ପଦ୍ମପୁର– ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅଞ୍ଚଳରେ ମଦର ବହୁଳ ବ୍ୟବହାର ଯୋଗୁଁ ଅପରାଧ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ବନ୍ଦ କରିବା ଦିଗରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ପଦକ୍ଷେପ ନେଉଛନ୍ତି । ସାଧାରଣତଃ ଢାବା,ରାସ୍ତାକଡ ପାନ ଦୋକାନ ତଥା ଛୋଟିଆ ଚାଳ ଘର କରି ଦେଶୀ ଓ ମହୁଲି ମଦ ବିକ୍ରି କରୁଥିବା ଖବର ସାମନାକୁ ଆସୁଛି ।

ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଡେନ ପୋଲିସର ଗୋଟିଏ ଟିମ ବିଭିନ୍ନ ଢାବା ଗୁଡିକରେ ଚଢାଉ କରି ୧୯୦ ଗୋଟି ପାଉଚ ଓ ୧୩୫ ବୋତଲ ବିଦେଶୀ ମଦ ଜବତ କରିଥିଲେ ଏବଂ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି (ବୁଡେନ ଥାନା କେସ୍ ନଂ୫୨/୨୫, ୫୩/୨୫, ୫୪/୨୫, ୫୫/୨୫) କୋର୍ଟଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ଯ ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଲିଛି ।




