ବୌଦ୍ଧ(ସିମୁନ ନାଏକ)-ଛାଡଖାଇ ପାଇଁ ବାର୍ହା ଶିକାର କରି ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ । କଟା ମାଂସ, ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ ଗିରଫ କଲା ବନବିଭାଗ । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ମଧପୁର ରେଞ୍ଜ ଅନ୍ତର୍ଗତ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ଗୁରୁବାର ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ ରେ ଦୁଇଜଣ ଶିକାରୀ ଏକ ବାର୍ହା ଶିକାର କରିବା ସହ ମାଂସକୁ ଜଙ୍ଗଲ ମଧ୍ୟରେ କଟୁଥିଲେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଧପୁର ବନବିଭାଗର ଏକ ଟିମ ଚଢ଼ାଉ କରିଥିଲା ।


୩୪ କେଜି କଟା ବାର୍ହା ମାଂସ ସହ ଦୁଇଟି ଟାଙ୍ଗିଆ ଓ ଦୁଇଟି କଟୁରି ଜବତ କରିଥିବା ବେଳେ ଦୁଇଜଣ ଶିକାରୀଙ୍କୁ ଗିଫର କରିଥିଲା ବନବିଭାଗ । ଦୁଇଜଣ ଶିକାରୀ ହେଲେ କପିନ୍ଦ୍ର ମାଝୀ ଓ ସତ୍ୟ ବେହେରା । ଉଭୟ ପୁରୁଣାକଟକ ଥାନା ରାଣୀଗଞ୍ଜ ଗ୍ରାମର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ମାଂସକୁ ପୋଷ୍ଟ ମୋଟନ ପରେ ପୋତାଯାଇଥିବା ଜଣାପଡିଛି । ବନବିଭାଗ ପକ୍ଷରୁ କେସ ନମ୍ବର ୭୨/୨୫-୨୬ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



