ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭାରେ ଉଦ୍ଭିଦ ବିଜ୍ଞାନର ସେବାନିବୃତ ପ୍ରାଧ୍ୟାପିକା ଡଃ ଉଲ୍ଲାସିନୀ ସାହାଣୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇ ଦିବଙ୍ଗତ ଆତ୍ମାର ମୁକ୍ତି ସକାଶେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଡଃ ସାହାଣୀ ୧୯୮୪ ମସିହା ଅଗଷ୍ଟ ୧୭ ତାରିଖରେ ଲରମ୍ଭା ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ ପରେ ୧୯୮୯ ମସିହାରେ ଲକ୍ଷ୍ମୀନାରାୟଣ କଲେଜକୁ ପରିବର୍ତ୍ତନ ହୋଇ ଯାଇଥିଲେ ପୁନଃ ୨୦୦୩ ମସିହାରେ ଲରମ୍ଭା କଲେଜକୁ ଆସି ୨୦୧୭ ମସିହା ନଭେମ୍ବର ମାସରେ ଅବସର ନେଇଥିଲେ।
ଜଣେ ମିଷ୍ଟଭାଷୀ, ପରୋପକାରୀ, ଛାତ୍ରବତ୍ସଳା ଭାବରେ ସେ ବେଶ ଜଣାଶୁଣା । ଲରମ୍ଭା ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦୀର୍ଘ ପନ୍ଦର ବର୍ଷଧରି କର୍କଟରୋଗରେ ଆକ୍ରାନ୍ତ ଥିଲେବି ରୋଗକୁ ହରାଇବା ପାଇଁ ମନର ବଳକୁ ପ୍ରୟୋଗ କରି ଜିଣି ଯାଉଥିଲେ। ଶେଷରେ ୬୮ ବର୍ଷ ବୟସରେ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ କଲେ।
ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅଧ୍ୟାପକ ମନୋରଞ୍ଜନ ତ୍ରିପାଠୀ , ପ୍ରଦୀପ କୁମାର ପଣ୍ଡା, ସରୋଜ କୁମାର ନାୟକ, ଶିଶିର କୁମାର ସାହୁ, ବୀଣା ମେହେର , ସଂଘମିତ୍ରା ମହାକୁର,କାଦମ୍ବିନୀ ଗୁରୁ, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ସ୍ନୁତି ଚାରଣ କରିଥିଲେ। ମୃତ୍ୟୁର କିଛି ମାସ ଆଗରୁ ଲରମ୍ଭା ମହାବିଦ୍ୟାଳୟକୁ ଏକଲକ୍ଷଟଙ୍କା ଦାନକରିଛନ୍ତି, ତାହାର ସୁଧ ସ୍ବରୂପ ପ୍ରତିବର୍ଷ ଉଦ୍ଭିଦ ବିଜ୍ଞାନ ସମ୍ମାନ ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ‘ଉଲ୍ଲାସିନୀ ସାହାଣୀ ସ୍ମାରକୀରେ ‘ ସମ୍ବର୍ଦ୍ଧିତ କରାଯିବ।