ବୌଦ୍ଧ(ସାମୁନ ନାଏକ)-ହରଭଙ୍ଗା ବ୍ଲକ ବିଭିନ୍ନ ପଞ୍ଚାୟତରେ ପିସି କାରବାର ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ପିସି କାରବାର ଯୋଗୁଁ ଅଧିକାରୀ, ଜନପ୍ରତିନିଧି ଓ ଠିକାଦାରଙ୍କ ଔଧତ ଚରମସୀମାରେ ପହଁଚିଲାଣି । ଦୁର୍ନୀତି ପଦାକୁ ଆସୁଥିଲେ ବି ଉଚ୍ଚସ୍ତରୀୟ ଅଧିକାରୀ ମାନେ ଏହା ଉପରେ ପରଦା ପକାଇ ଅଧିକ ରୁ ଅଧିକ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ତାଙ୍କ ପ୍ରତିନିଧିଙ୍କ ଦ୍ଵାରା ପିସି ସଂଗ୍ରହ ହେଉଥିବା ଭଳି ସାଙ୍ଘାତିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତର ସରପଞ୍ଚ ପ୍ରବସିନୀ ଯୋଶୀଙ୍କ ସ୍ୱାମୀ ଶୁଭେନ୍ଦୁ ଯୋଶୀ ଜଣେ ଠିକାଦାରଙ୍କ ସହ ପିସି କାରବାର ନେଇ ମୁଲଚାଲ କରୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି।


ଲେବର ପେମେଣ୍ଟ ବାବଦରେ ହୋଇଥିବା ୨ ଲକ୍ଷ ୮୧ ହଜାର ୬ ଶହ ୮୭ ଟଙ୍କାରୁ ୨୦ ପ୍ରତିଶତ ପିସି ଓ ସାମଗ୍ରୀ ବାବଦରେ ୪ ଲକ୍ଷ ୬ ହଜାର ଶହେ ୧୦ ଟଙ୍କାରୁ ୪ ପ୍ରତିଶତ ପିସି ଦାବି କରିଛନ୍ତି ସରପଞ୍ଚଙ୍କ ସ୍ଵାମୀ । ସେହିପରି ଠିକାଦାର ମ୍ୟାଟେରିଆଲ ଯୋଗାଇବା ପାଇଁ ଏକ ସ୍ଥାନୀୟ ଭେଣ୍ଡର ଆକାଉଣ୍ଟ ପ୍ରଦାନ କରିଥିବା ବେଳେ ସରପଞ୍ଚଙ୍କ ସ୍ୱାମୀ ଶୁଭେନ୍ଦୁ ଦୁରାନ୍ତରେ ଥିବା ତାଙ୍କ ସମ୍ପର୍କୀୟ ଭେଣ୍ଡର ଆକାଉଣ୍ଟ ଦେଇଥିଲେ ।

ତେବେ ଉକ୍ତ ଭେଣ୍ଡର ମ୍ୟାଟେରିଆଲ ଠିକାଦାରଙ୍କୁ ମ୍ୟାଟେରିଆଲ ଯୋଗାଇ ନଥିବା ବେଳେ କେବଳ ପିସି ହାତେଇବା ପାଇଁ ସରପଞ୍ଚଙ୍କ ସ୍ୱାମୀ ଏଭଳି କରିଥିବା ଚର୍ଚ୍ଚା ହେଉଛି । ଆଗକୁ ବଡ଼ କାମ ଅଛି ଯଦି କନିଷ୍ଠ ଯନ୍ତ୍ରୀ, ଆସିଷ୍ଟ।ଣ୍ଟ ଇଞ୍ଜିନିୟର ଓ ପିଇଓଙ୍କ କଥା ହେବା ଓ ପରେ କାମ କଥା ହେବା ବୋଲି କହିବା ସହ ଇଚ୍ଛା ହେଲେ କାମ କରିବ ନଚେତ ଅନେକ ଲୋକ କାମ କରିବା ପାଇଁ ରହିଥିବା କହି ଠିକାଦାରଙ୍କୁ ଚେତାବନୀ ଦେଇଛନ୍ତି ସରପଞ୍ଚଙ୍କ ସ୍ୱାମୀ । ପୂର୍ବରୁ ପିସିକୁ ଅନେକ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ଭିଡ଼ିଓ ପିସି କାରବାର ଲମ୍ବା ହାତ ଥିବା ସୂଚାଉଛି ।

ଏନେଇ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉ କି ନିର୍ବାଚନ ପରଠାରୁ ଉକ୍ତ ପଂଚାୟତରେ ମହିଳା ସରପଞ୍ଚ କେବଳ ମାସିକ ବୈଠକରେ ଯୋଗ ଦେଉଥିବା ବେଳେ ତାଙ୍କ ସ୍ୱାମୀ କାର୍ଯ୍ୟାଳୟର ସବୁକାମ କରିବା ସହ କାହାକୁ କାମ ଦିଆଯିବ ଓ କେତେ ପିସି କାରବାର ହେବ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପିସି କାରବାର ଉପରେ ରୋକ ଲାଗିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।



