୍ରୀ ନୃସିଂହନାଥ ଓ ବୈଶାଖ ମେଳା ।

ଶ୍ରୀ ଶ୍ରୀ ନୃସିଂହନାଥ ଓ ବୈଶାଖ ମେଳା ।

ଆମ ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ସଦୃଶ ନୃସିଂହନାଥ(ମାର୍ଜାର-କେଶରୀ) ମଧ୍ୟ ରହସ୍ୟମୟ ଦେବତା । ପୁରାଣ ବର୍ଣିତ ଭଗବାନ ବିଷ୍ନୁଙ୍କ ଦଶଅବତାର ମଧ୍ୟରୁ ନୃସିଂହ ଅବତାର ଅନ୍ୟତମ । ଭକ୍ତ ପ୍ରହଲ୍ଲାଦଙ୍କ ପ୍ରାର୍ଥନା କ୍ରମେ ଖମ୍ବରୁ ନୃସିଂହ ଭଗବାନ ବାହାରି ହିରଣ୍ୟକଶ୍ୟପକୁ ବଧ କରିଥିଲେ । ମାତ୍ର ଭିନ୍ନ ପରିକଳ୍ପନା କ୍ରମେ ମାର୍ଜାର କେଶରୀ ରୂପି ଭଗବାନ ବିଷ୍ନୁ ପୁଜାପାଉଛନ୍ତି ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ସ୍ଥିତ ଗନ୍ଧମାର୍ଦନ ପାହାଡ ଉପରେ ଅବସ୍ଥିତ ନୃସିଂହନାଥ ମନ୍ଦିର ଠାରେ । ଏହି ଦେବତା ଦଶଅବତାର ବର୍ଣିତ ଉଗ୍ର ନୃସିଂହ ନୁହନ୍ତି, ଏହା ଆଦିବାସୀ ପରିକଳ୍ପିତ ଦେବତା । ପରମ୍ପରା, ସଂସ୍କୃତି, ଐତିହ୍ୟ, ମନ୍ଦିର ସ୍ଥାପତ୍ୟ କଳା, ଆଧ୍ୟାତ୍ମିକ ଚିନ୍ତନ, ପ୍ରାକୃତିକ ସୈାନ୍ଦର୍ଯ୍ୟ ଆଦି ଦୃଷ୍ଟିରୁ ସମଗ୍ର ଭାରତ ବର୍ଷରେ ଏହି ବୈଷ୍ନବ ଧର୍ମପିଠ ପ୍ରସିଦ୍ଧ ଅଟେ । ଏହାର ଶିଳାଲେଖ ମଧ୍ୟ ଓଡିଆ ଲିପି ଓ ଭାଷା ବିବର୍ତନର ଇତିହାସ ବହନ କରେ ।
ଭଗବାନ ବିଷ୍ନୁ ମୂଷିକ ଦୈତ୍ୟଙ୍କ ଦାଉରୁ ପୃଥିବୀକୁ ରକ୍ଷା କରିବା ପାଇଁ ବିରାଡି ରୂପରେ ଆବିର୍ଭାବ ହୋଇ ନୃସିଂହ ଅବତାର ହୋଇଛନ୍ତି । ବିରାଡି ରୂପରେ ମୂଷିକ ଦୈତ୍ୟକୁ ସର୍ବଦା ଜଗିରହିବା ଅର୍ଥାତ୍ ପୃଥିବୀ ପୃଷ୍ଠରୁ ଅନ୍ୟାୟ, ଦୂର୍ନିତୀ ରୂପକ ରାକ୍ଷସ ଶକ୍ତିର ବିନାଶ ନିମନ୍ତେ ସର୍ବଦା ସତତ ଚେଷ୍ଟିତ ହେବା ଅଥବା ସଚେତନ ରହିବା ଭଳି ବିରଳ ପରିକଳ୍ପନାର ଚମତ୍କାର ନିଦର୍ଶନର ପବିତ୍ର ପିଠ ହିଁ ଏହି ନୃସିଂହନାଥ ମନ୍ଦିର । ଏଠାରେ ଭଗବାନଙ୍କ ସିଂହ ଶରୀର ଓ ମାର୍ଜାର(ବିରାଡି)ର ମୁହଁ ରୂପରେ ପୁଜା ପାଇବାର ବିରଳ ଦୃଶ୍ୟାବଳୀ ଆମ ଦେଶର ଆଉ କୈାଣସିଠାରେ ନାହିଁ । କିମ୍ବଦନ୍ତୀ କହେ ମାଳତୀ ନାମ୍ନି କନ୍ୟା ସହିତ ଉଭୟ ରାବଣ ଏବଂ ଇନ୍ଦୁରଦୈତ୍ୟର ସଂଗମ ଫଳରେ ମାନବ ସ୍ୱରୂପ ଏବଂ ମୂଷିକାନୁରୂପ ହୋଇ ମୂଷିକ ଦୈତ୍ୟର ଜନ୍ମ ହୋଇଥିଲା । ଭଗବାନ ଶିବଙ୍କ ଠାରୁ ମୂଷିକ ଦୈତ୍ୟ ବରଲାଭ କରି ଅତ୍ୟାଚାର କରିବା ପରେ ଏହା ଅସହ୍ୟ ହେବାରୁ ଦେବତାଙ୍କ ପ୍ରାର୍ଥନା କ୍ରମେ ସ୍ୱୟଂ ରାମଚନ୍ଦ୍ର ମୁଷିକ ଶତୃର ପ୍ରତୀକ ଭାବରେ ମାୟାକ୍ରମେ ମାର୍ଜାର ରୁପରେ ଅବତାର ହୋଇ ଦୈତ୍ୟକୁ ଗୋଡାଇବା ବେଳେ ଦୈତ୍ୟ ଗିରିରାଜର ସରଣାପନ୍ନ କ୍ରମେ ଗନ୍ଧଗିରି ପର୍ବତରେ ମୂଷିକ ଭାବରେ ଆତ୍ମଗୋପନ କରିବା ପରେ ମାର୍ଜାର ରୂପି ଭଗବାନ ସେଠାରେ ଛକିରହିଲେ । ପାହାଡର ଦକ୍ଷିଣ ପଟେ ଶ୍ରୀରାମ ଅନୁଜ ଲକ୍ଷ୍ମଣ ‘ହର’ ଭାବେ ବଲାଙ୍ଗିର ଜିଲ୍ଲା ସିମାନ୍ତରେ ଅବସ୍ଥିତ ହରିଶଙ୍କର ପିଠରେ ଦୈତ୍ୟକୁ ଜଗିବସିଛନ୍ତି । ଏହାପରେ ଏକଦା ଜମୁନା ନାମ୍ନୀ କନ୍ଧ ମହିଳା ଜଙ୍ଗଲରେ କନ୍ଦା ସଂଗ୍ରହ କରୁଥିବା ବେଳେ ପ୍ରଭୃ ନୃସିଂହନାଥଙ୍କ ସନ୍ଧାନ ପାଇଥିଲା ଏବଂ ଉକ୍ତ ଦିନରୁ ଏଠାରେ ଭଗବାନଙ୍କ ପୂଜା କରାଯାଇ ଆସୁଅଛି । ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ, ଦ୍ୱାପର ଯୁଗରେ ପଂଚୁପାଣ୍ଡବ ବନବାସ ସମୟରେ ଏଠାରେ କିଛିଦିନ ବିତାଇଥିବା କଥା କନ୍ଧ କବି ଯୁଗଦାସ ତାଙ୍କର ନୃସିଂହ ଚରିତରେ ଉଲ୍ଲେଖ କରିଛନ୍ତି ।
ଐତିହାସିକ ମାନେ ନୃସିଂହନାଥ ଓ ଗନ୍ଧମାର୍ଦନ ସହିତ ବୌଦ୍ଧଧର୍ମର ସମ୍ପର୍କକୁ ଅବତାରଣା କରିଛନ୍ତି । ଚିନ୍‌ପରିବ୍ରାଜକ ହୁଏନ୍ ସାଂ ତାଙ୍କର ଭ୍ରମଣ ବୃତାନ୍ତରେ ଗନ୍ଧମାର୍ଦ୍ଦନକୁ ପ-ଲୋ-ମ-ଲୋ-କି-ଲି ର ଚିହ୍ନୋଟ କରିଛନ୍ତି । ଯାହାର ଅର୍ଥହେଲା ‘ପରିମଳ ଗିରି’ । କାଳକ୍ରମେ ତାହା ଗନ୍ଧଗିରି ଓ ଗନ୍ଧମାର୍ଦନ ଭାବରେ ପରିଣତ ହେଲା । ଚାର୍ଲସ ଫେବ୍ରି, ଡ. ନବୀନ କୁମାର ସାହୁ, ଡୋନାଲଡସନ୍‌ଙ୍କ ଭଳି ଐତିହାସିକଙ୍କ ମତାନୁସାରେ ଦ୍ୱିତୀୟରୁ ଅଷ୍ଟମ ଶତାଦ୍ଧି ଯାଏ ଗନ୍ଧମାର୍ଦନ ରାଜା ସାତକର୍ଣି ଙ୍କ ସହାୟତାରେ ବୌଦ୍ଧ ସନ୍ୟାସୀ ନାଗାର୍ଜୁନ ଏଠାରେ ବୋଦ୍ଧ ବିହାର ପ୍ରତିଷ୍ଠା କରାଇଥିଲେ । ମନ୍ଦିର ଭିତରେ ଥିବା ଚାରୋଟି ସ୍ତମ୍ବ ବୈାଦ୍ଧଯୁଗିୟ ‘ମାନେରିଜମ୍‌’ କଳାର ଶ୍ରେଷ୍ଠ ନିଦର୍ଶନ ବୋଲି କହିଛନ୍ତି ଫବ୍ରେି ସାହେବ । ନୃସିଂହନାଥରେ ବୈାଦ୍ଧ, ଶୈବ, ଶାକ୍ତ ତଥା ତନ୍ତ୍ର ମତବାଦର ସହାବସ୍ଥାନ କଥା ଡ. ଚିତ୍ରସେନ ପଶାୟତ ତାଙ୍କର ‘ହିଷ୍ଟି ଅଫ୍ ଟ୍ରାଇବାଲ୍ ସୋସାଇଟି ଓ କଲଚର୍‌’ ବହିରେ ଉଲ୍ଲେଖ କରିଛନ୍ତି । ଏହା ସମଗ୍ର ଓଡିଶାର ଏକ ସାଂସ୍କୃତିକ ଐତିହ୍ୟ ଓ ସମ୍ପଦ ରୂପେ ବିବେଚିତ ବୋଲି ପ୍ରଖ୍ୟାତ ସାହିତିକ ସୁରେନ୍ଦ୍ର ମହାନ୍ତି ମତଦେଇଛନ୍ତି । ଆହୁରି ସେ କହିଛନ୍ତି ଯେ ନରସିଂହନାଥ ଶିଳାଳିପି ଓଡିଆ ଭାଷା ଓ ଲିପିର ପ୍ରାଚୀନତମ ନିଦର୍ଶନ । ସମ୍ବଲପୁର ଇତିହାସର ଲେଖକ ୰ଶିବପ୍ରସାଦ ଦାଶଙ୍କ ମତ ଅନୁସାରେ ଦେବନାଗରୀରୁ ଓଡିଆ ଲିପିର ବିକାଶ କାଳରେ ଏହି ଶିଳାଲେଖଟି ଖୋଦିତ । ୧୮୮୧ ମସିହାରେ ସର୍ବପ୍ରଥମେ ବିଶିଷ୍ଟ ପ୍ରତ୍ନତତ୍ୱବିତ୍ ଶ୍ରୀ ବେଗ୍‌ଲାର୍ ନୃସିଂହନାଥ ମନ୍ଦିରକୁ ପରିଦର୍ଶନରେ ଆସି ତାର ଶିଳାଳିପିକୁ ଅନୁଧ୍ୟାନ କରିଥିଲେ । ୧୩୫୭ ରୁ ୧୪୭୮ମସିହା ମଧ୍ୟରେ ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିବା ଶିଳାଲେଖରୁ ସୂଚନା ମିଳେ । ଜିଆର୍ ଭଣ୍ଡାରେକର୍‌ଙ୍କ ମତାନୁସାରେ ଏହି ମନ୍ଦିର କୋଣାର୍କ ମନ୍ଦିରର ସମକାଳୀନ ଅଟେ ଏବଂ ବୈଚିତ୍ର‌୍ୟ କାରୁକାର୍ଯ୍ୟପୁର୍ଣ ଅଟେ । ଶ୍ରୀ ନୃସିଂହନାଥ ତୀର୍ଥକ୍ଷେତ୍ରର ମାହାତ୍ମ୍ୟ, କଥା, କିମ୍ବଦନ୍ତୀ ଇତ୍ୟାଦିକୁ ସଂଗ୍ରହ କରି ପ୍ରାୟ ଅଷ୍ଟାଦଶ ଶତାଦ୍ଦିର ମଧ୍ୟ ଭାଗରେ କନ୍ଧକବି ଯୁଗ ଦାସ ‘ନୃସିଂହ ଚରିତ’ ପୋଥିଟିଏ ରଚନା କରିଥିଲେ । ଏହାକୁ ପରବର୍ତି ସମୟରେ ସ୍ୱର୍ଗତ ସାହିତିକ ନାରାୟଣ ପୃଷେଠ ସଂଗ୍ରହ କରି ପ୍ରକାଶିତ କରାଇଥିଲେ । ଏହାପରେ ୧୯୦୮ ମସିହାରେ କନ୍ଧ କବିଙ୍କ ପୋଥିକୁ ଅନୁକରଣ ପୁର୍ବକ ବୋଡାସମ୍ବର ଜମିଦାର ଲାଲ ରାଜେନ୍ଦ୍ର ସିଂ ବରିହାଙ୍କ ରଚିତ ‘ନୃସିଂହ ମାହାତ୍ମ୍ୟ’ ପ୍ରକାଶ ପାଇଲା ।
ଏଠାରେ କପିଳ ମୁନିଙ୍କ ଆଶ୍ରମ, ବୈାଦ୍ଧ ସନ୍ୟାସୀଙ୍କ ବୈାଦ୍ଧ ବିହାର ଥିବାର ପ୍ରମାଣ ମିଳେ । ପାପହାରିଣୀ ଝରଣା, ଭିମଧାର, ଗୋକୁଣ୍ଡ, ଗୁପ୍ତ ଧାର, ସୀତାକୁଣ୍ଡ, ପଂଚୁପାଣ୍ଡବ ଘାଟ ସମେତ ସବୁଜିମା ଜଂଗଲ ଅଧ୍ୟୁକ୍ଷିତ ପ୍ରାକୃତିକ ସୈାନ୍ଦର୍ଯ୍ୟ ମଣ୍ଡିତ ଉକ୍ତ ସ୍ଥାନର ମାହାତ୍ମ୍ୟ ଏବେ ମଧ୍ୟ କିଛି କମନୁହେଁ । ଏହାକୁ ଛତିଶଗଡର ଗଙ୍ଗା କୁହାଯାଏ । ଏଠାରେ ଅସ୍ଥି ବିଷର୍ଜନ, ପିତୃଶ୍ରାଦ୍ଧ, ଗୋରୁ ଦୋଷ, ସୁରାପାନ, ମାତୃହରଣ ପ୍ରଭୃତି ପ୍ରାୟଶ୍ଚିତ, ବିବାହ, ବ୍ରତ, ମୁଣ୍ଡନ ସମେତ ପ୍ରତ୍ୟହ ବିଭିନ୍ନ ପ୍ରକାର ଧାର୍ମିକ ସାମାଜିକ ଅନୁଷ୍ଠାନ କରାଯାଇଥାଏ । ଓଡିଶାର ପଶ୍ଚିମାଂଚଳରେ ଛତିଶଗଡ ରାଜ୍ୟର ସୀମାକୁ ଲାଗି ବରଗଡ, ବଲାଙ୍ଗିର, ନୂଆଁପଡା ଏହି ତିନୋଟି ଜିଲ୍ଲାରେ ୯୭ କିମି. ବ୍ୟାପି ଏହି ପର୍ବତମାଳା ଦୃଶ୍ୟମାନ । ୩୪୭୯ ଫୁଟ୍ ଉଚ୍ଚ ଏହି ପର୍ବତ ଏବଂ ପାହାଡ ମଧ୍ୟରେ ହରିଶଙ୍କର ଓ ନୃସିଂହନାଥର ଦୂରତା ହେଉଛି ୧୮ କିଲୋମିଟର । ପୁରାଣ ଅନୁସାରେ ବିଶଲ୍ୟକରଣୀ ଗଛ ଆଣିବାକୁ ଯାଇ ହନୁମାନ ନେଇ ଆସିଥିବା ଗନ୍ଧମାର୍ଦ୍ଧନରୁ ଖଣ୍ଡେ ଏଠାରେ ଖସିପଡି ଏହି ପର୍ବତମାଲାର ଉତ୍ପତି । ଏଠାରେ ପ୍ରାୟ ୨୦୦୦ପ୍ରକାରର ବନୌଷଧୀ ଗଚ୍ଛିତ ଅଛି । ୨୫୬ପ୍ରକାରକୁ ଦୁର୍ଲ୍ଲଭ ବନୈାଷଧି ବୋଲି ଉଦ୍ଭିଦବିତ୍ ମାନେ ଚିହ୍ନୋଟ କରିଛନ୍ତି । ୨୨ଟି ଚିରସ୍ରୋତା ଝରଣା, ଅଙ୍ଗ ନଦୀ, ସୁକ୍‌ତେଲ୍‌ନଦୀ ଏହି ପାହାଡ ଦେହରୁ ଉତ୍ପତି ହୋଇଛି । ୫୦ହଜାରରୁ ଅଧିକ ଜନଜାତିର ଅଧିବାସୀମାନେଁ ଯୁଗ ଯୁଗ ଧରି ଏହି ପାହାଡ ଉପରେ ନିର୍ଭର କରି ଚଳୁଛନ୍ତି ।
ପ୍ରତିବର୍ଷ ବୈଶାଖ ଶୁକ୍ଲ ଏକାଦଶୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ ଏଠାରେ ବୈଶାଖ ମେଳା ଅନୁଷ୍ଠିତ ହୁଏ । ବୈଶାଖ ମେଳାରେ ରାଜ୍ୟ ତଥା ପଡୋଶୀ ଛତିଶଗଡ ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୁଏ । ଅନ୍ୟ ଯାତ୍ରା ମାନଙ୍କ ଭଳି ପ୍ରତ୍ୟେକ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥାଏ ମାତ୍ର ପାରମାଂରିକ ଆୟୁର୍ବେଦିୟ ଚେରିମୂଳିର ଲମ୍ବା ପସରା ବସିଥାଏ । ଚତୁର୍ଦ୍ଦଶୀ ଦିନ ବହୁ ଭକ୍ତ ନୃସିଂହ ବ୍ରତ ରଖିଥାନ୍ତି । ପୁରାଣ କୁହେ ସୃଷ୍ଟି ସ୍ରିଜିନା ପୂର୍ବରୁ ବ୍ରହ୍ମା, ତ୍ରିପୁରା ଅସୁରକୁ ମାରିବା ପୁର୍ବରୁ ଶିବ ମଧ୍ୟ ଏହି ବ୍ରତ ରଖିଥିଲେ । ବୈଶାଖମେଲାର ଇତିହାସ, ମାହାତ୍ମ୍ୟ, ବ୍ୟବସ୍ଥା ଇତ୍ୟାଦି ଉପରେ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ ।
ତେବେ ପୂଣ୍ୟ ପିଠ ଶ୍ରୀ ନୃସିଂହନାଥ କେବଳ ଓଡିଶାର ନୁହେଁ ସମଗ୍ର ଭାରତ ବର୍ଷର ଏକ ଅମୂଲ୍ୟ କିର୍ତି । ଏହା ଯୁଗ ଯୁଗ ଧରି ଉତ୍କଳୀୟ ପରମ୍ପରା, ସଂସ୍କୃତି, ଐତିହ୍ୟକୁ ଉଦ୍‌ଜିବିତ କରିଆସିଅଛି । ଏହା ଭାଷା, ଜାତି,ଧର୍ମ, ସଂପ୍ରଦାୟର ଉଧ୍ୱର୍ରେ ମହାମିଳନ ପିଠ ଅଟେ । ଓଡିଶା ତଥା ଭାରତର ବିଭିନ୍ନ ତିର୍ଥ କ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ତିର୍ଥକ୍ଷେତ୍ର ମଧ୍ୟ ସଂଯୋଗ କରିବା ନିମନ୍ତେ ଟୁରିଷ୍ଟ ମ୍ୟାପ ବା ଗାଇଡ ଲାଇନ ରେ ବ୍ୟବସ୍ଥା ହେବା ଉଚିତ । ଦ୍ୱିତୀୟତଃ ଶ୍ରୀ ନୃସିଂହନାଥ ଓ ହରିଶଂକରକୁ ସଂଯୋଗ କରି ତଥା ରୋପ୍ ୱେ ଆଦି ମଧ୍ୟ ତିଆରିକରି ଏହି ଅଂଚଳକୁ ଆହୁରି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାର ବ୍ୟବସ୍ଥା କରିବା ନିମନ୍ତେ ସରକାରଙ୍କ ଯଥେଷ୍ଟ ଆନ୍ତରିକତା ରହିବା ଉଚିତ । ତୃତୀୟତଃ ଶିଳ୍ପାୟନ କି ଖଣି ଖାଦାନ ଚିନ୍ତା ମନରୁ ପୋଛିଦେଇ ଗନ୍ଧମାର୍ଦ୍ଦନର ସୂରକ୍ଷା କରାଯାଉ, କାରଣ ଥରେ ଧ୍ୱସଂ ହେଲେ ପୃଥିବୀରେ ଏଭଳି ଗନ୍ଧମାର୍ଦ୍ଦନ ଆଉ ଥରେ ସୃଷ୍ଟିକରାଯାଇ ପାରିବ ନାହିଁ । ତେଣୁ ଆଜିର ବୈଶାଖ ମେଲାରେ ପରିବେଶ ସୁରକ୍ଷା, ପ୍ରାକୃତିକ ଚିକିତ୍ସା ଇତ୍ୟାଦି ମାଧ୍ୟମରେ ମାନବ ସଭ୍ୟତାର ରକ୍ଷା କରିବାର ପ୍ରଚାର ପ୍ରସାର ହିଁ ଆହ୍ୱାନ ହେଉ ।

error: Content is protected !!