ପଦ୍ମପୁର-ପଦ୍ମପୁର ଉପଖଣ୍ଡରେ ସିବିଏସଇ ଦ୍ବାରା ପରିଚାଳିତ ଛଅଗୋଟି ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇନଥିଲା । ପରୀକ୍ଷା ଫଳ ପ୍ରକାଶନ ଦାବିରେ ଗତ ୨୪ ତାରିଖ ଦିନ ଛାତ୍ରଛାତ୍ରୀ ମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ । ପରେ ୨୭ ତାରିଖ ଦିନ କେବଳ ୩୦୦ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶିତ ହୋଇଥିଲା । ବଳକା ୮୮୫ ଜଣ ଛାତ୍ରଛାତ୍ରୀ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ସ୍ଥିତ ବାସଭବନକୁ ସାକ୍ଷାତ ପାଇଁ ଯାଇଥିଲେ ଏବଂ ସେଠାରୁ ନିରାଶ ହୋଇ ଫେରିଥିଲେ ।

ଉତକ୍ଷିପ୍ତ ଓ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକ ଅନ୍ୟ କୌଣସି ଉପାୟ ନ ପାଇ ଗୁରୁବାର ଦିନଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ଗଣଧାରଣାରେ ବସିଛନ୍ତି। ପରୀକ୍ଷଫଳର ପୁନଃ ସମୀକ୍ଷା ଶହ ଅନ୍ତତଃ ଅନ୍ୟ ବିଷୟରେ ଆଣିଥିବା ମାର୍କର ଅନୁପାତରେ ଫେଲ କିମ୍ବା ଶୂନ୍ୟ ମାର୍କ ଥିବା ବିଷୟକୁ ବିଚାରକୁ ନେଇ ଶୀଘ୍ର ପରୀକ୍ଷାଫଳ ପ୍ରକାଶ କରାଗଲେ ଛାତ୍ରଛାତ୍ରୀ ମାନେ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇ ପାରିବେ ବୋଲି ଗୁହାରି କରିଛନ୍ତି ।

ଶୁକ୍ରବାର ଛାତ୍ରଛାତ୍ରୀ ମାନେ ସାମୁହିକ ଭାବେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନ୍ୟାୟ ପାଇଁ ପୋଷ୍ଟକାର୍ଡ ମାଧ୍ୟମରେ ଲେଖି ଜଣାଇବେ ତଥା ଆନ୍ଦୋଳନ ଜାରି ରଖିବେ ଏବଂ ସେପଟେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିକଟରେ ପରୀକ୍ଷାଫଳକୁ ଚାଲେଞ୍ଜ କରି ରିଟ ପିଟିସନ ଦାଖଲ କରାଯିବ ବୋଲି ସଂଯୁକ୍ତ ଅଭିଭାବକ ମଞ୍ଚର ଉପଦେଷ୍ଟା ବରିଷ୍ଠ ଆଇନଜୀବି ଅଜିତ ଶତପଥି ସୂଚନା ଦେଇଛନ୍ତି ।


