ବରଗଡ-ସତ୍ୟନାରାୟଣ ବୁକ୍ ଷ୍ଟୋର, କଟକଦ୍ଵାରା ପ୍ରକାଶିତ ଏବଂ ଅଧ୍ୟାପକ ବିଶ୍ଵନାଥ ସାହୁ ଓ ଶ୍ରୀ ପ୍ରମୋଦ କୁମାର ସାହୁଙ୍କ ସମ୍ପାଦିତ ‘ ଦୟାନିଧି ଗ୍ରନ୍ଥାବଳୀ ‘ ପୁସ୍ତକର ଉନ୍ମୋଚନ ଉତ୍ସବ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଓ ଦୟାନିଧି ମିଶ୍ରଙ୍କ ପରିବାର ତରଫରୁ ଆୟୋଜିତ ଏ ସମାରୋହରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର୍ ଡ. ଅଶୋକ କୁମାର ଦାଶ ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, କେଉଁଝରର ପ୍ରଫେସର୍ ଡ. ବବ୍ରୁ ବାହନ ମହାପାତ୍ର ସମୀକ୍ଷକ ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଦୟାନିଧି ମିଶ୍ରଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସଭାପତିତ୍ବ କରିଥିଲେ ଶ୍ରୀ ପ୍ରମୋଦ କୁମାର ସାହୁ । ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ, ବରଗଡ଼ର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ମଞ୍ଚାସୀନ ଦୟାନିଧି ମିଶ୍ରଙ୍କ ଦୁଇ ପୌତ୍ର ଶ୍ରୀ ପ୍ରଭାତାଦିତ୍ୟ ମିଶ୍ର ଓ ଡା. ତରୁଣାଦିତ୍ୟ ମିଶ୍ର ନିଜ ନିଜ ବକ୍ତବ୍ୟରେ ପରିବାରର ଭାବସିକ୍ତ ଅନୁଭବକୁ ବ୍ୟକ୍ତ କରିଥିଲେ । ଦୟାନିଧି ମିଶ୍ରଙ୍କ ପୌତ୍ର ଶ୍ରୀ ବିକ୍ରମାଦିତ୍ୟ ମିଶ୍ର ଓ ଶ୍ରୀ ପ୍ରତାପାଦିତ୍ୟ ମିଶ୍ରଙ୍କ ସମେତ ଦୟାନିଧି ମିଶ୍ର ସ୍ମୃତି କମିଟିର ସଦସ୍ୟ ପ୍ରଫୁଲ୍ଲ ସ୍ୱାଇଁ, ବିକାଶ ସାହୁ, ସୁଦର୍ଶନ ଭରାସାଗର, ଅନନ୍ତ ମେହେର, ଶମ୍ଭୁନାଥ ଠାକୁର,ମନିଷା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ରୋସନ ସାହୁ ଓ ସଂଯୋଜନା କରିଥିଲେ ଅଧ୍ୟାପକ ବିଶ୍ଵନାଥ ସାହୁ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ପ୍ରଜ୍ଞାସିନୀ ସାହୁ ।