କାଠ ଚାଲାଣରେ ଜୈନିକ ବନ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ !
ମୋତେ ଅଧିକାରୀଙ୍କୁ କହି ଟ୍ରାନ୍ସଫର କରିଦିଅନ୍ତୁ – ଫରେଷ୍ଟର।
ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଅଂଚଳରେ ଖଇର କାଠ ଚୋରାଚାଲାଣ କମିବାର ନାଁ ନେଉନି।ବନ ବିଭାଗର କିଛି କର୍ମଚାରୀଙ୍କ ସଲାସୁତୁରାରେ ଖଇର କାଠ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଲରମ୍ଭା ସେକ୍ସନ ଠାରୁ ଅନତି ଦୂର ବାନ୍ଧନମାଲ ଗାଁ ର ବ୍ରାହ୍ମଣୀ ଜଙ୍ଗଲରେ କାଠ ମାଫିଆ କାଠ କଟାଉଥିବା ଖବର ବଲାଙ୍ଗିର ଡ଼ିଏଫଓଙ୍କ ନିକଟକୁ ପହଞ୍ଚିଥିଲା।
ଡ଼ିଏଫଓ ପାଟଣାଗଡ଼ ରେଞ୍ଜ କର୍ମଚାରୀଙ୍କ ଉପରେ ଭରଷା ନ କରି ଲୋଇସିଂହା ଫରେଷ୍ଟ ରେଞ୍ଜ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ପରେ ସ୍ଥାନୀୟ ସେକ୍ସନ କର୍ମଚାରୀ ଉକ୍ତ ଜଙ୍ଗଲରେ ପହଂଚିଥିଲେ। ରାତି ତମାମ ଲରମ୍ଭା ସେକ୍ସନ କର୍ମଚାରୀ ବ୍ରାହ୍ମଣୀ ଜଙ୍ଗଲରେ ଜଗି ରହିଥିଲେ । ବୁଧବାର ଲରମ୍ଭା ଫରେଷ୍ଟର ବିରଞ୍ଚି କୁମ୍ଭାରଙ୍କୁ କାଠ ଜବତ ବିଷୟରେ ପଚାରିବାରୁ କାଠ ବିଷୟରେ କୌଣସି ସୂଚନା ନ ଦେଇ ଓଲଟା ଉପରିସ୍ଥ ଅଧିକାରୀଙ୍କୁ କହି ମୋତେ ଏଠାରୁ ଟ୍ରାନ୍ସଫର କରିଦିଅନ୍ତୁ ଓ ତାଙ୍କ ଗାଁ ଠାରୁ ନିଯୁକ୍ତି ସ୍ଥାନ ଦଶ କିଲୋମିଟର ଦୂରରେ ଥିବା କଥାକୁ ସ୍ୱୀକାର କରିଥିଲେ।
ଅପରପକ୍ଷରେ ଉକ୍ତ ଜଙ୍ଗଲରେ ଚାଲାଣ ପାଇଁ କଟାଯାଇଥିବା କାଠକୁ ବନ ବିଭାଗ ଜବତ କରିଥିବା ଜଣାପଡିଛି। ଉକ୍ତ କାଠ କୁ ଏକ ଟ୍ରାକ୍ଟର ମାଧ୍ୟମରେ ଅଫିସକୁ ଅଣାଯାଇଛି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାନୁସାରେ ପାଟଣାଗଡ଼ ଅଂଚଳର କାଠ ମାଫିଆଙ୍କ ମଧ୍ୟସ୍ଥିରେ ପଦ୍ମପୁର ଅଂଚଳର ଦୁଇ ଜଣ ମୁଖ୍ୟ କାଠ ମାଫିଆ ଏହି କାଠ ଚୋରାଚାଲାଣରେ ସମ୍ପୃକ୍ତି ରହିଛି। ଏଥି ସହ ବନ ବିଭାଗରେ କାର୍ଯ୍ୟରତ ଜୈନିକ କର୍ମଚାରୀଙ୍କ ଏହି କାରବାରରେ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ସମସ୍ତଙ୍କ ମିଳାମିଶାରେ ଏହି କାଠ ଚୋରାଚାଲାଣ ଚାଲିଛି ।
ଏଥିରେ ସ୍ଥାନୀୟ ରେଞ୍ଜ ଓ ସେକ୍ସନ ଅଧିକାରୀଙ୍କ ମଧ୍ୟ ଭାଗ ରହିଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।ଏ ଘଟଣାରେ ବିଧିବଦ୍ଧ ତଦନ୍ତ ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଙ୍କ ମଧ୍ୟରେ ଦାବି ହେଉଛି।ଏଥିସହ ଜଙ୍ଗଲ ରକ୍ଷା ତଥା ଜଙ୍ଗଲି ଜନ୍ତୁ ସୁରକ୍ଷା ପାଇଁ କାଠ ମାଫିଆଙ୍କୁ ତୁରନ୍ତ ବନ ବିଭାଗ ଗିରଫ କରିବାପାଇଁ ଦାବି ହେଉଛି।