ବରଗଡ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜୟ କିସାନ ଆନ୍ଦୋଳନ ତରଫରୁ ବରଗଡ଼ ଗାନ୍ଧୀ ଛକ ଠାରେ ଚାଷୀମାନେ କଳା ବ୍ୟାଚ୍ ପିନ୍ଧି ସକାଳ ୧୦ ଟା ସମୟ ରୁ ୨ ଟା ପର୍ଯ୍ୟନ୍ତ ପ୍ରତିବାଦ ଧାରଣାରେ ବସି ସରକାରଙ୍କୁ ଧାନ ବିକ୍ରି ସଂକ୍ରାନ୍ତୀୟ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଓଡିଶା ସରକାର ପ୍ରଥମ କରି ଓଡିଶାର ଚାଷୀମାନଙ୍କୁ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ ସହାୟତା ଘୋଷଣାକୁ ସଂଗଠନ ତରଫରୁ ସ୍ବାଗତ କରାଯାଇଥିଲା। ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ ସୋହେଲା ଗସ୍ତ ସମୟରେ ଆଉ ତିନୋଟି ମୁଖ୍ୟ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଥିଲା।
ବର୍ତ୍ତମାନ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିମାନଙ୍କରେ ବେପାରୀ ଓ ମିଲରମାନଙ୍କ ରାଜତ୍ଵ ଚାଲିଛି ଏବଂ ମନ ଇଚ୍ଛା କଟଣି ଛଟଣି କାରବାର ଚାଲିଛି। କଟଣି ଛଟଣି ନ ହେଲେ ଧାନ ଉଠୁ ନାହିଁ । ଅସାଧୁ ମିଲର ମାନଙ୍କ ଏହି ଶୋଷଣକୁ ଡିଜିଟାଲ ଗ୍ରେନ୍ ଏନାଲାଇଜର୍ ମେସିନ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି। ଏହି ମେସିନ୍ ଚାଷୀମାନଙ୍କ ଅଧିକାଂଶ ଧାନକୁ ଅଯୋଗ୍ୟ ( ନନ୍ ଏଫ୍ ଏ କ୍ଯୁ) ଘୋଷଣା କରୁଛି। ଓଡିଶା ସରକାରଙ୍କ ଦ୍ୱାରା ପ୍ରଥମ କରି ଅଣାଯାଇଥିବା ଏହି ମେସିନ୍ ଚାଷୀମାନଙ୍କୁ ଭୟଭୀତ କରୁଛି ଏବଂ ମିଲରମାନଙ୍କୁ ଲୁଟ କରିବା ପାଇଁ ସାହାଯ୍ୟ କରୁଛି ବୋଲି ସଂଗଠନ ତରଫରୁ ଗମ୍ଭୀର ଆରୋପ ଅଣାଯାଉଛି ।
ସେଥିପାଇଁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଂଗରେ ଜବାବ ତଲବ କରିଛି । ଗ୍ରେନ୍ ଏନାଲାଇଜର୍ ମେସିନ କାହା ସ୍ବାର୍ଥ ରେ ଜବାବ ଦିଅ ? ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି କୁ କ୍ଷମତାଶୂନ୍ଯ କରି ଧାନ ବିକ୍ରି ପାଇଁ ଟୋକନ ସୃଷ୍ଟି ଓ ଭୁଲତୃଟି ସଂଶୋଧନ ଭୁବନେଶ୍ବର ସ୍ତରରେ କରିବା କାହା ସ୍ବାର୍ଥ ରେ ଜବାବ ଦିଅ ? ଧାନ ବିକ୍ରି ପାଇଁ ଅଖା ବସ୍ତା ସରକାର ନିଜେ ନଦେଇ ମିଲରମାନଙ୍କ ଉପରେ ଛାଡିଦେବା କାହା ସ୍ବାର୍ଥ ରେ ମୁଖ୍ୟମନ୍ତ୍ରୀ ଜବାବ ଦିଅ ? ଏପରି ତଳ ସ୍ତରରେ ଦେଖାଦେଇଥିବା ସମସ୍ୟାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଅବିଭାଷଣରେ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା।
ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରି ଛତିଶଗଡର ମଣ୍ଡି ବ୍ଯବସ୍ଥା ଭଲି ଓଡିଶାର ମଣ୍ଡି ବ୍ଯବସ୍ଥା କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିସାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ ,ଅରୁଣ କୁମାର ସାହୁ,ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ,ବରଗଡ଼ ବ୍ଲକ ସଭାପତି ସରୋଜ ପଧାନ, ଅତାବିରା ବ୍ଳକ ସଭାପତି ଭଞ୍ଜନ ବାରିକ, ସୋହେଲା ବ୍ଲକ ସଭାପତି ସୁରେନ୍ଦ୍ର ମେହେର, ଅରୁଣ ପ୍ରଧାନ, ମିନିଷ୍ଟର୍ ବାରିକ, ବିଜୟ ପ୍ରଧାନ,ଜିତୁ ବେହେରା ଧାନ ବିକ୍ରି ସମସ୍ୟା ଓ ତାର ସମାଧାନ ସରକାର କୁ ଆହ୍ୱାନ ଦେଇଥିଲେ।