ସୁବର୍ଣ୍ଣପୁର-ସଦର ବ୍ଲକ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଇକୋ କ୍ରାଫ୍ଟ୍ ଓ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡେପୁଟି ରେଞ୍ଜର ପଦ୍ମ ଲୋଚନ ଭୋଇ, ସମ୍ମାନୀତ ଅତିଥି ଭାବରେ ଗ୍ରାମୋତ୍ଥାନର ପ୍ରୋଗ୍ରାମ୍ କୋଡିନେଟର ପ୍ରତାପ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବରେ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବର ମାଷ୍ଟର ଟ୍ରେନର୍ ସତ୍ୟ ନାରାୟଣ ହୋତା ପ୍ରମୁଖ ଯୋଗଦେଇଥିଲେ ।

ମାଟିର ଟେରାକୋଟା କାମ ଶିଖାଇବାକୁ ବାଲିଜୁରି ଗ୍ରାମର ମାଷ୍ଟର ଟ୍ରେନର ଅର୍ଜୁନ ରଣା ଏବଂ ଅନ୍ତରାମ ରଣା, ଝାଡୁ ତିଆରି କାମ ଶିଖାଇବା ପାଇଁ ଗ୍ରାମର ବିନୋଦିନୀ କଠାର, ଖାଲି-ଦନା ତିଆରି ଶିଖାଇବାକୁ ସତ କଠାର ପ୍ରମୁଖ ଯୋଗ ଦେଇଥିଲେ । ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଥିବା ମାଟି ପାତ୍ର ଓ ଟେରାକୋଟା ସାମଗ୍ରୀ, ଝାତୁ, ଖଲି-ଦନା ଆଦିର ପୁନଃ ପ୍ରସ୍ତୁତି ଓ ବ୍ୟବହାର କରି ଏହାକୁ ଜୀବନ ଜୀବିକା ଭାବରେ ଗ୍ରହଣ କରି ପ୍ଲାଷ୍ଟିକ ତଥା ପଲିଥିନ୍ ବ୍ୟବହାରକୁ ବର୍ଜନ କରିବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଭାରତ ସରକାରଙ୍କର ପରିବେଶୀୟ ଅଧ୍ୟୟନ କେନ୍ଦ୍ର ତଥା ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପୃଷ୍ଠ ପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦ ସଭାପତିତ୍ବ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଗୋପେଶ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରାମର ପଚାଶ ଜଣ ପୁରୁଷ ମହିଳା ତଥା ଅଲୁମିନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଅତିଥିମାନଙ୍କଠାରୁ ମାନପତ୍ର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅକ୍ଷୟ କୁମାର ଜେନା ଓ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ସହଯୋଗ କରିଥିବାବେଳ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

