Saturday, March 7, 2026
Homeରାଜ୍ୟବୁଗୁଡ଼ାରେ ହୁଗୁଳା ଶିକ୍ଷା ବ୍ୟବସ୍ଥା: ତିନି ବିଦ୍ୟାଳୟକୁ ତିନି ଶିକ୍ଷକ।

ବୁଗୁଡ଼ାରେ ହୁଗୁଳା ଶିକ୍ଷା ବ୍ୟବସ୍ଥା: ତିନି ବିଦ୍ୟାଳୟକୁ ତିନି ଶିକ୍ଷକ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ସର୍ବଶିକ୍ଷା ଅଭିଯାନରେ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଦେଇ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ସରକାର ଅଜସ୍ର ଅର୍ଥ ବ୍ଯୟ କରୁଥିବା ବେଳେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ଯାଳୟରେ ତାହାର ସୁଫଳ ଦେଖିବାକୁ ମିଳୁନାହିଁ । ଆବଶ୍ୟକୀୟ ଶିକ୍ଷାୟତନ ଓ ଶିକ୍ଷାର୍ଥୀ ଥିବା ସ୍ଥଳେ ଶିକ୍ଷକ ଅଭାବ ହେତୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ଏବଂ ସର୍ବଶିକ୍ଷା ଅଭିଯାନ ବାଟବଣା ହୋଇଯାଉଛି ।

ଦୀର୍ଘକାଳ ହେଲା ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ମୋଟାବାଡି ପଞ୍ଚାୟତର ଠଣାପଲ୍ଲୀ ଗ୍ରାମ ସାଙ୍ଗକୁ ପାଙ୍ଗିଡି ପଞ୍ଚାୟତର ବେଲପଡା ଓ କଞ୍ଚୁରୁ ପାଟଣା ଆଦି ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟ ଆଦି ଜଣେ ମାତ୍ର ଶିକ୍ଷକରେ ଚାଲିଥିବାରୁ ସଂପୃକ୍ତ ବିଦ୍ୟାଳୟ ଗୁଡିକର ଅଭିଭାବକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପକ୍ଷରେ ନିର୍ବାଚିତ ଜନପ୍ରତିନିଧିମାନେ ନିଜ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଥିବା ଶିକ୍ଷାଦାନରେ ସୁଧାର ଆଣିବା ପାଇଁ ମୁଣ୍ଡ ଖେଳାଉ ନଥିବା ବେଳେ ବ୍ଲକ ଶିକ୍ଷା ପ୍ରଶାସନ ମଧ୍ୟ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରୁନଥିବାରୁ ସ୍ଥାନୀୟ ଶିକ୍ଷାବିତ୍ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଉକ୍ତ ତିନୋଟି ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲିଥିବାରୁ ଠିକ୍ ଭାବେ ପାଠପଢା ନହେବା ସାଙ୍ଗକୁ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ବେଳେ ବେଳେ ଶିକ୍ଷକ ଜଣକ ମଧ୍ଯ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏଣୁ , ଉକ୍ତ ତିନୋଟି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଶିଶୁଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅନ୍ତତଃ ଆଉ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରିବା ଦିଗରେ ଯଥାଶୀଘ୍ର ଯଥାବିଧି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

error: Content is protected !!