
ପଦ୍ମପୁର-ପଦ୍ମପୁର ଅଦିତି ବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ଉଦଘାଟନୀ ସମାରୋହରେ ବରିଷ୍ଠ ଆଇନଜୀବୀ ରାଧାବଲ୍ଲଭ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସଂପାଦକ ଆଦିତ୍ୟ ରଥ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ ଓ କୋଷାଧ୍ୟକ୍ଷ ରଘୁମଣି ପୁରୋହିତ ବାଣୀ ପଠନ କରିଥିଲେ।

ଅଧ୍ୟକ୍ଷା ଆଲାଦିନୀ ଦଲାଇ ବାର୍ଷିକ ବିବରଣୀ ପଠନ ଏବଂ ପ୍ରଶାସକ ଭରତ ସାହୁ ଆଗାମୀ ଶିକ୍ଷାବର୍ଷର ରୂପରେଖ ଉପସ୍ଥାପନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ମନୋଜ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂତନ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ। ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ମାନଙ୍କ ଆକର୍ଷଣୀୟ ପରିଧାନ ଓ ଉଚ୍ଚକୋଟୀର ନୃତ୍ୟ ଅଭିଭାବକ ଅଭିଭାବିକାଙ୍କ ମନ ମୋହିଥିଲା। ବିଦ୍ୟାଳୟର ଅପା ଭାଇ ମାନେ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରି ସଫଳ କରିଥିଲେ। ଶେଷରେ ସଦସ୍ୟ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


