ସମ୍ବଲପୁର – ଗତକାଲି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସଂକଳ୍ପ ପତ୍ର ଲୋକାର୍ପଣ କରିଥିଲେ । ସେହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶା ର ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଧୀନତା, ସମ୍ମାନ ଓ ପେନସନ ପ୍ରସଙ୍ଗ ଉଠେଇଥିଲେ । ଶ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଆଜି ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି, ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି, ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ । ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ ।ଏହା ପରେ ବିଜେଡି ରାଜ୍ୟ ମୁଖପାତ୍ର ଲେନିନ ମହାନ୍ତି ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ଙ୍କୁ ଦେଇଥିବା ପ୍ରତିଶୃତି ଧୂଆଁବାଣ କି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ବକ୍ସି କହିଛନ୍ତି ଯେ ପ୍ରତିଶୃତି ପାଳନ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିବଦ୍ଧତା ପଥର ଛଟ୍ଟାଣ ପରି ।
ସେ ଆଜି ଯାଏଁ ଯାହା କହିଛନ୍ତି କରି ଦେଖେଇଛନ୍ତି । ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଉଜ୍ଜ୍ଵଳା ଯୋଜନା ଭଳି ଲୋକପ୍ରିୟ ଯୋଜନା ଓ ନୂତନ ଶିକ୍ଷା ନୀତି ର ସଫଳ ରୂପାୟନ ଭଳି ଗୁରୁଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ନ୍ୟସ୍ତ କରିଥିଲେ । ବିଜେପି ର ସଂକଳ୍ପ ପତ୍ର ଲୋକାର୍ପଣ ହେବାର ଢେର ସମୟ ଆଗରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା ହେବ ଓ ମାଁ ମାନଙ୍କୁ ୧୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ୱାବଧାନ ରେ ପାରାଦ୍ୱୀପ ରିଫାଇନାରୀ, ବରଗଡ଼ ଇଥନାଲ ପ୍ଲାଣ୍ଟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ସଂପ୍ରସାରଣ, ରାଜ୍ୟ ରେ ୨୧ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ରାଜ୍ୟରେ ତିନୋଟି କୌଶଳ ବିକାଶ ପ୍ରତିଷ୍ଠାନ, ବିଭିନ୍ନ ଜିଲ୍ଲା ରେ କୌଶଳ ବିକାଶ କେନ୍ଦ୍ର ଏଭଳି ଅନେକ ସଫଳ ପ୍ରକଳ୍ପ ଓ ପରିଯୋଜନା ଲମ୍ବା ତାଲିକା ରହିଛି । କିନ୍ତୁ, ଅନ୍ୟ ପକ୍ଷରେ ୨୦୧୬ ରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ହୋଇଥିବା ଚାଷୀ ସମାବେଶ ରେ ମୁଖ୍ୟମନ୍ତ୍ରୀ ଧାନ ଉପରେ ମାତ୍ର ୧୦୦ ଟଙ୍କା ବୋନସ ଘୋଷଣା କୁ ୮ ବର୍ଷ ପୁରି ଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ଚାଷୀ ମାନେ ଟଙ୍କାଟିଏ ମଧ୍ୟ ବୋନସ ପାଇ ନାହାଁନ୍ତି ।
ଗତ ବର୍ଷ ପଦ୍ମପୁର ଉପ ନିର୍ବାଚନ ସମୟରେ ଡିସେମ୍ବର ୩୧ ଭିତରେ ପଦ୍ମପୁର କୁ ଜିଲ୍ଲା ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ହେଲେ ଆଜି ଯାଏଁ ହେଇ ପାରିଲା ନାହିଁ । ପଶ୍ଚିମ ଓଡିଶା ରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ୨୦୧୩ ରେ ତତ୍କାଳୀନ ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶୃତି ପତ୍ର ଦେଇଥିଲେ ଓ ଓକିଲ ମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଆଜି ଯାଏଁ ମୁଖ୍ୟମନ୍ତ୍ରୀ ହା କୋର୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଲେ ନାହିଁ । ଏମିତି ଅନେକ ମିଥ୍ୟା ପ୍ରତିଶୃତିରୁ ସ୍ପଷ୍ଟ ହେଉଛି ଯେ କାହାର ପ୍ରତିଶୃତି ଧୂଆଁବାଣ ବୋଲି ।