
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ରୌପ୍ୟ ଜୟନ୍ତୀ ସମାରୋହରର ଉଦଯାପନି ଦିବସରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ମାଟି ମାଁର ମହକ ସହିତ ଦେଶପ୍ରେମର ପବିତ୍ର ମନ୍ତ୍ରରେ ଯୁବ ସମାଜ ଉଦବୁଦ୍ଧ ହୋଇ ଶିକ୍ଷା ଆହରଣ କଲେ ସମୃଦ୍ଧ ସମାଜ ଗଠିତ ହୋଇପାରିବ ବୋଲି ବକ୍ତବ୍ୟରେ ଶ୍ରୀମାନ ପଣ୍ଡା କହିଥିଲେ । ନିଷ୍ଠା, ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ଛାତ୍ର ଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ ବୋଲି ବରେଣ୍ୟ ସମ୍ମାନୀତ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଥିଲେ । ସେହିପରି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମାଁ, ମାଟି ଓ ମାତୃଭାଷା ମଣିଷ ଜୀବନର ମହୌଷଧି ଅଟେ ବୋଲି କହିଥିଲେ ।

ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାର ପ୍ରାରମ୍ଭରେ ରୌପ୍ୟ ଜୟନ୍ତୀ କମିଟି ସଦସ୍ୟ ସରୋଜ ପାଣିଗ୍ରାହୀ ସ୍ବାଗତ ଭାଷଣ ଏବଂ ଆବାହକ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟ କର୍ମଚାରୀ, ନେତାଜୀ କ୍ଲବ୍ ଦହିତା,ଟାଉନ କ୍ଲବ ପଦ୍ମପୁର, ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ, ଜମିଦାତା, ଶୁଭେଚ୍ଛୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଲମ୍ବୋଦର ତାଣ୍ଡି ଓ ପୂର୍ବତନ ଛାତ୍ରଙ୍କ ପରିଚାଳନାରେ ଆୟୋଜିତ ଦ୍ଵିତୀୟ ଅଧିବେସନରେ ବିଗତ ୨୫ ବ୍ୟାଞ୍ଚର ଟପର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ରୌପ୍ୟ ଜୟନ୍ତୀର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଅଧିବେଶନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶର ବିକାଶ ପାଇଁ ଶିକ୍ଷା ମହୋତ୍ସବର ଭୂମିକାକୁ ଅବତାରଣା କରି ପ୍ରଶଂସିତ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ବୁଦ୍ଧଦେବ ମେହେର, ବୃନ୍ଦାବନ ମେହେର, ମକରଧ୍ବଜ ବଗାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷ ପର୍ଯ୍ୟାୟରେ ସଂଗାମାପା କଳା ପରିଷଦ ବଲାଙ୍ଗୀର ଘୁଡୁକା ନୃତ୍ୟ, ଛୁମୁକୁ ଛୁମା କଲାପରିସଦ ଭେଡେନର ଡାଳଖାଇ ନୃତ୍ୟ, କୁମ୍ଭାରୀର ଶବ୍ଦ ନୃତ୍ୟ, ଛାତ୍ର ଛାତ୍ରୀଙ୍କ ଗୀତ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଗ୍ରାମବାସୀଙ୍କ ଆୟୋଜନରେସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।



