ପଦ୍ମପୁର – ପଦ୍ମପୁର ପୋଲିସକୁ ବଡ ସଫଳତା, ଦଶଲକ୍ଷ ଟଙ୍କାର ନିଶା ଔଷଧ ସହ ଆଠ ଜଣକୁ ଗିରଫ କରିଛି ପଦ୍ମପୁର ପୋଲିସ । ଗାଇସିଲାଟ ଥାନା ଅଂଚଳରୁ ପଦ୍ମପୁର ଥାନା ଅଂଚଳକୁ ନିଶା ଔଷଧ ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ ପଦ୍ମପୁର ଥାନା ଅନ୍ତର୍ଗତ ସପିଆଁ ଛକ ନିକଟରେ ଛପି ରହିଥିଲେ । ପୂର୍ବରୁ ଜଗିଥିବା ପୋଲିସ ଅଧିକାରୀ ମାନେ ଗୋଟିଏ ଚାରି ଚକିଆ ଯାନକୁ ଅଟକାଇଥିଲେ । ସେହି ଗାଡିରୁ ୫,୦୦୦ ନିଶା ଇଂଜେଶନ, ୧୨,୦୦୦ ନିଶା ଟାବଲେଟ, ୭୨୦ ଗୋଟି କଫ ସିରଫ ବୋତଲ ଜବତ କରିଥିଲେ । ନିଶା ଔଷଧ ଚାଲାଣରେ ବ୍ୟବହୃତ ଚାରି ଚକିଆ ଯାନ ସହ ସହେଯାଗକାରୀ ମାନଙ୍କ ଦୁଇଗୋଟି ମୋଟର ସାଇକେଲ ଜବତ କରିଥିଲେ ।

ଏହି ନିଶା ଔଷଧ ଚାଲାଣ କରୁଥିବା ଅଭିଯୋଗରେ ପଦ୍ମପୁର ଥାନା ଅନ୍ତର୍ଗତ ହନୁମାନପଡାର ଟିଙ୍କୁ ଓରଫ ସରଫରାଜ ଖାନ,ରଜାପଡାର ଶିବ ଓରଫ ମନୋରଂଜନ ପୋଢ,ରଜାପଡାର ଏମଡି ଆଶିଫ ଓରଫ ମହମ୍ମଦ ଅସଲମ,ଭେଉଁରିଆର ଅମରେଶ ଓରଫ ପିଣ୍ଟୁ ପଟେଲ,ଚାରପାଲିର ତନ୍ମୟ ନାଗ,ସୋହେଲା ଥାନା ଅନ୍ତର୍ଗତ ହଳଦୀପାଲିର ପ୍ରଶାନ୍ତ ଦାଶ,ଦୁଷ୍ମନ୍ତ ନାୟକ ଓ ବରଗଡ ବିଶିପଡାର ରାଘୁ ସାହୁକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୮୩୭୦ ଟଙ୍କା ଓ ସାତଗୋଟି ମୋବାଇଲ ଫୋନ ଜବତ କରିଥିଲେ । ପଦ୍ମପୁର ଥାନା କେଶ ନମ୍ବର ୨୩୧ ଆଧାରରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି । ଏହି ଚଢାଉରେ ଏସଆଇ ପ୍ରମିଲା ମଲ୍ଲିକ,ଏଏସଆଇ ସନ୍ତୋଷ ସାହୁ,ହାବିଲଦାର ପ୍ରକାଶ ଆଚାର୍ଯ୍ୟ,କନେଷ୍ଟବଲ ଏ. ପାଢୀ ଓ ବି. ବରିହା ତଥା ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ରହିଥିଲେ ।



