ପଦ୍ମପୁର-ଗରିବ ଲୋକଙ୍କ ପାଇଁ ଟଙ୍କିକିଆ କ୍ଲିନିକ୍ ଯାହାର ସ୍ବପ୍ନ ଥିଲା, ଯାହାର ପ୍ରତିଟି ନିଃଶ୍ୱାସ ପ୍ରଶ୍ୱାସ କେବଳ ସାଧାରଣ ଜନତାଙ୍କ ନିରାମୟ ଜୀବନ କାମନା କରୁଥିଲା । ଯାହାଙ୍କ ହୃଦୟ କେବଳ ସମାଜର ଅବହେଳିତ ଲୋକଙ୍କ ପାଇଁ କାନ୍ଦୁଥିଲା ସେହି ମହିଅଶୀ ମହିଳା ଆଉ ଇହଧାମରେ ନାହାଁନ୍ତି । ବରଗଡ଼ ଜିଲ୍ଲା ପଦମପୁର ସହରରେ ସ୍ବର୍ଗୀୟା ଲାଜବନ୍ତି ଦେବୀଙ୍କ ଶୁଦ୍ଧିକ୍ରିୟା, ଦ୍ୱାଦଶାହ ଓ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେ ଏକାଧାରାରେ ଜଣେ ପରୋପକାରୀ, ମେଳାପୀ ତଥା ବନ୍ଧୁବତ୍ସଳ ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଜୁନ ୨୧ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ ଟା ସମୟରେ ରାୟପୁର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ୫ ପୁତ୍ର ବିଜୟ, ସୁରେଶ, ଡ. ରାଧାକୃଷ୍ଣ, ଡ. ଶଙ୍କର, ହରେଶ ରାମଚନ୍ଦାନି ଏବଂ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ ନିମିତ୍ତ ପଦ୍ମଶ୍ରୀ ହଳଧର ନାଗ,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଏବଂ ବହୁ ବନ୍ଧୁବର୍ଗ ଓ ପରିଜନ ଉପସ୍ଥିତ ରହି ଆଜି ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ନିଜ ମାଆ ସ୍ୱର୍ଗୀୟା ଲାଜବନ୍ତି ଦେବୀଙ୍କ ଠାରୁ ପ୍ରେରଣା ପାଇ ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ଶଙ୍କର ରାମଚନ୍ଦାନୀ ଟଙ୍କିକିଆ କ୍ଲିନିକ୍ ଖୋଲିଥିଲେ । ସ୍ୱର୍ଗିୟା ଲାଜବନ୍ତି ଦେବୀଙ୍କ ଦ୍ୱାଦଶାହରେହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପରିଶେଷରେ ସ୍ବର୍ଗତ ଲାଜବନ୍ତିଙ୍କ ସ୍ମୃତି ଅବସରରେ ଡ.ରାମଚନ୍ଦାନି ଓ ତାଙ୍କ ପରିବାର ତରଫରୁ ପଦ୍ମପୁର ସ୍ଥିତ କୁଷ୍ଠାଶ୍ରମରେ ବର୍ଷା ଦିନକୁ ଆଖି ଆଗରେ ରଖି ଛତା ବଣ୍ଟନ କରାଯାଇଥିଲା ।