
ପାଇକମାଳ-ପ୍ରକୃତି ସମୃଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଏକ ଆହତ ମାଙ୍କଡକୁ ସ୍ଥାନୀୟ ଯୁବକମାନେ ସାହସିକତାର ସହ ଉଦ୍ଧାର କରି ମାନବିକତାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ, କିଛି କୁକୁର ମାଙ୍କଡଟିକୁ କାମୁଡ଼ି ଆକ୍ରମଣ କରୁଥିବା ଦେଖି ପାଇକମାଳ ବ୍ଲକ ମିଠାପାଲି ଗ୍ରାମର ପରିତୋଷ ସାହୁ, କୁଞ୍ଜ ବିହାରୀ ସାହୁ ଓ ଡିଲେଶ୍ୱର ସାହୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ମାଙ୍କଡଟିକୁ ରକ୍ଷା କରିଥିଲେ।

ପରେ ସେମାନେ ଆହତ ପ୍ରାଣୀକୁ ଚିକିତ୍ସା ସୁବିଧା ଯୋଗାଇଥିଲେ। କିଛି ସମୟର ଚିକିତ୍ସା ଓ ଯତ୍ନ ପରେ ମାଙ୍କଡଟି ସୁସ୍ଥ ହୋଇଥିବା ଜଣାପଡ଼ିଛି। ପରେ ଯୁବକମାନେ ମାଙ୍କଡଟିକୁ ପୁନର୍ବାର ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଏହି ମାନବିକ ପଦକ୍ଷେପକୁ ସାଧାରଣ ମହଳରେ ପ୍ରଶଂସା କରାଯାଇଛି। ପ୍ରକୃତି ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଏଭଳି ସଚେତନତା ଓ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି l


