ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସକୁ ପୁଣି ସଫଳତା । ପାଇକମାଲ ଥାନା ଅଞ୍ଚଳରୁ ଗୋରୁ ଚାଲାଣ ହେଉଥିବା ଖବର ସାମନାକୁ ଆସିବା ପରେ ପୋଲିସ ଗୋରୁ ମାଫିଆ ମାନଙ୍କୁ କାବୁ କରିବାରେ ଲାଗିପଡିଛ। ପାଇକମାଲ ଥାନା ଗନ୍ଧମାର୍ଦ୍ଦନ ଗୋଶାଳାରୁ ୧୯ ଗୋଟି ଗୋରୁ ଚୋରିହୋଇଥିବା ସେଠାକାର କର୍ମଚାରୀ ପ୍ରଭାକର ଗଡତିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଟିମ ତଦନ୍ତ ଆରମ୍ଭ କରିଥିଲେ ।
ପାଇକମାଲ ଥାନା ବରତୁଣ୍ଡା ଗାଁର ତ୍ରିଲୋଚନ ବିନେତ,ଶେଷଦେବ ପୋଢ,ବେଣୁ ମେହେର ଓ ରାଜମୋହନ ସୁନାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୯ ଗୋଟି ଗୋରୁ ଉଦ୍ଧାର କରାଯାଇଥିବା ସୂଚନା ମିଲିଛି । ମିଳିଥିବା ସୂଚନା ମୁତାବକ ଜୁଲାଇ ୩୧ ତାରିଖ ଦିନ ବରତୁଣ୍ଡା ଅଞ୍ଚଳର ଚାରିଜଣ ଗୋରୁ ମାଫିଆ ଏକ କଣ୍ଟେନରରେ ଗୋରୁ ଚାଲାଣ କରୁଥିବା ବେଳେ ପୋଲିସ ଧରିଥିଲା । ପାଞ୍ଚଦିନ ନ ପୂରୁଣୁ ପୁଣି ସେହି ବରତୁଣ୍ଡା ଅଞ୍ଚଳରୁ ଚାରିଜଣ ଗୋରୁ ମାଫିଆଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି।
ଏହି ଚାରିଜଣ ଗୋରୁ ମାଫିଆଙ୍କୁ ପାଇକମାଲ ଥାନା କେଶ ନମ୍ବର ୧୮୭ ତା. ୦୫/୦୮/୨୦୨୪ ଆଧାରରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି । ଏହି କେଶର ତଦନ୍ତ ଦାୟିତ୍ବରେ ସବ ଇନ୍ସପେକ୍ଟର ବିରେନ୍ଦ୍ର ବାଗ ରହିଛନ୍ତି । ତେବେ ଏହି ଗୋରୁ ଚାଲାଣର ମୁଖ୍ଯ ଆସାମୀ କିଏ ତାହା ତଦନ୍ତ ହେବା ସହ ତାକୁ ଗିରଫ କରିବା ସାଧାରଣରେ ଦାବୀ ହେଉଛି ।