Wednesday, December 18, 2024
spot_imgspot_imgspot_img
Homeରାଜ୍ୟଚର୍ଚ୍ଚାରେ ବୁଗୁଡ଼ା ବି.ଇ.ଓ.ଙ୍କ ଅଜବ ନୀତି : ଡି.ଇ.ଓ.ଙ୍କ ନିର୍ଦେଶକୁ ଅବମାନନା , ବିଭିନ୍ନ ମହଲରେ...

ଚର୍ଚ୍ଚାରେ ବୁଗୁଡ଼ା ବି.ଇ.ଓ.ଙ୍କ ଅଜବ ନୀତି : ଡି.ଇ.ଓ.ଙ୍କ ନିର୍ଦେଶକୁ ଅବମାନନା , ବିଭିନ୍ନ ମହଲରେ ଅସନ୍ତୋଷ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଜବ ନୀତି ଯୋଗୁଁ ସମ୍ପ୍ରତି ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଏ ନେଇ ସରକାରଙ୍କ ନିକଟରେ ସଠିକ୍ ତଥ୍ୟ ଉପସ୍ଥାପନ ଅଭାବରୁ ନିଯୁକ୍ତିରେ ବ୍ଯତିକ୍ରମ ଘଟିଛି । ଏ ପରିପ୍ରେକ୍ଷୀରେ କରଚୁଲି ପଞ୍ଚାୟତର ଗୁଡିସାହି ପ୍ରାଥମିକ ବିଦ୍ୟାଳୟରେ କୌଣସି ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ କେବଳ ଦୁଇ ଜଣ ଶିକ୍ଷକ ଡେପୁଟେସନରେ ରହିଛନ୍ତି ।

ଅନ୍ୟପକ୍ଷରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ସଂଖ୍ୟା – ୧୯୬୪୩, ତା ୩୦/୧୦/୨୦୨୩ ରିଖର ନିର୍ଦ୍ଦେଶନାମାକୁ ଅବମାନନା କରି କେବଳ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କ ବ୍ଯତୀତ ଦେଇ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନରେ ଯାଇଥିବା ଅନେକ ଶିକ୍ଷକଙ୍କୁ ନିଜ ନିଜର ମୂଳ ବିଦ୍ୟାଳୟକୁ ଫେରାଇ ଅଣାଯାଇନଥିବାରୁ ଏ ଦିଗରେ ବିଇଓଙ୍କ କାର୍ଯକଳାପକୁ ନେଇ ଅଭିଭାବକ ମହଲରେ ସମାଲୋଚନା କରାଯାଉଛି ।

ସେହିପରି ତଳଦିନେ ଗୋଳମାଳିଆ ପରିସ୍ଥିତି ଯୋଗୁଁ ବରଡିପଲ୍ଲୀ ସ୍କୁଲରେ ଶିକ୍ଷକ ଅଭାବ ପୂରଣ କରିବା ପାଇଁ ଗୋଳାବନ୍ଧ ବିଦ୍ୟାଳୟର ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ସେଠାକୁ ପଠାଯିବା ଏବଂ ସେଠାରେ ଜନୈକା ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ହେବା ପରେ ଡେପୁଟେସନରେ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ଗୋଳାବନ୍ଧ ସ୍କୁଲକୁ ଫେରାଇ ଆଣିବା ପରିବର୍ତ୍ତେ ବେତାରସିଂ ବିଦ୍ୟାଳୟକୁ ପଠାଯାଇଥିଲା । ଗୋଳାବନ୍ଧ ସ୍କୁଲରେ ଶିକ୍ଷକ ଅଭାବ ରହିଥିବା ନେଇ ଅଭିଯୋଗ ହେବା ପରେ ପୁଣି ସେହି ଶିକ୍ଷୟିତ୍ରୀଙ୍କୁ ବେତାରସିଂ ବିଦ୍ୟାଳୟରୁ ଗୋଳାବନ୍ଧ ବିଦ୍ୟାଳୟକୁ ଏଇ କିଛି ଦିନ ହେଲା ପଠାଯାଇଥିବା ଜଣାଯାଇଛି ।

ଏସବୁ କାରଣରୁ ସ୍ଥାନୀୟ ବିଇଓ ଆପଣାଇଥିବା ଅଜବ ତୈମୁରଲଙ୍ଗ୍ ନୀତି ଯୋଗୁଁ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ନେଇ ସାଧାରଣରେ ଆଲୋଚନା ଜୋର ଧରିଛି । କେବଳ ଏତିକି ନୁହେଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ତଳ ଦିନେ ଯେଉଁମାନେ ପଦୋନ୍ନତିରେ ଲେଭଲ-IV ପ୍ରଧାନ ଶିକ୍ଷକ ଭାବେ ଏକ ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ ସେମାନଙ୍କୁ ୮ ମାସରୁ ୧ ବର୍ଷ ମଧ୍ୟରେ ଡେପୁଟେସନରେ ସେମାନଙ୍କ ସୁବିଧା ମୁତାବକ ବିଦ୍ୟାଳୟକୁ ନିଆଯାଇଛି।

ଅନ୍ୟପକ୍ଷରେ ଯେଉଁ ବିଦ୍ୟାଳୟକୁ ସେମାନେ ଡେପୁଟେସନରେ ଯାଇଛନ୍ତି, ସେହି ବିଦ୍ୟାଳୟକୁ ଖାଲିଥିବା ନ ଦର୍ଶାଇ ସେମାନଙ୍କ ମୂଳ ବିଦ୍ୟାଳୟକୁ ଖାଲିଥିବା ଦର୍ଶାଇ ବେନିୟମ ଭାବେ ନୂତନ ଶିକ୍ଷକ ନିଯୁକ୍ତି କରାଯାଇଛି। ତେଣୁ, ପ୍ରଧାନ ଶିକ୍ଷକମାନଙ୍କୁ ଡେପୁଟେସନରେ ପଠାଇବା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଭଳି ବ୍ଯତିକ୍ରମ ମହୁଲପଲ୍ଲୀ ଓ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଥିବା ବେଳେ ଏଇ ଡେପୁଟେସନ କାର୍ଯ୍ୟ ଏକ ପ୍ରହସନରେ ପରିଣତ ହୋଇଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ଏହାକୁ ନାପସନ୍ଧ କରାଯାଇଛି।

ଅନ୍ୟପକ୍ଷରେ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବେଲପଡା ବିଦ୍ୟାଳୟ ଏବଂ ୪୮ ଜଣ ଛାତ୍ରଛାତ୍ରୀ ଥିବା କଞ୍ଚୁରୁ ପାଟଣା ପ୍ରାଥମିକ ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଯୋଗୁଁ ଅସୁବିଧାରେ ଚାଲିଥିବା ବେଳେ ୬୮ ଜଣ ଛାତ୍ରଛାତ୍ରୀ ଥିବା ମାଣିବନ୍ଧ ବିଦ୍ୟାଳୟରେ ୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସାପୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ୧୨ ଜଣ ପିଲାଙ୍କ ପାଇଁ ୨ ଜଣ ଶିକ୍ଷକ ରହିଥିବା ସ୍ଥଳେ ସେଠାରେ ପୁଣି ଜଣେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ପୁଣି ଅନ୍ୟ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଇବା ଘଟଣା ବୁଗୁଡା ଅଞ୍ଚଳରେ ଶିକ୍ଷା, ଶିକ୍ଷକ ଓ ଶୈକ୍ଷିକ ବ୍ଯବସ୍ଥାର ସୁପରିଚାଳନାରେ ବିଇଓଙ୍କ ତ୍ରୁଟିପୂର୍ଣ୍ଣ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଥି ସହ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରତି ଏକ ସାଙ୍ଘାତିକ ଅଭିଯୋଗ ରହିଛି ଯେ କାର୍ଯାଳୟର ଜନୈକ କରିତକର୍ମା କର୍ମଚାରୀଙ୍କ କଳା କାରନାମା ଯୋଗୁଁ କୁଆଡେ ଅଞ୍ଚଳର ବିଭିନ୍ନ ବିଦ୍ଯାଳୟରେ ଏଭଳି ଅବ୍ୟବସ୍ଥା ସାଙ୍ଗକୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଯାହାକୁ ନେଇ ବିଭିନ୍ନ ମହଲରେ ମଧ୍ୟ ଆଲୋଚନା ହେଉଛି। ଦୃଷ୍ଟାନ୍ତମୂଳକ ଭାବେ ଗ୍ରହଣ ଯୋଗ୍ଯ ଯେ, ସ୍ଥାନୀୟ ଶିକ୍ଷାଧିକାରୀଙ୍କ ଅଜବ ନୀତି ଯୋଗୁଁ ଏକ ପ୍ରାଥମିକ ବିଦ୍ୟାଳୟରେ ଉତ୍ପନ୍ନ ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଏବଂ ମାନସିକ ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ଜନୈକା ଶିକ୍ଷୟିତ୍ରୀ ଅଧ୍ଯାପନା ବୃତ୍ତିରୁ ନିବୃତ୍ତ ରହିବାକୁ ବାଧ୍ୟ ହୋଇଥିବା ଭଳି ଘଟଣା ମଧ୍ୟ ଘଟିଛି ଏବଂ

ସଂପୃକ୍ତା ଶିକ୍ଷୟିତ୍ରୀଙ୍କ ଦ୍ବାରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାରନାମାକୁ ନେଇ ପ୍ରସ୍ତୁତ ବିଭିନ୍ନ ଭିଡିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଏହା ସାଧାରଣରେ ଆଲୋଚନାକୁ ଖୋରାକ ଯୋଗାଉଛି। ଏଣୁ, ବୁଗୁଡ଼ା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ହେଲେ ସ୍ଥାନୀୟ ବିଇଓଙ୍କୁ ସ୍ଥାନାନ୍ତର କିମ୍ବା ତାଙ୍କର ଅନୈତିକ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି।

error: Content is protected !!