ଦାଦନ ପ୍ରବଣ ବ୍ଲକରେ କୃଷି ବିଭାଗକୁ ଅଣଦେଖା କାହିଁକି ?
ଆଠ ବର୍ଷ କାଳ ଗାଇସିଲେଟ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ନିୟୋଜିତ ଅଛନ୍ତି ଜଣେ ଏ.ଏ.ଓ ।
ଜଣେ ଅଧିକାରୀଙ୍କ ହାତରେ ଗୁରୁ ଦାୟିତ୍ବ,କମ କର୍ମଚାରୀଙ୍କ ପାଇଁ ଏ.ଏ.ଓ ଚିନ୍ତିତ ।
ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଥିଲେ ରୁପାନ୍ତରିତ ହୋଇ ପାରନ୍ତା ସରକାରୀ ଯୋଜନା ।
ଗାଇସିଲେଟ- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । କୃଷକ ମାନେ କିଭଲି ଭାବରେ ଉନ୍ନତ ମାନର ବିହନ,ସାର ତଥା ଔଷଧ ପାଇପାରିବେ ଓ ଠିକ ସମୟରେ କୃଷି ସମ୍ବନ୍ଧୀୟ ପରାମର୍ଶ ପାଇ ଚାଷରେ ଲାଭବାନ ହୋଇପାରିବେ ସେଥିପାଇଁ କୃଷି ବିଭାଗ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ନିୟୋଜିତ କରିଛନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ଦାଦନ ପ୍ରବଣ ଗାଇସିଲେଟ କୃଷି ବିଭାଗ କାର୍ଯ୍ୟାଳୟରେ ଏକ ବ୍ଯତିକ୍ରମ ଦେଖିବାକୁ ମିଲୁଛି ।ଗାଇସିଲେଟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ କର୍ମଚାରୀଙ୍କ ମରୁଡି ଦେଖିବାକୁ ମିଲିଛି ।
ଉଣେଇଶ ଗୋଟି ପଞ୍ଚାୟତରେ ଅଠର ଗୋଟି ଭି.ଏ.ଡବ୍ଲୁଙ୍କ ଜାଗାରେ କେବଳ ସାତଜଣ ଭି.ଏ.ଡବ୍ଲୁ କାର୍ଯ୍ୟକରୁଛନ୍ତି। କର୍ମଚାରୀ ମରୁଡିର ପ୍ରଭାବ ସିଧାସଳଖ ଭାବରେ ଚାଷୀଙ୍କ ଉପରେ ପଡୁଛି । ଚାଷୀ ମାନେ ଉପଯୁକ୍ତ ସମୟରେ ସଠିକ ତଥ୍ଯ ପାଇ ପାରୁ ନାହାଁନ୍ତି । ମଧୁସ୍ମିତା ମିଶ୍ର ଏ.ଏ.ଓ ଭାବରେ ଦୀର୍ଘ ଆଠ ବର୍ଷ କାଳ ଗାଇସିଲେଟ ବ୍ଲକରେ ବହୁ କଷ୍ଟରେ ବିଭାଗର ଦାୟିତ୍ବ ତୁଲାଇଥିବା କହିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଲେ ମଧ୍ଯ ଏହି ସବୁ ଅବ୍ୟବସ୍ଥା କାରଣରୁ ତାହା କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିବା କହିଛନ୍ତି ।
କର୍ମଚାରୀଙ୍କ ଅଭାବ କାରଣରୁ ଚାଷୀମାନଙ୍କୁ ସୂଚନା ତଥା ପରାମର୍ଶ ପ୍ରଦାନରେ ଅସୁବିଧା ହେଉଥିବା ସେ କହିଛନ୍ତି । ଜଳସେଚିତ ବରଗଡ ଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ରହୁଛନ୍ତି ହେଲେ ଗାଇସିଲେଟ ପରି ଉପାନ୍ତ ଅଞ୍ଚଳରେ କର୍ମଚାରୀ ଆସିବା ପାଇଁ ପସନ୍ଦ କରିନାହାନ୍ତି , ସେଥିପାଇଁ ସେ ଚିନ୍ତାବ୍ୟକ୍ତ କରିଛନ୍ତି । କର୍ମଚାରୀ ମରୁଡିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଗାଇସିଲେଟ ଅଞ୍ଚଳରେ ଚଢାଦରରେ ନକଲି ଔଷଧ,ସାର ଓ ବିହନ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି। ଦାଦନ ପ୍ରବଣ ଗାଇସିଲେଟ ବ୍ଳକରେ ସରକାର କେବେ ଅଧିକାରୀ ନିଯୁକ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।