ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ପିପୁଲ୍ସ କଲେଜ ହବ୍ ସେଣ୍ଟରରେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ସହିତ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ର ଆସି ପହଞ୍ଚିବା ପରେ ସେଗୁଡିକ ପୋଲିସର ୨୪ ଘଣ୍ଟିଆ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି । ଚଳିତ ମାସ ୧୮ ତାରିଖରୁ ଯୁକ୍ତ ଦୁଇ ବିଜ୍ଞାନ ଓ ୧୯ ତାରିଖରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ବୁଗୁଡ଼ାର ପିପୁଲ୍ସ କଲେଜ ଓ ବଳଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାଙ୍ଗକୁ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କରଚୁଲି ଶକୁନ୍ତଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ

ଏବଂ ପିପୁଲ୍ସ କଲେଜର ଧନ୍ଦାମୂଳକ ଶିକ୍ଷାର୍ଥୀ ନିଜ ନିଜର ଶିକ୍ଷାନୁଷ୍ଠାନ କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ପାଇଁ ଏହି ହବ୍ ସେଣ୍ଟରରେ ପରୀକ୍ଷା ପ୍ରଶ୍ନପତ୍ର ଗଚ୍ଛିତ ରହିଛି । ଅନ୍ଯପକ୍ଷରେ ବାଲିପଦରସ୍ଥ ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ପିପୁଲ୍ସ କଲେଜ କେନ୍ଦ୍ରରେ ପରୀକ୍ଷା ଦେବା ନେଇ ଜଣାଯାଇଛି । ଉକ୍ତ ହବ୍ ସେଣ୍ଟରର ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଦାୟିତ୍ବରେ ଯଥାକ୍ରମେ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ଡ. ଜୟରାମ ବିଷୋୟୀ ରହିଥିବା ବେଳେ

ସହଯୋଗୀ ଭାବେ କନିଷ୍ଠ କିରାଣୀ ହର ପ୍ରସାଦ ମହାପାତ୍ର ଓ ପିଅନ ଯୁଗଳ କିଶୋର ଜେନା ନିୟୋଜିତ ଥିବା ଜଣାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ବୁଗୁଡ଼ା ବ୍ଲକର ବିଭିନ୍ନ କେନ୍ଦ୍ରରେ ଯୁକ୍ତ ଦୁଇ ବିଜ୍ଞାନରେ ୩୩୬ ଏବଂ କଳାରେ ୧୧୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ସେଥି ମଧ୍ୟରୁ ବିଜ୍ଞାନରେ ୪୩ ଏବଂ କଳାରେ ୪୧ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଥିବା ଜଣାଯାଇଛି।

