Saturday, April 19, 2025
spot_imgspot_imgspot_img
Homeରାଜ୍ୟଜନ୍ମଜୟନ୍ତୀରେ ବିଜୟ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ।

ଜନ୍ମଜୟନ୍ତୀରେ ବିଜୟ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ।

ପଦ୍ମପୁର-ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ,ରାଜ୍ୟ ସରକାର ଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଆଜି ଥିଲା ଜନ୍ମ ଜୟନ୍ତୀ। ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବରିହା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ବୋଧ ହୁଏ ବରଗଡ଼ ଜିଲ୍ଲା ଏ ଗ୍ରାମାଞ୍ଚଳରୁ ଜଣେ ଆଦିବାସୀ ଛାତ୍ର ଭାବରେ ଭାରତ ବର୍ଷର ସର୍ବଶ୍ରେଷ୍ଠ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ କରିବାର ସୁଯୋଗ ପାଇଥିବା ବ୍ୟକ୍ତି ବିଜୟ ବାବୁ ଥିଲେ । ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ଚାହିଁଥିଲେ ଭାରତ କିମ୍ବା ବିଦେଶ ର ଯେକୌଣସି ସ୍ଥାନରେ ଭଲ ଚାକିରୀ କରି ପରିଥାନ୍ତେ ।

କିନ୍ତୁ ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ମାଟିର ସେବା ଓ ଏହି ଅଂଚଳରେ ଅନୁନ୍ନତ ଆଦିବାସୀ ସମାଜକୁ ଏକ ସମ୍ମାନ ଜନକ ସ୍ଥିତିକୁ ଆଣି ସେମାନଙ୍କ ପାଇଁ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଗନ୍ଧମାର୍ଦ୍ଦନ ପର୍ବତରୁ ଖଣି ଖନନ ପାଇଁ ଗନ୍ଧମାର୍ଦ୍ଦନ ପର୍ବତକୁ ବାଲକୋ ନାମକ ଏକ କମ୍ପାନୀକୁ ପ୍ରଦାନ କରା ଯାଇଥିଲା । ନିଜ ଅଂଚଳର ପରିବେଶ ଓ ପ୍ରକୃତିକୁ ଅତି ଭଲ ପାଉଥିବା ବିଜୟ ବାବୁ ଏହି ଅଂଚଳର ଆଦିବାସୀ ସମାଜ , ଯୁବକ ଓ ସଚେତନ ନାଗରିକ ମାନଙ୍କ ନେତୃତ୍ୱ ନେଇ ଖଣି ଖନନକୁ ବିରୋଧ କରି ତୀବ୍ର ଆନ୍ଦୋଳନ କରିଥିଲେ । ଆଜି ମଧ୍ୟ ବାଲକୋ ଆନ୍ଦୋଳନ ଭାରତ ବର୍ଷରେ ଏକ ସଫଳ ଆନ୍ଦୋଳନ ଭାବରେ ପରିଚିତ। ବିଜୟ ବାବୁଙ୍କର ନେତୃତ୍ୱରେ ଏହି ଅଂଚଳରେ କେନ୍ଦୁପତ୍ର ଆନ୍ଦୋଳନ ମଧ୍ୟ ଆଜି ମଧ୍ଯ ଚର୍ଚ୍ଚାର ବିଷୟ ।

ଏହାପରେ ବିଜୁ ବାବୁଙ୍କ ସଂସ୍ପର୍ଶରେ ଆସି ବିଜୟ ବାବୁ ରାଜନୀତିରେ ଯୋଗଦେଇ ଜଣେ ସଫଳ ରାଜନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଜଣେ ରାଜନେତା ଓ ଜନପ୍ରତିନିଧି ଭାବରେସେ ପଦ୍ମପୁର ପାଇଁ ଅନେକ ଉଲ୍ଲଖନୀୟ କାର୍ଯ୍ୟ କରିଛନ୍ତି । ଶିକ୍ଷା , ସ୍ୱାସ୍ଥ୍ୟ , ପୋଲ , ଖେଳ , ଜଳ ଆଦି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଆଜି ମଧ୍ୟ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସ୍ଥାନରେ ବିଜୟ ବାବୁ କରିଥିବା କାମ ଦେଖିବାକୁ ମିଳେ । ଆଜି ସ୍ବର୍ଗତ ବିଜୟ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ପଦ୍ମପୁର ଅଂଚଳର ପ୍ରତେକ ବ୍ୟକ୍ତି ତାଙ୍କୁ ମନେ ପକାଉଛନ୍ତି । ସ୍ବର୍ଗତ ବିଜୟ ବାବୁଙ୍କ ବଡ଼ ଝିଅ ପଦ୍ମପୁର ବିଧାୟିକା ସକାଳୁ ପ୍ରଥମେ ବିଜୟ ବାବୁଙ୍କ ସମାଧି ପୀଠକୁ ଯାଇ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମାଁ ଦୁର୍ଗାଙ୍କ ମନ୍ଦିରରେ ନିଜର ସ୍ବର୍ଗତ ପିତାଙ୍କର ଆତ୍ମାର ସଦଗତି ନିମନ୍ତେ ୧୦୮ ଦୀପ ପ୍ରଜ୍ବଳନ କରିଥିଲେ ।

ଏହାପରେ ଶ୍ରୀମତୀ ବର୍ଷା ବିଜୁ ଜନତା ଦଳର ଅଫିସରେ କର୍ମୀମାନଙ୍କ ଦ୍ବାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଶିବିରରୁ ସମୁଦାୟ ୫୨ ୟୁନିଟ ରକ୍ତ , ପଦ୍ମପୁର ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ସଂଗୃହିତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀମତୀ ବର୍ଷା ସନ୍ଧ୍ୟା ସମୟରେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନର କୁନି କୁନି ଅନ୍ତେବାସୀଙ୍କ ସହିତ ନିଜ ପିତାଙ୍କ ନାମରେ କେକ୍ କାଟି ଜନ୍ମଦିନ ପାଳିଥିଲେ । ବିଧାୟିକା ମାତୃ ନିକେତନ ପହଞ୍ଚିବା ପରେ ପ୍ରଥମେ ବଡମାଁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ବଡ଼ ମାଁ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ନବ ଜନ୍ମିତ ଛୁଆ ମାନଙ୍କୁ ଆଦର କରି ଅନ୍ତେବାସୀ ଙ୍କ ସହିତ ନିଜର ପିତାଙ୍କ ଜନ୍ମଦିନ ପାଳନ କରିଥିଲେ ।

error: Content is protected !!