Saturday, March 7, 2026
Homeଅଘଟଣପରଲୋକରେ ବରିଷ୍ଠ ସମାଜସେବୀ ଶଶି ଭୂଷଣ ବରିହା ।

ପରଲୋକରେ ବରିଷ୍ଠ ସମାଜସେବୀ ଶଶି ଭୂଷଣ ବରିହା ।

ପଦ୍ମପୁର– ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଦାଗାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଗଡି ଗ୍ରାମର ଜଣେ ଅତ୍ୟନ୍ତ ସମ୍ମାନିତ ଓ ବରିଷ୍ଠ ସମାଜସେବୀ ଶଶି ଭୂଷଣ ବରିହାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କ ଆକସ୍ମିକ ବିୟୋଗ ଖବର ପାଇ ସମଗ୍ର ଅଞ୍ଚଳ ଶୋକସାଗରରେ ବୁଡ଼ିଯାଇଛି। ଗତ ୨୫ ତାରିଖ ଦିନ ହଟାତ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ପହଞ୍ଚାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକତ୍ସିତ ସମୟରେ ଶନିବାର ଦିନ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।

ସ୍ବର୍ଗତ ବରିହା ପୂର୍ବରୁ ଦେବଦତ୍ତ କ୍ଲବର ସଭାପତି ଭାବରେ କାର୍ଯ୍ୟ କରିଥିବା ବେଳେ ବର୍ତମାନ କ୍ଳବର ଉପସଭାପତି ଭାବରେ କାର୍ଯ୍ୟରତ ଥିଲେ ଏବଂ ଗାଇସିଲେଟ ବ୍ଲକ ବିଂଝାଲ ସମାଜ ଏବଂ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ଓ ଆଦିବାସୀ ଓବିସି ଦଳିତ ସେନାର ଉପଦେଷ୍ଟା ଭାବରେ ଦାୟିତ୍ଵ ନେଇ ଦୀର୍ଘ ତିନି ଦଶନ୍ଧି ଧରି ସେ ସମାଜସେବାକୁ ନିଜ ଜୀବନର ମନ୍ତ୍ର କରିନେଇ ଗରିବ, ଅସହାୟ, ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ। ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟ ସଚେତନତା, ନାରୀ ସଶକ୍ତିକରଣ,ଶିଶୁ ସୁରକ୍ଷା ଓ ସାମାଜିକ ଏକତା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା ଥିଲା ତାଙ୍କର ପରିଚୟ। ନିଜ ସୁବିଧାକୁ ପଛରେ ରଖି ସେ ସଦା ସର୍ବଦା ସାଧାରଣ ଲୋକଙ୍କ ଦୁଃଖ ସୁଖର ସାଥୀ ହୋଇ ରହିଥିଲେ। ତାଙ୍କର ସେବାଭାବ ଓ ମାନବିକତା ଆଗାମୀ ପିଢ଼ି ପାଇଁ ପଥପ୍ରଦର୍ଶକ ହେବ। ତାଙ୍କ ପରଲୋକ ଖବର ପାଇ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ବୁଦ୍ଧିଜୀବୀ ମହଳର ଅନେକ ଗୁଣୀଜନ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୋକାକୁଳ ପରିବାରବର୍ଗ ପ୍ରତି ସମସ୍ତଙ୍କର ସମବେଦନା ପ୍ରକାଶ ପାଉଛି। ରବିବାର ସକାଳ ୮ ଟା ସମୟରେ ନିଜ ଜନ୍ମମାଟିରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ତାଙ୍କ ପରିବାର ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

error: Content is protected !!