ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଳିକ ସ୍କୁଲ ପରିସରରେ ସରସ୍ଵତୀ ସଙ୍ଘର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ତ୍ରୀରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡ଼ା.କଲ୍ଲୋଳ ବେଜ୍ ଓ ସମ୍ମାନୀତ ଅତିଥି ରୂପେ ଅତାବିରା ଆର୍ ଏଚ୍ ଟିସିର ଚିକିତ୍ସକ ଡ଼ା. ଆରତି ପ୍ରଧାନ ଯୋଗ ଦେଇ ଶିବିକୁ ଉଦଘାଟନ କରିଥିଲେ l ଅନୁଷ୍ଠାନ ଶିକ୍ଷୟିତ୍ରୀ ଗଜାଲା ଅଞ୍ଜୁମଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ସମେତ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ତଥା ସରସ୍ବତୀ ସଂଘର ସଂପାଦିକା ସୁନୀତା ମୁଣ୍ଡ, ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ, ସଂଘ ସଭାପତି ଲୀଳାବତୀ ତ୍ରିପାଠୀ ଓ ଉପସଭାପତି ଘରଯୁଗୀ ଗଡତିଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l

ଶିକ୍ଷୟିତ୍ରୀ କଞ୍ଚନ ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ଉନ୍ନତ ସ୍ଵାସ୍ଥ୍ୟ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଡ଼ା.ବେଜ ମହିଳାମାନଙ୍କ ମାସିକ ଧର୍ମ ସ୍ବଚ୍ଛତା ଓ ସ୍ୱାସ୍ଥ୍ୟର ଯତ୍ନ ସଂପର୍କରେ ଆଲୋଚନା କରିଥିଲେ । ଡ଼ା.ପ୍ରଧାନ ଗର୍ଭାଶୟ ଗ୍ରୀବାରେ କର୍କଟ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ଏକ ସଚେତନତାଧର୍ମୀ ଆଲୋଚନା କରିଥିଲେ ଏବଂ ଉପସ୍ଥିତ ନାରୀମାନଙ୍କ ସମସ୍ୟା ଗୁଡିକର ସଠିକ ଉତ୍ତର ପ୍ରଦାନ କରିଥିଲେ । ପରେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ସହ ରକ୍ତଦାତ୍ରୀ ଗଣଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ ।

ଏହି ଅବସରରେ ମହିଳା ସ୍ୱାସ୍ଥ୍ୟ ସଚେତନତା ବିଷୟକୁ ନେଇ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକ ପୋଷ୍ଟର ମେକିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆୟୋଜିତ ରକ୍ତଦାନ ଶିବିରରେ ପ୍ରାୟ ୬୩ ଜଣ ରକ୍ତଦାତା ମାନଙ୍କ ଠାରୁ ବରଗଡ ବ୍ଲଡ୍ ବ୍ୟାଙ୍କ ଘାପକ୍ଷରୁ ସରୋଜ ସୁନା, ରେବତୀକାନ୍ତ ସାହୁ ଓ ଅମନ ସେଠ,ସୀତାରାମ ବଗର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ,ଓ କର୍ମକର୍ତ୍ତା ଓ ମହିଳା ସଂଘର ସଦସ୍ୟାଗଣ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


