ପଦ୍ମପୁର-ଶିକ୍ଷା ବିନା ଜୀବନ ଅସମ୍ପୂର୍ଣ୍ଣ । ସମାଜର ଅଜ୍ଞାନ ଅନ୍ଧକାରକୁ ଜ୍ଞାନ ରୂପୀ ଦୀପ ହିଁ ଆଲୋକିତ କରିଥାଏ । ସେପରି ଘଟଣାବହୁଳ ସମାଜର ଏକ ଘଟଣା ଆଧାରିତ କ୍ଷୁଦ୍ର ଚଳଚିତ୍ର “ଦୃଷ୍ଟିକୋଣ” ଯାହା ବାଳିକା ଶିକ୍ଷାକୁ ନେଇ ସୃଷ୍ଟି ହେଇଛି ଚଳଚିତ୍ରର ଦୃଶ୍ୟଗୁଡିକ । ଏହି ଚଳଚିତ୍ରରେ ସମସ୍ତଙ୍କ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ଥାଇ ପାରେ କିନ୍ତୁ ଲକ୍ଷ୍ୟ ମାତ୍ର ଗୋଟିଏ ” ଶିକ୍ଷା ଓ ଶିକ୍ଷିତ ସମାଜ”।
ଅଶିକ୍ଷିତ ସମାଜ ଶିକ୍ଷାର ମୂଲ୍ୟ ବୁଝି ନ ପାରି “ଝିଅ ଜନମ ଚୁଲି ମୁଣ୍ଡ କୁ” ଭାବି ପାଠ ପଢ଼ାରେ ଡୋରୀ ବାନ୍ଧି ମୂଳ ଖଟିବାକୁ ବାଧ୍ୟ କରୁଛି ମଦ୍ୟପ ବାପା । ଶିକ୍ଷକଙ୍କ ଉପସ୍ଥିତି ବୁଦ୍ଧି କିଭଳି ନୂତନ ପ୍ରସ୍ଫୁଟିତ ଫୁଲକୁ ଫୁଟି ଦେବା ପାଇଁ ସହାୟକ ହୋଇ ଚାରିଦିଗରେ ମହକିବାର ସୁଯୋଗ ଦେଇଛନ୍ତି । ସମାଜର ଘୃଣ୍ୟ ଚରିତ୍ର ଠିକାଦାର ଏଠାରେ ଏକ ଭିନ୍ନ ଚରିତ୍ର ଉପସ୍ଥାନ କରି ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।
ପଞ୍ଚାୟତ କର୍ମଚାରୀ ସରଳ ନିଷ୍କପଟ ଜନତାର ଅଜ୍ଞାନତାର ସୁଯୋଗ ନେଇ କରୁଥିବା ଶୋଷଣର ପର୍ଦ୍ଦାଫାଶ କରୁଛି ଶିକ୍ଷିତ ଝିଅ । ମଦ ରୁପି ରାକ୍ଷସ କିଭଳି ଗୋଟିଏ ପରିବାରକୁ ନଷ୍ଟ କରିଥାଏ ଚଳଚିତ୍ରର ଘଟଣାଗୁଡ଼ିକ ସଠିକ ଭାବରେ ଦେଖାଉଛି । ସମାଜରେ ଘଟୁଥିବା ଅନ୍ୟାୟ , ଅତ୍ୟାଚାର , ବ୍ୟଭିଚାର , ଶୋଷଣ , ଲୁଣ୍ଠନ କବଳରୁ କେବଳ ଶିକ୍ଷା ହିଁ ମୁକୁଳେଇ ପାରିବ ।
ସମାଜରେ ପୁରୁଷ ଶିକ୍ଷିତ ହେବା ଯେତିକି ଆବଶ୍ୟକ ମହିଳା ମଧ୍ୟ ଶିକ୍ଷିତ ହେବା ଅତ୍ୟନ୍ତ ଜରୁରୀ । ଚଳଚିତ୍ରର ବାର୍ତ୍ତା ଅନୁଯାୟୀ ଆସ ସମସ୍ତେ ପ୍ରତିଜ୍ଞା କରିବା ପୁଅ ଝିଅ ଉଭୟଙ୍କୁ ଶିକ୍ଷିତ କରି ଏକ ସୁସ୍ଥ ସମାଜ ଗଠନ କରିବା । ଏହି ଚଳଚିତ୍ରକୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ପରମେଶ୍ବର ବିଶି । ସହ ନିର୍ଦ୍ଦେଶନାରେ ଟେନେସ କୁମାର ପଣ୍ଡା ସହଯୋଗ କରିଥିବା ବେଳେ ପ୍ରଯୋଜନାରେ ଡିଲେଶ୍ବର ସିଂ ବରିହା ରହିଛନ୍ତି ।
ଗୀତ ଓ ସଂଗୀତ ଅଜିତ ସାହୁ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଶ୍ରୀମତୀ ଗୋଲ୍ଡି ଦାଶ । ଯୋଗେଶ୍ବରୀ ସାହୁ,ଟେନେସ କୁମାର ପଣ୍ଡା,ମାଧବ ସିଂ ବରିହା, ଦେବାଶିଷ ମିଶ୍ର, ସୀତାକାନ୍ତ ଧରେଇ,ଟୁପେଶ ତ୍ରିପାଠୀ,ଲକି ସେଠ୍,ମନୋଜ ଜାଲ,ଅଶୋକ ଭୋଇ,ମହେନ୍ଦ ନେଗୀ ନିଜର ଅଭିନୟରେ ଲୋକଙ୍କୁ ବିମୋହିତ କରିଛନ୍ତି । କ୍ୟାମେରା ଦାୟିତ୍ଵରେ ସୁଦାମ ଥାନାପତି ରହିଥିଲେ ।
ଏହି ଚଳଚିତ୍ର 3P CREATIONS PADAMPUR ୟୁଟ୍ୟୁବ ଚେନାଲରେ ଉପଲବ୍ଧ ଅଛି । ଏହି ଚେନାଲ ସବୁବେଳେ ସାମାଜିକ ବାର୍ତ୍ତା ନେଇ କ୍ଷୁବ୍ଧ ଚଳଚ୍ଚିତ୍ର ପ୍ରସ୍ତୁତ କରି ଆସୁଛି । ଆଶା କରୁ ଆଗାମୀ ଦିନରେ ଆହୁରି ଏମିତି ସୁନ୍ଦର ସୁନ୍ଦର କ୍ଷୁଦ୍ର ଚଳଚିତ୍ର ଆସୁ ବଲି ଆଶା ଓ ବିଶ୍ବାସ ।