ଆଝିର୍ ମୋ’ର୍ ଗାଁନେ
ନୂଆଁଖାଇ ଆଇଛେ
ଗାଁ’ ଘର୍ କହଁରି ଯଉଛେ !
ଯେନ୍ ନେ ସକାଲ୍ ଆଏସି
ନଏଦ୍ ଖଁଡ଼ିର କାଏଁସ୍ଫୁଲେ ,
ଧାଡ଼ି ଧାଡ଼ି ମହୁଲ୍, ସର୍ଗୀ ଆରୁ ଶାଗୁଆନ୍ ଗଛେ ,
ବାଏର୍ ଆଡ଼ର୍ ମୁନ୍ଗା ଗଛେ
ଆଉର୍ ଓସ୍ ଭିଜା ଘାଁସ୍ ଫୁଲେ ।
ହଲ୍ଦୀବସନ୍ତ ଆଉର୍ ଚରେଇ ମାନ୍କର୍
ଚେରେମେଟେ ଶବଦ୍ ନେ
ପଣ୍କା ପଣ୍କେନର୍
ପେରେମ୍ ଗୀତ୍ ନେ,
ଯେନ୍ ନେ ବେଲ୍ ବୁଡ଼୍ସି
ଜହ୍ନି ଲହ, ବାଢୁନ୍ବୁଟା ତଲେ,
ଗାଈ ଗୁଠର୍ ଘର୍ମୁହାଁ ବାଟେ
ଗୁଡ଼ାକେ ଫିରୁଥିବାର୍
ଚରେଇ ମାନ୍କର୍ କଲର୍କାଲର୍ ନେ ।।
ସେ’ ଗାଁ’ ନେ
ଧାନ୍ ଆଁଟର୍ ଦର୍ପଚିଆ
ଧାନ୍ କେଁଡ଼ା ଦେଖିକରି
ମୁଲୁର୍ ମୁଲୁର୍ ହଁସୁଥିସି
ପାଚ୍ଲା ମେଛାକେ ସୁଆଁଲି ସୁଆଁଲି
ଝାଁକର୍ ଦଦା ।
ଗାଁ’ ସାରା ବାଁଟି ବୁଲ୍ବା ନୂଆଁ ଚୁରା,
ସୁଖର୍ ଦୁଃଖର୍ ଚର୍ଚା କର୍ବେ ,
ରୁଖବାଇ ତାର୍ ଛିଡ଼ା ପଟା ସାଙ୍ଗେ
ଜୁହ୍ନା କୁଲା, ଟୁପା, ଚାଙ୍ଗ୍ରୀ
ଫଟା ଚିରା କଁଥା କାଚି ଆନ୍ଲା ନ
ତାର୍ ପୁଓର୍ ଗୁନ୍ ସୁମ୍ରି ସୁମ୍ରି
ଯାଇଛେ ତ, ହାଇଦ୍ରାବାଦ୍ ଦାଦନ୍ ଖଟି
ଆଏବା କେରେ ଟଁକା ଧରିକରି
ସପନ୍ ଦେଖୁଛେ ।।
ମଙ୍ଗ୍ଲୁ କକା ମୁନା ଧରିକରି
ହରୋବଟୋ ହେଇ ହାଟ୍କେ ବାହାରୁଛେ
ଜୀବନ୍ ଜୀବ୍କା ନିଅଁଟ୍ ହେଲେ ବି’
ନୂଆଁଖାଇ ତିହାର୍ ଲାଗିର୍
ମୁନେ ଉସତ୍ ଘିନି ଆନ୍ବା ।
ମା’ର୍ ଲାଗି ସମ୍ବଲ୍ପୁରୀ ଶାଢ଼ୀ ,
ବୁଢ଼ୀ ବାଇର୍ ଲାଗି ଧମ୍ନାଧଡ଼ିଆ କପ୍ଟା,
ଗୁର୍, ନଡ଼ିଆ
କୁକ୍ରା ଚିମ୍ରା କେତେ କାଣା !
ମୋ’ର୍ ଗାଁ ଠାକ୍ରାନୀ
ମା’ ସମଲେଇ ନୁଆଁ ଚୁରା ଖାଏବେ
ଗାଁ’ ଟା ସାରା ଗୁଟେଠାନେ
ବସିକରି ନୁଆଁ ଖାଏମୁ
ଭେଟଘାଟ୍,ଢୋଲ୍,ନିଶାନ୍,ନାଚ୍ଗୀତ୍
ଖେଲ୍ କୁଦ୍ ଜାକ୍ଜମକ୍ ଥି….. ।।
ସଥେ,
ନୁଆଁଖାଇର୍ ବେଭାର୍
ଚାଲି, ଚଲନ୍, ମେଲନ୍, ମେସନ୍
ମଗ୍ମଗେଇ ଯାଏସି ଭାବର୍ କହଁରେ ।
ଇନେ ଭାବ୍ ଦିଆନିଆ ହେସି
ଜୁଲ୍କା ବାଟେ
ତୁନ୍ ଗିନା ଥି,
“ନୂଆଁଖାଇ ଜୁହାର୍ ” ନେ
ହଜି ଯାଏସି ଅପଟ୍ପଟ୍
ଡାଲ୍ଖାଇ, ରସର୍କେଲି ଗୀତର୍ ସୁରେ ମହମହ ମହକି ଯାଏସି ଚାରିକୁତି ।
ସଥେ ତ,
ମୋ’ର୍ ଗାଁ’ର୍ ନୂଆଁଖାଇ
ପୂର୍ଥି ସାରା
ଖୁଜ୍ଲେ ପାଏବ କାହିଁ ।।

ଡ. ଭାରତୀ ହୋତା,ଖରିଆର ରୋଡ଼, ନୂଆପଡ଼ା

