Monday, January 6, 2025
spot_imgspot_imgspot_img
Homeରାଜ୍ୟବୀର ମାଟିର ବୀର ଗାଥା ଓ ବୀରତା ଦିବସ ।

ବୀର ମାଟିର ବୀର ଗାଥା ଓ ବୀରତା ଦିବସ ।

ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରାୟତଃ ତିନୋଟି ପର୍ଯ୍ୟାୟରେ ଓଡିଶାକୁ ଅଧିକାର କଲେ । ୧୭୫୭ ମସିହାରେ ପଲାସୀ ଯୁଦ୍ଧର ପରେ ପରେ ଅର୍ଥାତ୍ ପ୍ରାୟ ୧୭୬୮ ମସିହା ବେଳକୁ ଦକ୍ଷିଣ ଓଡିଶା ଇଂରେଜମାନଙ୍କ ଅଧୀନକୁ ଆସିଲା । ଏହାର ପ୍ରାୟ ତିନି ଦଶନ୍ଧି ୧୮୦୩ ପରେ ବାଲେଶ୍ଵର, ପୁରୀ, କଟକ ସମେତ ପୂର୍ବ ଓ ଉତର ଓଡିଶା ଇଂରେଜ ଶାସନର ଅନ୍ତର୍ଭୁକ୍ତ ହେଲା । ଶେଷରେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୮୧୭ ମସିହା ବେଳକୁ ପଶ୍ଚିମ ଓଡିଶା ଇଂରେଜ ଅଧୀନକୁ ଆସିଥିଲା । ଏହାପରେ ଇଂରେଜ ମାନଙ୍କ କ୍ରମବଦ୍ଧିଷ୍ଣୁ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇ ୧୮୫୭ ମସିହାର ‘ପ୍ରଥମ ଗଣ ସଂଗ୍ରାମ’ ସୃଷ୍ଟି ହେଲା । ମାତ୍ର ଏହି ସଂଗ୍ରାମର ବହୁ ପୂର୍ବରୁ ଖୋଦ୍ଧାର ପାଇକ ବିଦ୍ରୋହ, ଘୁମୁସର କନ୍ଧ ବିଦ୍ରୋହ, ସମ୍ବଲପୁର ବିପ୍ଳବ ସମେତ ଓଡିଶାର ବିଭିନ୍ନ ଅଂଚଳରେ ବିଦ୍ରୋହର ପଦଧ୍ଵନୀ ମାନ ଶୁଣାଯାଇଥିଲା ।

୧୮୨୭ ମସିହାରେ ସମ୍ବଲପୁର ରାଜା ମହାରାଜା ସାଏଙ୍କ ମୃତ୍ୟୁ ପରେ ସୁରେନ୍ଦ୍ର ସାଏଙ୍କୁ ରାଜଗାଦି ପ୍ରାପ୍ତି ଆଶା ଥିଲା । ମାତ୍ର ଇଂରେଜମାନେ ‘ରାଜ୍ୟସତ୍ୱ ଲୋପନୀତି’ ପ୍ରଚଳନ କରି ବଳପୁର୍ବକ ତାଙ୍କ ହାତକୁ ସମ୍ବଲପୁରର କ୍ଷମତା ନେଇଗଲେ । ଦ୍ୱିତୀୟରେ କର ଅସୁଲି ପାଇଁ ଇଂରେଜ ହୁକୁମରେ ଅତିଷ୍ଟ ହେଉଥିବା ଜମିଦାର, ଗୌନ୍ତିଆମାନେ ସୁରେନ୍ଦ୍ରଙ୍କ ନେତୃତ୍ବକୁ ସମର୍ଥନ କଲେ । ଫଳରେ ଅବିଭକ୍ତ ସମ୍ବଲପୁର ଅଂଚଳରେ ୧୮୨୭ରେ ଚୌହାନ ବୀର ସୁରେନ୍ଦ୍ର ସାଏ ତାଙ୍କର ବିପ୍ଳବ ଆରମ୍ଭ କଲେ । ଉକ୍ତ ବିପ୍ଲବରେ ପଶ୍ଚିମାଂଚଳର ବହୁ ରାଜା ଜମିଦାରଙ୍କ ସହିତ ସାଧାରଣ ପ୍ରଜା, କର ଅସୁଲକାରୀ, ସୈନିକ ପ୍ରମୂଖ ସମର୍ଥନ ଜଣାଇଥିଲେ ।

ଅନୁରୂପ ଭାବରେ ଲଖନପୁର ଜମିଦାର କମଳ ସିଂହ ଦାଓ, ବଳଭଦ୍ର ସିଂହ, ପାହାଡଶ୍ରିଗୀଡା ଜମିଦାର ଜନାର୍ଦ୍ଦନ ସିଂହ, ଖରସଲ ଜମିଦାର ଦିଆଲ ସର୍ଦ୍ଦାର, ଭେଡେନ ଜମିଦାର ମନୋହର ସିଂହ, କୋଲାବିରା ଜମିଦାର କରୁଣାକର ନାୟକ, ଖଗେଶ୍ଵର ନାୟକ, ଯୁଯୁମୁରା ଗୌରିଆ ମଧୂସୁଦନ ସିଂହଙ୍କ ସମେତ ବହୁ ବହୁ ଗୌନ୍ତିଆ, ଜମିଦାରମାନେ ଏହି ମୁକ୍ତିଯୁଦ୍ଧରେ ସାମିଲ ହୋଇଥିଲେ । ଏହି ମୁକ୍ତି ଯୁଦ୍ଧରେ ଶେଷ ଜୀବନ ପର୍ଯ୍ୟନ୍ତ ପ୍ରାଣମୁର୍ଚ୍ଛା ସଂଗ୍ରାମ କରି ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହଙ୍କ ପରିବାରରୁ ପିତାପୁତ୍ର ପାଂଚ ଜଣ ସମେତ ଛତିଶଗଡ ନିବାସୀ ସମୁଦି, ଝିଅ ଓ ଜ୍ଵାଇଁ ପ୍ରଭୃତି ସମସ୍ତ ସଂପର୍କୀୟ ଆଚ୍ଛୋତ୍ସର୍ଗ କରି ବିରଳ କାହାଣୀ ତିଆରି କରିଛନ୍ତି । ୧୮୫୮ ମସିହା ଡିସେମ୍ବର ୩୧ ତାରିଖ ଦିନ ଏଇ ବ୍ରିଟିଶ ବିରୋଧୀ ସଂଗ୍ରାମର ସାରଥି ତଥା ଘେଁସ ଜମିଦାର ମାଧୋ ସିଂଙ୍କୁ ଫାସି ଦିଆଯାଇଥିଲା ।

ତାଙ୍କର ପୁତ୍ର ହଜେ ସିଂଙ୍କୁ ୧୮୬୫ ମସିହାରେ କଳାପାଣି ଦଣ୍ଡ ଆଦେଶ ଦିଆଯାଇ ଆଣ୍ଡାମାନ ଜେଲରେ ବନ୍ଦି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଏ । ଅନ୍ୟତମ ପୁତ୍ର କଂଜଲ ସିଂଙ୍କୁ ସମ୍ବଲପୁର ଠାରେ ଫାଶୀ ଦିଆଗଲା । ଆଉ ଏକ ପୁତ୍ର ବୈରୀ ସିଂ ମଧ୍ୟ ଆଜୀବନ କାରାଦଣ୍ଡ ଭୋଗୁଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । କନିଷ୍ଠ ପୁତ୍ର ଏରୀ ସିଂଙ୍କୁ ଏକ ଗୁମ୍ଫା ମଧ୍ୟରେ ଭର୍ତି କରି ତାର ଦ୍ଵାରଦେଶରେ ନିଆଁ ଜାଳି ଧୁଆଁ ଭର୍ତ୍ତିକରି ନିର୍ଦ୍ଦୟ ଭାବରେ ହତ୍ୟା କରାଯାଇଥିଲା । ଏହା ସହିତ ଇଂରେଜ ସୈନ୍ୟ କ୍ରୋଧାନ୍ୱିତ ହୋଇ ଘେଁସ ଗାଁକୁ ପୋଡିଦେଇଥିଲେ, ଯାହାକି ସଂପୂର୍ଣ ପାଉଁଶରେ ପରିଣତ ହୋଇଥିଲା । ବିରଳ କାହାଣୀ ତିଆରି କରିଥିବା ଏହି ବୀରମାଟିର ଗାଥାକୁ ଆଲୋକକୁ ଆଣିବାର ପ୍ରୟାସ ଆରମ୍ଭ ହୋଇଥିଲା ଅଶୀ ଦଶକରେ ।

୧୯୮୨ ମସିହାର ଝଙ୍କାରର ବିଷୁବ ବିଶେଷାଙ୍କରେ ଓଡିଶାର ବିପ୍ଲବୀ ମାଧୋ ସିଂହ ଶିର୍ଷକରେ ଡ.ହରେକୃଷ୍ଣ ମହତାବଙ୍କ ସଂପାଦକୀୟ ଲେଖା ପ୍ରକାଶିତ ହୋଇଥିଲା । “ ମାଧୋ ସିଂହଙ୍କ ପରିବାରର ବାସ୍ତବ ଜୀବନାଲେଖ୍ୟ ଏବଂ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଯଦି ଲୋକଲୋଚନକୁ ଆସନ୍ତା, ତାହେଲେ ଓଡିଶାର ଭୂମିକା ସମ୍ବନ୍ଧରେ ବହୁ ରୋମାଂଟକର ତଥ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ରାଜ୍ୟର ଗବେଷକ ମାନଙ୍କୁ ସେ ଆହ୍ୱାନ ଦେଇଥିଲେ” । ନୂଆଁଦିଲ୍ଲୀ ସ୍ଥିତ ଜାତୀୟ ଅଭିଲେଖାଗାରର ଡେପୁଟି ଡାଇରେକ୍ଟର ଡ.ନାରାୟଣ ଏଚ୍ କୁଲକଣ୍ଠି କହିଥିଲେ- “ଦେଶର ସ୍ୱାଧିନତା ପାଇଁ ଏଭଳି ମୃତ୍ୟୁବରଣ ଆମ ଇତିହାସରେ ଆଉ କେଉଁଠି ନାହିଁ । ମାତ୍ର ଦୁର୍ଭାଗ୍ୟର କଥା, ଦେଶପାଇଁ ଚରମ ଆତ୍ମତ୍ୟାଗ କରିଥିବା ଏହି ଶହୀଦ ପରିବାର ଏକାବେଳକେ ବିସ୍ତୃତ ହୋଇଗଲେ” ।

ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ସମ୍ବନ୍ଧରେ ଅଧିକ ଗବେଷଣା କଲାବେଳେ ପ୍ରଥମେ ମାଧୋ ସିଂହଙ୍କ ନାମକୁ ପାଇଥିବାର ସ୍ୱୀକାର କରନ୍ତି ବିଶିଷ୍ଟ ଐତିହାସିକ ଡ. ନବୀନ କୁମାର ସାହୁ । ଡ. ଜଗନ୍ନାଥ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାସ, ଭଗବାନ ପ୍ରତିହାରୀ, ପି.ନିରଦ, ଡ. ଯଜ୍ଞକୁମାର ସାହୁ ପ୍ରମୂଖ ମଧ୍ୟ ଏହି ବିରଳ କାହାଣୀ ସଂକ୍ରାନ୍ତରେ ବିଭିନ୍ନ ପତ୍ରପ‌ତ୍ରିକାରେ ଉଲ୍ଲେଖ କରିଛନ୍ତି । ସେହିପରି ରାଜ କନିକାର ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ତଥା ଗବେଷକ ପ୍ରଫୁଲ୍ଲ କୁମାର ଦାସ କଲିକତାର ବିଶିଷ୍ଟ ସଂଗ୍ରାମୀ ଗଣେଶ ଘୋଷଙ୍କ ଠାରୁ ହଟେ ସିଂହଙ୍କୁ ଆଣ୍ଡାମାନର ଜେଲରେ ବନ୍ଦୀ କରାଯାଇଥିବାର ତଥ୍ୟ ପାଇବାପରେ ଡ. ହରେକୃଷ୍ଣ ମହତାବଙ୍କ ସହ ଏ ସମ୍ବନ୍ଧରେ ପତ୍ରାଳାପ କରିଥିଲେ ।

ପୋର୍ଟବ୍ଲେୟାରରେ ଏମ୍‌ଡି ଥିବା ତତ୍କାଳୀନ ସରକାରୀ କର୍ମଚାରୀ ସୁଶୀଳ ଚତୁର୍ବେଦୀ, ଐତିହାସିକ ଡ.ରମେଶ ଚନ୍ଦ୍ର ମଜୁମଦାର, ଉପେନ୍ଦ୍ର ବାନାର୍ଜି, ବିପ୍ଳବୀ ବାରୀନ ଘୋଷ ପ୍ରମୂଖ ଭୟଙ୍କର ଦୀପାନ୍ତରୀ କାହାଣୀ, ଆଣ୍ଡାମାନ ତଥା ସେଲୁଲାର କାରାଗାରର ଲୋମହର୍ଷଣ ପରିବେଶ, ଅସହ୍ୟ ନିର୍ଯ୍ୟାତନା ସଂକ୍ରାନ୍ତରେ ବର୍ଣ୍ଣନା କରିଛନ୍ତି । ବନ୍ଦି ଜୀବନ କଟାଇଥିବା ସଭରକର ଲେଖିଛନ୍ତି- “ ଖାଦ୍ୟ ଦେଖିଲେ ଆଖିରୁ ଲୁହ ଗଡି ପଡ଼ୁଥିଲା । ସାରୁ ଚୋପା ନ ଛଡାଇ ରନ୍ଧା ହେଉଥିଲା । କାଠିପତ୍ର ମିସି ସିଝା ହେଉଥିଲେ ମଧ୍ୟ ସେଥିରେ ପୁଣି ଗୋଡି, ମୂଷା ଲେଣ୍ଡି ଏପରିକି ଗଣ୍ଡା ଗଣ୍ଡା ପୋକ ପଡି ସିଝୁଥିଲେ । ବେଳେ ବେଳେ ରୋଷେଇ ଘରର ଡିବିରିରୁ କିରୋସିନୀ ମଧ୍ୟ ସେଥିରେ ମିଶୁଥିଲା” ।

ବିପ୍ଳବୀ ବାରୀନ ଘୋଷଙ୍କ “ ଆଣ୍ଡାମାନ ବନ୍ଦି ଜୀବନ” ପୁସ୍ତକରେ ଲେଖିଛନ୍ତି- “ ମୁଁ ହେଉଛି ଡି. ବାରୀ । ବାଧ୍ୟ ଓ ଶଂଖଳାପ୍ରିୟ ବନ୍ଦୀମାନଙ୍କର ମୁଁ ଜଣେ ବିଶ୍ୱସ୍ତ ଭୃତ୍ୟ; କିନ୍ତୁ ବଦମାସ ମାନଙ୍କ ପାଇଁ ମୁଁ ଶହେ ଗୁଣ ବଦମାସ । ତମେ ଯଦି ଅବାଧ୍ୟ ହୁଅ ଭଗବାନ ତୁମକୁ କ୍ଷମା କରିପାରନ୍ତି, କିନ୍ତୁ ମୁଁ ନୁହେଁ । ଆଉ ମନେରଖ ଭଗବାନ ଆଣ୍ଡାମାନ ଜେଲରୁ ତିନି ମାଇଲ ଦୂରରେ ରହନ୍ତି ।” ଏସବୁରୁ ଅନୁମାନ କରାଯାଇପାରେ ବିପ୍ଳବୀ ହଟେ ସିଂହ କିଭଳି ଅକଥନୀୟ ନିର୍ଯ୍ୟାତନ ଭୋଗ କରିଥିବେ, ଚିନ୍ତାକଲେ ଯେ କୈାଣସି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠିବ । ଯେଉଁ ସମୟରେ ହଟେ ସିଂହଙ୍କୁ ଆଣ୍ଡାମାନକୁ ଦ୍ୱୀପାନ୍ତର କରାହୋଇଥିଲା, ସେ ସମୟରେ ସେଲୁଲାର ଜେଲ ତିଆରି ହୋଇ ନଥିଲା । ୧୮୫୭ ମସିହାର ସିପାହୀ ବିଦ୍ରୋହ ପରେ ଆରମ୍ଭ ହୋଇଥିବା ନିର୍ଯ୍ୟାତନା, ଲହୁଲୁହାଣ, ଅତ୍ୟାଚାର, ମୃତ୍ୟୁର କଳାଅଧ୍ୟାୟର କଳାପାଣି ଇତିହାସର ପରିସମାପ୍ତି ହୋଇ ୧୯୩୮ ମସିହାରେ ସେଲୁଲାର ଜେଲ ବନ୍ଦ ହେଲା ।

ଆଜି ସେଲୁଲାର ଜେଲ ଇତିହାସର ମୂକ ସାକ୍ଷୀ ସ୍ୱରୁପ ଜାତୀୟ ମ୍ୟୁଜିଅମରେ ପରିଣତ ହୋଇଛି । କିନ୍ତୁ ହଟେ ସିଂହଙ୍କ ସଂକ୍ରାନ୍ତରେ ବିଶେଷ ତଥ୍ୟ ସଂଗୃହିତ ହୋଇ ପାରି ନାହିଁ । ୧୯୯୭ ମସିହାର ଡିସେମ୍ବର ୩୧ ତାରିଖ ଦିନ ଶହୀଦ ମାଧୋ ସିଂହଙ୍କ ଫାଶି ଦିବସକୁ ରାଜ୍ୟସ୍ତରୀୟ ବୀରତା ଦିବସ ଭାବେ ଓଡିଶା ସରକାର ପ୍ରଥମ କରି ପାଳନ କରିବା ସହିତ ମାନ୍ୟତା ପ୍ରଦାନ କଲେ । ଘେଁସ ଜମିଦାର ଭବନ ଅବିକଳ ତାଂଚାରେ ପୂନଃ ନିର୍ମାଣ ହେଲା । ଖୁସିର କଥା ସଂପ୍ରତି ଓଡିଶା ସରକାର ଛାତ୍ର ଛାତ୍ରୀଙ୍କୁ ସହାୟତା ପାଇଁ ମାଧୋ ସିଂହ ହାତପାଣ୍ଡିଯୋଜନା ପ୍ରଣୟନ କରିଛନ୍ତି ।

ତେଣୁ ସଂଗ୍ରାମର ସ୍ଵାକ୍ଷର ବହନ କରିଥିବା କଳାପାଣି ନିର୍ଯ୍ୟାତନା, ଘେଁସ ପୋଡି, ସାଇ ଗୁମ୍ଫା, ଝୁଲେନ ବରଗଛ, ଭାଟେନ ଡୁଙ୍ଗୁରି, ତାଲଖୋଲ, ବାରପାହାଡ, ସିଂଗୋଡା ଘାଟୀ ଆଦି ସଂପର୍କିତ ସ୍ଥାନଗୁଡିକର ରକ୍ଷାଣାବେକ୍ଷଣ ଆବଶ୍ୟକ ରହିଛି । ଦେଶ ପାଇଁ ତମାମ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଯାଇଥିବା ସମର୍ପିତ ଅଧ୍ୟାୟ ସଂକ୍ରାନ୍ତରେ ଅଧିକ ଗବେଷଣା ଦରକାର । ଭାରତୀୟ ମୁକ୍ତି ସଂଗ୍ରାମରେ ଅତୁଳନୀୟ ବୀରତ୍ୱ ଓ ପରାକ୍ରମ ସହ ଦୁର୍ଦ୍ଦଷ ବ୍ରିଟିଶ ମାନଙ୍କ ସହିତ ଲଢେଇ କରି ରୋମାଂଚଭରା ବିରଳ କାହାଣୀ ତିଆରି କରିଥିବା ଏହି ବୀର ମାଟିର ବୀରଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ଆହୁରି ପ୍ରୟାସର ଆବଶ୍ୟକ‌ତା ରହିଛି ।

ସୁଶାନ୍ତ କୁମାର ମିଶ୍ର,ସଭାପତି,ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ

error: Content is protected !!