ପାଇକମାଳ-ପାଇକମାଳ ଥାନା ଅନ୍ତର୍ଗତ ପୁରେନା ଗ୍ରାମରେ ଗୁରୁବାର ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତ ହୋଇ ଜଣେ ନାବାଳକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ ରଞ୍ଜିତ ଧରୁଆ(୮ବର୍ଷ) ଓ ସନୁ ଓରଫ ପଙ୍କଜ ଡ଼ନସନା(୧୧ବର୍ଷ)। ରଞ୍ଜିତକୁ ସାଙ୍ଗେ ସାଙ୍ଗେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିବା ବେଳେ ଆହତ ସନୁ ଓରଫ୍ ପଙ୍କଜକୁ ପାଇକମାଳ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ରଞ୍ଜିତର ନୂଆପଡ଼ାରେ ମୃତ୍ୟୁ ହୋଇଥିଲା।

ଶୁକ୍ରବାର ରଞ୍ଜିତର ଶବ ବ୍ୟବଚ୍ଛେଦ ପରେ ନୂଆପଡ଼ାରୁ ତାଙ୍କ ନିଜ ଗାଁ ପୁରେନା ଅଣାଯାଇଥିଲା। ଶୁକ୍ରବାର ପ୍ରଶାସନିକଙ୍କ ମଧରେ ଜାମସେଠ ରାଜସ୍ବ ନିରୀକ୍ଷକ ଥକିତ କୁମାର ନାୟକ ସ୍ବର୍ଗତ ରଞ୍ଜିତ ଘରକୁ ପହଞ୍ଚି ଏକ ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।ସେହିପରି ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ସୁଦନ ସୁନା,ଏବିଓ ଧଲେନ୍ଦ୍ର ବାରିକ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ।

ଏହା ସହ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁନା ସ୍ବର୍ଗତ ରଞ୍ଜିତ ପରିବାରଙ୍କୁ ୫୨୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍ବର୍ଗତ ରଞ୍ଜିତ ପୁରେନା ଗାଁ ସ୍କୁଲର ଦ୍ବିତୀୟ ଶ୍ରେଣୀ ଛାତ୍ରଥିଲେ। ନୂତନ ଭାବେ ଏ କିଛି ଦିନ ହେବ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିବା ଜଣେ ଶିକ୍ଷା ଅଧିକାରୀଙ୍କ ଏହି ମହାନତା କାର୍ଯ୍ୟ ନେଇ ଗ୍ରାମବାସୀ ପ୍ରଂସଶା କରିଛନ୍ତି।ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।


