ବରଗଡ଼(ରିପୋର୍ଟ୍ ସୁଶାନ୍ତ ପଣ୍ଡା)-ବରଗଡ଼ ଜିଲ୍ଲା ବନବିଭାଗ ପକ୍ଷରୁ ଆଜି ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଓ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ତଥା ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ଯୋଗଦେଇଥିଲେ ।
ସର୍ବପ୍ରଥମେ ଅତିଥି ମାନେ ମା ବାଗଦେବୀଙ୍କ ପ୍ରତିଛବି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ବନ୍ୟଜନ୍ତୁ ସୁରକ୍ଷା ଓ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପରିବେଶ ଓ ଜୀବଜଗତ ସୁରକ୍ଷା କୁ ନେଇ ବନବିଭାଗ ଓ ସାଧାରଣ ଜନତାଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିବା ବେଳେ ଅନ୍ୟତମ ଅତିଥି ମାନେ ପରିବେଶ ସୁରକ୍ଷା ଉପରେ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ଉପରେ ଆଲୋକପାତ କରିବା ସହ ସମସ୍ତ ବନ୍ୟଜନ୍ତୁ କେମିତି ସୁରକ୍ଷିତ ରହିବେ ସେହି ବିଷୟରେ ଅତି ଚମତ୍କାର ଭାବରେ ସଚେତନ କରିଥିଲେ ।
ତେବେ ୨୦୨୩-୨୪ ଆର୍ଥିକ ବର୍ଷ ରେ ଓଡ଼ିଶା ସରକାରଙ୍କ ତରଫରୁ ୭ ଜଣ ପ୍ରକୃତି ବନ୍ଧୁ ଏବଂ ଆଠ ଗୋଟି ପ୍ରକୃତି ମିତ୍ର ପୁରସ୍କାର ପାଇଁ ବିବେଚିତ ହୋଇଥିବା ଅନୁଷ୍ଠାନ କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ରାଶି ଓ ବୃକ୍ଷ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ସ୍ଥିତ ଓଡ଼ିଶା ବାନରାଜିକ ମହାବିଦ୍ୟାଳୟର ପଡ଼ିଆରେ ହୋଇଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟ୍ ର ଡିସ୍କସ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଏବଂ ହାମର୍ ଥ୍ରୋ ପ୍ରତିଯୋଗିତାରେ ରୋପ୍ୟ ପଦକ ହାସଲ କରିଥିବା ବନରକ୍ଷୀ ଲିଜୀ ମହାପାତ୍ର ଏବଂ ଜୋନାଲ ସ୍ତରୀୟ ସ୍ପୋର୍ଟସ ରେ କୃତିତ୍ୱ ହାସଲ କରିଥିବା ସୁପ୍ରିୟା ଭୁଏ,ଅଭିଷେକ ସାହୁ ଏବଂ ପୃଥିବି ରାଜ ଭୋଇଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଓ ବୃକ୍ଷ ଦେଇ ଅତିଥି ମାନେ ସମ୍ମାନିତ କରିଥିବା ବେଳେ ଅନେକ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର, ବୃକ୍ଷ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ୟ ଜନ୍ତୁ ସୁରକ୍ଷା,ପରିବେଶ ସୁରକ୍ଷା କୁ ନେଇ ଏକ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ପଦ୍ମପୁର ବନାଞ୍ଚଲ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଜଗଦଲାଙ୍କ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ନାଏକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବନପାଲ ସରୋଜ କୁମାର ସାହୁ,ରାଧାକାନ୍ତ କୁମ୍ଭାର,ଦିବାକର ପ୍ରଧାନ, ଟିମ୍ ଲିଡର (AJY) ଶ୍ରୀଯୁକ୍ତ ପ୍ରକାଶ ହୋତା ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ପରିଶେଷରେ ସହକାରୀ ବନ ସଂରକ୍ଷକ ଡ. ହରମହନ ରଥ ମଞ୍ଚାସିନ ଅତିଥି, ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଏବଂ ଉପସ୍ଥିତ ସମସ୍ତ ପରିବେଶ ପ୍ରେମୀ ଓ ବନବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।