ପଦ୍ମପୁର-ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଲିଛି ଅପ୍ରତ୍ୟାଶିତ ଫଳାଫଳ । ସମସ୍ତ ରାଜନୈତିକ ସମାଲୋଚକ ଓ ସମୀକ୍ଷକଙ୍କ ଆକଳନକୁ ଭୁଲ ସାବ୍ୟସ୍ତ କରି ଜନତା ନିଜର ସ୍ୱତନ୍ତ୍ର ମତ ପ୍ରଦାନ କରି ଭାରତୀୟ ଜନତା ପାର୍ଟିକୁ ମ୍ୟାଜିକ ନମ୍ବର ପ୍ରଦାନ କରିବା ସହିତ ଲୋକସଭାରେ ସର୍ବାଧିକ ଆସନ ପ୍ରଦାନ କରିଛନ୍ତି । ବରଗଡ଼ ଲୋକସଭା ଆସନ ସହିତ ଏହି ଲୋକସଭା ଅନ୍ତର୍ଗତ ୬ ଗୋଟି ବିଧାନସଭା ଆସନ ଯଥା ବ୍ରଜରାଜନଗର , ଝାରସୁଗୁଡ଼ା , ଅତାବିରା , ବରଗଡ଼ ବିଜେପୁର ,ଓ ଭଟଲି ଆସନ ବିଜେପି ହାତେଇ ଥିବା ବେଳେ ଏକ ମାତ୍ର ପଦ୍ମପୁର ଆସନ ବିଜୁ ଜନତା ଦଳର ହାତକୁ ଆସିଛି ।
ପଦ୍ମପୁରରୁ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀ ଗୋବର୍ଦ୍ଧନ ଭୁଏ ଙ୍କୁ ୧୦ ହଜାର ୯୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶେଷ ଫଳାଫଳ ଆସିବା ପରେ ଶ୍ରୀମତୀ ବର୍ଷା ନିଜର ଭାଇ ଶ୍ରୀ ଭୋଜରାଜ ସିଂ ବରିହା ଓ ନିଜର ସମର୍ଥକଙ୍କ ସହିତ , ନିଜର ସ୍ବର୍ଗତ ପିତା ପୂର୍ବତନ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧି ପୀଠ କୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ବର୍ଗତ ଆତ୍ମାର ଆଶୀର୍ବାଦ ଭିକ୍ଷା କରିଥିଲେ ।
ପଦ୍ମପୁର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ମୁଁ ମୋର ଜନ୍ମ ମାଟିର ସମସ୍ତ ଜନସାଧାରଣଙ୍କୁ ପ୍ରଣାମ ଜଣାଇ ଧନ୍ୟବାଦ ଜଣାଉଛି । ମୋର ଉପରେ ଆସ୍ଥା ପ୍ରକଟ କରି ମତେ ଆଶୀର୍ବାଦ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ପଦ୍ମପୁର ବାସୀ ଙ୍କ ସବୁ ପ୍ରକାର ବିକାଶ ପାଇଁ ମୁଁ ମୋର ଉଦ୍ୟମ ଜାରି ରଖିବି ।