କଳାହାଣ୍ଡି(ବିଘ୍ନେଶ୍ୱର ନାୟକ-ପିଙ୍କୁ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ସମିତିର ସାଧାରଣ ବୈଠକ ଆଜି ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ବ୍ଲକ୍ ଅଧ୍ୟକ୍ଷା ବବିତା ପଟଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଯୋଗ ଦେଇଥିଲେ। ତହସିଲଦାର ସଞ୍ଜୟ ସାମନ୍ତରା, ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ, ଉପାଧ୍ୟକ୍ଷ ଜୁଲି ମେହେର ପ୍ରମୁଖ ମଞ୍ଚାସୀନ ଥିଲେ| ବିଡିଓ ଶରତ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ।
କୃଷି, ସ୍ବାସ୍ଥ୍ୟ ସେବା, ଶିଶୁ ବିକାଶ, ଅବକାରୀ, ବିଦ୍ୟୁତ, ପ୍ରାଣୀ ସଂପାଦକ, ଜଳଛାୟା ଓ ମୂର୍ତ୍ତିକା ସଂରକ୍ଷଣ, ମତ୍ସ୍ୟ, ପାନୀୟ ଜଳ ଓ ପରିମଳ, ଜଙ୍ଗଲ ଓ ଲଘୁ ବନ ଜାତୀୟ ଦ୍ରବ୍ୟ ପରିଚାଳନା,ଆଦିବାସୀ ଓ ହରିଜନ କଲ୍ୟାଣ, ରାସ୍ତା ଓ ଗୃହନିର୍ମାଣ, ଜଳସେଚନ ବ୍ୟବସ୍ଥା, ଗ୍ରାମ୍ୟ ଉନ୍ନୟନ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଓଡ଼ିଶା ଜୀବିକା ମିସନ ଓ ସ୍ବଚ୍ଛ ଭାରତ ମିସନ ଆଦି ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଧାୟକ ୧୨୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈଠକର ବିବରଣୀ ପ୍ରଦାନରେ ବିଳମ୍ବକୁ ନେଇ ସରପଞ୍ଚ, ସମିତିସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିପିଇଓ ଦେବୀପ୍ରସାଦ ମେହେର କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ।