କବାଡ଼ି ଖାନାଗୁଡ଼ିକରେ ଖୁଲ୍ଲମ୍ଖୁଲ୍ଲା ଚାଲିଛି ବେଆଇନ କାରବାର !
ପଦ୍ମପୁର- ପଦ୍ମପୁର ଅଞ୍ଚଳରେ ଚୋରଙ୍କ ଉତ୍ପାତ ଦିନକୁଦିନ ଭୟଙ୍କର ହେବାରେ ଲାଗିଛି। ପୁଲିସର ନିଷ୍କ୍ରିୟତା, ନିଶା କାରବାର ସାଙ୍ଗକୁ ଏହାର ଆଉ ଏକ ପ୍ରମୁଖ କାରଣ ହେଲା ଏଠାରେ ଗଢ଼ି ଉଠିଥିବା କିଛି ଅସାଧୁ କବାଡ଼ି ଗୋଦାମ। ଏଭଳି କବାଡ଼ି ଗୋଦାମଗୁଡ଼କି ପାଇଁ ଚୋରମାନେ ଜିନିଷ ଚୋରି କରି ଘର ପାଖେ ତୁରନ୍ତ ତାକୁ ବିକି ଦେଉଛନ୍ତି, ଯାହା ସେମାନଙ୍କୁ ଚୋରି କରିବାରେ ଆହୁରି ଉତ୍ସାହିତ କରୁଥିବା ଅଭିଯୋଗ ହେଉଛି। ଏପରି କି ଏଭଳି କିଛି କବାଡ଼ିଖାନା ପାଇଁ ହିଁ ଆଜି ଓଡ଼ିଶାର ଶିକ୍ଷା ନଗରୀ ଚୋର ବଜାର ନାମ ପାଇବାକୁ ଯାଉଛି। ପ୍ରକାଶ ଯେ, ପଦ୍ମପୁର ଅଞ୍ଚଳରେ ଗଢ଼ି ଉଠିଛି ମାଳ ମାଳ କବାଡ଼ି ଖାନା । ପଦ୍ମପୁର ସହର ସମେତ ଆଖପାଖ ଅଞ୍ଚଳରେ ବି ଅନେକ କବାଡ଼ିଖାନା ରହିଛି।
ସହର ସମେତ ଆଖପାଖ ଅଞ୍ଚଳରୁ ଚୋରି ସାମଗ୍ରୀ ଆଣି ଚୋରମାନେ କବାଡ଼ି ଖାନା ଗୁଡ଼ିକରେ ବିକ୍ରି କରି ଧରାପଡ଼ିବା ଘଟଣା କାହାକୁ ଅଛପା ନାହିଁ । ତେବେ ପଦ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରେ ଗଢ଼ି ଉଠିଥିବା ଏହି କବାଡ଼ି ଖାନା ଗୁଡ଼ିକରେ ଅନେକ ଚୋରି ସାମଗ୍ରୀ ବିକ୍ରୀ ହେଉଥିଲେ ବି ଏମାନଙ୍କୁ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆ ନଯାଇ ଘଣ୍ଟ ଘୋଡ଼ାଇ ଆଶ୍ରୟ ଦେବା ପଛରେ ରହସ୍ୟ କ’ଣ ବୋଲି ଚର୍ଚ୍ଚା ହେଉଛି। ଚୋରମାନେ ସହରର ବିଭିନ୍ନ ସ୍ଥାନରୁ ଚୋରି କରି ତାକୁ ଭୋର୍ ସମୟରୁ ପଦ୍ମପୁର ଅଞ୍ଚଳରେ ଥିବା ବିଭିନ୍ନ କବାଡ଼ି ଖାନାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ସାଧାରଣତଃ ରାସ୍ତାଘାଟ ଖାଲି ରହୁଥିବା ବେଳେ କାହିରି ନଜର ପଡ଼ୁନଥିବାରୁ ଏହି ସମୟକୁ ଉପଯୁକ୍ତ ସମୟ ଭାବି ଚୋର ମାନେ କବାଡ଼ିଖାନାରେ ଚୋରି ସାମଗ୍ରୀ ପକାଉଛନ୍ତି।
ଗୋଦାମବାଲା ମଧ୍ଯ ବେଶ୍ ଆରାମ୍ରେ ଉକ୍ତ ସାମଗ୍ରୀ କିଣି ସାମଗ୍ରୀକୁ ତୁରନ୍ତ କାଟି କାଟିଦେଇ କରି ଅନ୍ୟ ସାମଗ୍ରୀରେ ମିଶାଇଦେବା ପରେ ଆଉ ଏହାର କେହିବି ଟେର୍ ପାଉନଥିବା ପରି ବ୍ୟବସ୍ଥା କରାଯାଉଛି। ବାରମ୍ବାର ଏହି କବାଡ଼ିଖାନା ଗୁଡ଼ିକରେ ଏଭଳି ବେଆଇନ କାର୍ବାର୍ ଚାଲିଥିଲେ ମଧ୍ୟ ପ୍ରଶାସନ ସେଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏହି ବେଆଇନ କବାଡ଼ିଖାନା ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।