Tuesday, December 3, 2024
spot_imgspot_imgspot_img
Homeରାଜ୍ୟପ୍ରଖର ବକ୍ତା ଓ ସଂଗଠକ ଭାବରେ ଯିଏ ସର୍ବଦା ଚର୍ଚ୍ଚିତ : ସାହିତ୍ୟ,ସେବା ଓ...

ପ୍ରଖର ବକ୍ତା ଓ ସଂଗଠକ ଭାବରେ ଯିଏ ସର୍ବଦା ଚର୍ଚ୍ଚିତ : ସାହିତ୍ୟ,ସେବା ଓ ସମର୍ପଣ ପାଇଁ ସମର୍ପିତ ସୁଶାନ୍ତ ମିଶ୍ର ।

ବିଚିତ୍ର ଦୁନିଆଁ ! ଯେଉଁଠି ଜନ୍ମ କଲା ପୁଅ ପର କରିଦିଏ ତ ପରପୁଅ ଆପଣାର ହୋଇଯାଏ । ଯେଉଁଠି କିଏ ଆଖି ଥାଇ ଅନ୍ଧ ହୋଇଯାଏ ତ ଆଉ କିଏ ଅନ୍ଧ ହୋଇ ସବୁ ଦେଖି ପାରେ । ବ୍ୟସ୍ତତା ବହୁଳ ବସ୍ତୁବାଦୀ ବିଶ୍ୱରେ ନିଜ ସ୍ବାର୍ଥ ଥିବା ମଣିଷର ଅନ୍ୟ ପାଇଁ ସମୟ ନ ଥାଏ । ହେଲେ ଏ ଭଳି ସ୍ୱାର୍ଥପର ଦୁନିଆଁରେ ମଧ୍ୟ ଅଛନ୍ତି ଭଲ ମଣିଷମାନେ । ଏମିତି ଜଣେ ଭଲ ମଣିଷ ବିଷୟରେ ସୁଶାନ୍ତ ପଣ୍ଡାଙ୍କ ସ୍ଵତନ୍ତ୍ର ଉପସ୍ଥାପନା……

ସୁଶାନ୍ତ ମିଶ୍ର । ସମଗ୍ର ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତିତ୍ଵ । ପ୍ରଖର ବକ୍ତା,ସଂଗଠକ, ସାହିତ୍ୟିକ ତଥା ଶିକ୍ଷାବିଦ । ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଳପଦର ଗ୍ରାମରେ ୧୯୭୬ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ବାପା ଟଙ୍କଧର ମିଶ୍ର ଓ ମାତା କୁନ୍ତିଲତା ମିଶ୍ରଙ୍କ କୋଳମଣ୍ଡନ କରି ପିତା ମାତାଙ୍କୁ ଯଶସ୍ପୀ ଓ ଭାଗ୍ୟବାନ କରି ପାରିଛନ୍ତି । ତାଙ୍କୁ ମାତ୍ର ଦଶ ବର୍ଷ ବୟସ ହେଉଥିବା ସମୟରେ ବାପାଙ୍କ ପରଲୋକ ହେଲା । ପରିବାର ବୋଝ , ଅଭାବ,ଅନାଟନ ସହିତ ପିଲାବେଳୁ ସଂଘର୍ଷ କରି ଆସିଛନ୍ତି ।

ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ ଭାବରେ ସେ କାର୍ଯ୍ୟରତ । ଏହା ବ୍ୟତୀତ ୬୬୨ କଲେଜ ସଂଘର ବରଗଡ଼ ଜିଲ୍ଲା ସମ୍ପାଦକ, ତାଳପଦର ସରସ୍ଵତୀ ଶିଶୁ ମନ୍ଦିରର ସଭାପତି,ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ସିନେଟ ସଦସ୍ୟ ଭଳି ବିଭିନ୍ନ ଶିକ୍ଷା ସଂଗଠନ ସହିତ ସଂପୃକ୍ତ ରହି ଜଣେ ଶିକ୍ଷାବିଦ ର ପରିଚୟ ହାସଲ କରିଛନ୍ତି । ଜଣେ ଚର୍ଚ୍ଚିତ ସ୍ତମ୍ଭକାର,ପ୍ରାବନ୍ଧିକ,ନାଟ୍ୟକାର, ସାହିତ୍ୟିକ ଭାବରେ ତାଙ୍କର ଖ୍ୟାତି ରହିଛି ।

ଦୀର୍ଘ ଦୁଇ ଦଶନ୍ଧି ହେଲାଣି ନିଜ ଗାଁରେ ଉତ୍ତାଲଗଡ ଉଚ୍ଛବ ନାମରେ ଏକ ସଫଳ ନାଟକ ମହୋତ୍ସବ ଆୟୋଜନ ତାଙ୍କ ସାଂଗଠନିକ ଦକ୍ଷତାର ପରିଚୟ ଦିଅନ୍ତି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ, ଲୋକ କବି ପଦ୍ମଶ୍ରୀ ହଲଧର ନାଗ, ସହିଦ ପୀଠ ଘେଁସ ଭଳି ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହିତ ସଂପୃକ୍ତ ରହି ଆସିଛନ୍ତି ଶ୍ରୀମାନ ମିଶ୍ର । ତାଙ୍କର ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ପ୍ରାୟ ବହୁ ସଂଖ୍ୟାରେ ନାଟକ, ପ୍ରବନ୍ଧ, ଗବେଷଣାତ୍ମକ ପୁସ୍ତକ ଆଦି ପ୍ରକାଶନ ପାଇଁ ପ୍ରସ୍ତୁତି ଚାଲିଥିବାର ଜଣାଯାଇଛି । ଶିକ୍ଷା ଓ ସାହିତ୍ୟ ସହିତ ସେବା ଓ ସମର୍ପଣ ମାନସିକତା ହିଁ ସୁଶାନ୍ତ ମିଶ୍ରଙ୍କ ମହାନତା ଅଟେ ।

ଖୁବ କମ ବୟସରୁ ମାଗଣା ଚକ୍ଷ୍ୟୁଚିକିତ୍ସା ଶିବିର, କୁଷ୍ଠରୋଗ ନିରାକରଣ ଶିବିର,ରକ୍ତଦାନ ଶିବିର ଆଦି ଆୟୋଜନରେ ସଂପୃକ୍ତ ରହି ଆସିଛନ୍ତି । ସଦା ସର୍ବଦା ଗରିବ,ନିରୀହ ଓ ନିରଶ୍ରୟଙ୍କ ସେବାକୁ ଅଗ୍ରାଧିକାର ଦେଉଥିବା ଶ୍ରୀମାନ ମିଶ୍ର ଅନେକ ସମୟରେ ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସାହାଯ୍ୟ କରିଆସୁଛନ୍ତି ।ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଚିକିତ୍ସିତ କରାଇବା ଘଟଣା ପାଇଁ ଲୋକଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି । ମାଆଁ,ପିଉସୀ,ଚାରିଭାଇ, ପତ୍ନୀ ଏବଂ ପୁଅ ଝିଅଙ୍କୁ ନେଇ ତାଙ୍କ ଏକ ବଡ଼ ପରିବାର । ବ୍ୟସ୍ତତା ଭିତରେ ମଧ୍ୟ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ପରିବାରର ପ୍ରୋତ୍ସାହନ ତାଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଜନ୍ମଦିନ କିମ୍ବା ଯେକୌଣସି ପାରିବାରିକ ଉତ୍ସବରେ ବୃକ୍ଷରୋପଣ, ରକ୍ତଦାନ, ନିରୀହ ନିରାଶ୍ରୟ କି ଭିକାରୀଙ୍କ ସେବା ହିଁ ମାଧ୍ୟମ ହୋଇଥାଏ । ୨୦୧୨ ମସିହାରୁ ନିଜ ଗାଁରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ସକ୍ରିୟ ଭୂମିକା ନେଇ ଯୁବକ ମାନଙ୍କୁ ସଚେତନ କରି ଆସୁଛନ୍ତି ଶ୍ରୀମାନ ମିଶ୍ର । ଜଣେ ଦକ୍ଷ ସଂଗଠକ, ପ୍ରଖର ବକ୍ତା, ଆଦର୍ଶ ଶିକ୍ଷକ, ସାହିତିକ, ସମର୍ପିତ ସମାଜସେବୀ ଭାବରେ ସେ ସବୁଠି ଚର୍ଚ୍ଚିତ । ତାଙ୍କ ସୃଜନ ହେଉ କିମ୍ବା ବକ୍ତବ୍ୟ ସ୍ଵତନ୍ତ୍ର ଓ ନିଆରା ଉପସ୍ଥାପନା ଶୈଳୀ ପାଇଁ ଯଥେଷ୍ଟ ଲୋକଙ୍କ ଆଦୃତି ଲାଭ କରିଆସୁଅଛି ।

ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ଜନମାନସକୁ ପ୍ରଭାବିତ କରିଥାଏ । ବହୁ ଯୁବ ପିଢୀଙ୍କ ସେ ପସନ୍ଦ ହୋଇଥିବା ବେଳେ ବିଭିନ୍ନ ପିଢ଼ିର ଲୋକେ ମନ ଭରି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇଥାନ୍ତି । ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶତାଧିକ ସମ୍ମାନ ଓ ସମ୍ବର୍ଦ୍ଧନାରେ ସେ ଭୂଷିତ ହୋଇ ଆସୁଛନ୍ତି । ସର୍ବଦା ଅନ୍ୟକୁ ପ୍ରଭାବିତ କରିବା ଭଳି କାମ କରି କେବଳ ଚର୍ଚ୍ଚିତ ନୁହନ୍ତି,ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି ।

ଉପସ୍ଥାପନା- ସାମ୍ବାଦିକ ସୁଶାନ୍ତ ପଣ୍ଡା

error: Content is protected !!