ପଦ୍ମପୁର – ରାଜବୋଡାସମ୍ବର ବ୍ଲକ କନସିଂହା ପଂଚାୟତ ଅନ୍ତର୍ଗତ ବଇଦପାଲି ଗ୍ରାମରେ ଗତ ୨୦ ତାରିଖ ସୋମବାର ମଧ୍ଯ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ମିଳିଥିବା ସୂଚନା ଅନୁସାରେ ବଇଦପାଲିର ଈଶ୍ୱର ନେଟୀଙ୍କ ଘରେ ଈଶ୍ୱରଙ୍କ ସହ ସମ୍ପର୍କୀୟ କେନାବୁଦାର ଉମାଶଙ୍କର ଧରୁଆ, ଖଗେଶ୍ୱର ବରିହା, ପଥୁରୀର ସାନନ୍ଦ ଜଗତ ଏକତ୍ର ଶୋଇଥିଲେ ।
ହଠାତ ରାତିରେ ସାନନ୍ଦ ଜଗତ ଅନ୍ୟମାନଙ୍କୁ ଟାଙ୍ଗିଆ ଚୋଟରେ ଶୋଇଥିବା ଅବସ୍ଥାରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ଗୁରୁତର ରକ୍ତାକ୍ତ ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର, ପରେ ଶଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଖଗେଶ୍ୱର ବରିହାଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇଜଣ ଆହତ ବୁର୍ଲା ଡାକ୍ତରଖାନାରେ ଜୀବନ ମରଣ ସହ ଲଢୁଛନ୍ତି ।
ଈଶ୍ୱର ନେଟୀଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ ଦାୟର କରିବା ପରେ ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାରୀ ଅଭିଯୁକ୍ତ ସାନନ୍ଦ ଜଗତକୁ ଅଟକ ରଖି ତଦନ୍ତ କରୁଛନ୍ତି । ପ୍ରାଣାନ୍ତକ ଆକ୍ରମଣ ଓ ନିର୍ମମ ହତ୍ୟା କରିଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ବିଧାନ କରିବାକୁ ଆହତଙ୍କ ପରିବାର ବର୍ଗ ଦାବୀ କରିଛନ୍ତି ।