
ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି ।ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ,ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଡ୍ସ ସଚେତନତାର ବାର୍ତ୍ତା ନେଇ ମହାବିଦ୍ୟାଳୟରୁ ଏକ ପଦଯାତ୍ରାରେ ବାହାରି ଚାରପାଲି ଏବଂ ସିଂହନପୁର ଗ୍ରାମ ପରିଦର୍ଶନ କରି ସାଧାରଣ ଲୋକଙ୍କୁ ଏଚ୍.ଆଇ.ଭି ର ପ୍ରତିରୋଧ, ଚିକିତ୍ସା ଓ ଏଡ୍ସ ରୋଗୀଙ୍କ ପ୍ରତି ସହାନୁଭୂତି ରଖିବାକୁ ବାର୍ତ୍ତା ଦେଇଥିଲା ।

ପରେ ମହାବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ ଚିକିତ୍ସାଧିକାରୀ ଶ୍ରୀମାନ୍ ଡବୁ ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଚ୍.ଆଇ.ଭି କୁ ଆଦୌ ଭୟ କରିବାର ନାହିଁ, ବରଂ ଏହାକୁ ପ୍ରତିରୋଧ କରିବା ପାଇଁ ସଠିକ୍ ଜ୍ଞାନ ଓ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି କହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ସଭାପତିତ୍ୱ ଅଭିଭାଷଣରେ ପ୍ରଫେସର ଦାଶ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଦାୟିତ୍ୱ ନେବାକୁ ଓ ଭେଦଭାବ ଦୂର କରିବାକୁ ପ୍ରେରଣା ଦେଇଥିଲେ । ମହାବିଦ୍ୟାଳୟର ସଂଯୋଜକ ପ୍ରମୋଦ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ, ସଂଯୋଜିକା ଡ. ମମତାମୟୀ ଗୁରୁ ଉପସ୍ଥିତ ସମସ୍ତ ଅତିଥି, ପ୍ରାଧ୍ୟାପକ,ପ୍ରାଧ୍ୟାପିକା ,ଅଧ୍ୟାପକ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଓଡ଼ିଆ ପ୍ରବନ୍ଧ ଲିଖନ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।



