
ବୌଦ୍ଧ(ସିମୁନ ନାଏକ)-ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜରେ କାମ୍ପା ଯୋଜନାରେ ବାଉଁଶ ଚାରା ରୋପଣ ରେ ବ୍ୟାପକ ଅନିୟମିତତା ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଆରଟିଆଇ ତଥ୍ୟ ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ମାଧପୁର ରେଞ୍ଜ ଅନ୍ତର୍ଗତ ହାତୀଧରା ସଂରକ୍ଷିତ ଜଙ୍ଗଲ ରେ ୪୫୦ ହେକ୍ଟର ଥିବା ବାଉଁଶ ଗଛ ରକ୍ଷଣାବେକ୍ଷଣ (ଏସଏସ ବାମ୍ବୋ) ଅର୍ଥ ମଞ୍ଜୁର ହୋଇଥିଲା। ୨୦୨୧ ଆର୍ଥିକ ବର୍ଷରେ ୮ ଲକ୍ଷ ଟଙ୍କାର କାମ ଖୋଦ ବନବିଭାଗର ସାତଖଣ୍ଡ ପୂର୍ବତନ ବନରଖି ପ୍ରକାଶ ପ୍ରଧାନ କରିଥିବା ପତ୍ରରେ ଉଲ୍ଲେଖ ରହିଛି ।

ତେବେ ଉକ୍ତ କାମ ବାହାନାରେ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ବିଭାଗ ପକ୍ଷରୁ ସମ୍ପୃକ୍ତ ବନରଖି ପ୍ରକାଶ ପ୍ରଧାନଙ୍କୁ ୧୨.୦୨.୨୦୨୧ ପତ୍ର ସଂଖ୍ୟା ୮୩ରେ ଉଲ୍ଲେଖ ରହିଛି । ଏହି ଚିଠିରେ ସରକାରୀ ଅର୍ଥ ଅପବ୍ୟବହାର କରିବା ସହ କାମ ହୋଇନଥିବା କଥାକୁ ସ୍ପଷ୍ଟ ଭାବେ ଉପସ୍ଥାପିତ କରାଯାଇଛି । ତେବେ ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଥିଲା ।

ସେହିପରି ଏହାର ଖିଲାପ ପରେ ମାଧପୁର ରେଞ୍ଜ ପକ୍ଷରୁ ୧୪.୦୩.୨୧ ଚିଠି ନମ୍ବର -୧୫୬ରେ ପୁନର୍ବାର ଫରେଷ୍ଟର ଗାର୍ଡ ପ୍ରକାଶ ପ୍ରଧାନଙ୍କୁ ସଠିକ ଭାବେ କାମ କରିବା ସହ ଉକ୍ତ ଚିଠି ପାଇବାର ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା । ମାତ୍ର ଏଯାଏଁ କୌଣସି ରିପୋର୍ଟ ଦାଖଲ କରାଯାଇନଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ଏନେଇ ମାଧପୁର ରେଞ୍ଜ ଅଧିକାରୀ ଆଶୀଷ ଦିଗଲାଙ୍କୁ ପଚାରିବାରୁ ମୁଁ ଆଉଥରେ ଦେଖିକି କହିବି ବୋଲି କହିଛନ୍ତି ।



