Saturday, November 23, 2024
spot_imgspot_imgspot_img
Homeଅଘଟଣଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା:ବିଭାଗୀୟ ସୁରକ୍ଷା ବଳୟ ଭିତରେ ରେଞ୍ଜର ଓ ଫରେଷ୍ଟର !

ଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା:ବିଭାଗୀୟ ସୁରକ୍ଷା ବଳୟ ଭିତରେ ରେଞ୍ଜର ଓ ଫରେଷ୍ଟର !

ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ବନ ବିଭାଗ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ନୂଆମୁଣ୍ଡା ଠାରେ ହୋଇଥିବା ଦନ୍ତା ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଓ ଲରମ୍ଭା ଫରେଷ୍ଟର ବିରଞ୍ଚି କୁମ୍ଭାରଙ୍କୁ କାର୍ଯ୍ୟାନୁଷ୍ଠାନ ବଦଳରେ ବିଭାଗୀୟ ସୁରକ୍ଷା ପ୍ରଦାନ କରାଯାଉଥିବା ଚର୍ଚ୍ଚା ହେଉଛି । ଦନ୍ତା ମୃତ୍ୟୁ ଘଟଣାରେ ବାରହା ଶିକାରୀ ଯେତେ ପରିମାଣରେ ଦାୟୀ କର୍ତ୍ତବ୍ୟରେ ଅବହେଳା କରିଥିବା ସ୍ଥାନୀୟ ପାଟଣାଗଡ଼ ରେଞ୍ଜର ଓ ଲରମ୍ଭା ଫରେଷ୍ଟର ସେତିକି ପରିମାଣରେ ଦାୟୀ ବୋଲି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି।

ତଥାପି କାର୍ଯ୍ୟାନୁଷ୍ଠାନ ବଦଳରେ ଉଭୟ ଅଧିକାରୀଙ୍କୁ ବିଭାଗୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଦନ୍ତା ମୃତ୍ୟୁ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ବାରହା ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ସମ୍ପୃକ୍ତ ଥିବା ଅନ୍ୟ ଚାରି ଅଭିଯୁକ୍ତ ମାନଙ୍କୁ ବନ ବିଭାଗ ଏ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ବିଶ୍ୱସ୍ତସୂତ୍ରରୁ ମିଳିଥିବା ଖବର ଅନୁସାରେ ଅନ୍ୟ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ କେତେ ଜଣ ତାମିଲନାଡୁ ଅଞ୍ଚଳକୁ ଫେରାର ମାରିଛନ୍ତି। ସେଠାରେ ଏକ ନିର୍ଦିଷ୍ଟ କମ୍ପାନୀରେ କାମ କରୁଛନ୍ତି ଓ ଆଗୁଆ ଜାମିନ ପାଇଁ ଚେଷ୍ଟା ଚଳାଇଛନ୍ତି।

ଏହି ଚାରିଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିନପାରିବା ବିଭାଗର ପରିବାପାଣିଆ ଉପରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି। ବନ ବିଭାଗ ଯଦି ଆଗୁଆ ପଦକ୍ଷେପ ନେଇଥାନ୍ତା ତାହେଲେ ହୁଏତ ଦନ୍ତାର ଜୀବନ ବଞ୍ଚିଯାଇଥାନ୍ତା ବୋଲି ଲୋକ ଚର୍ଚ୍ଚା କରୁଛନ୍ତି । ଦନ୍ତା ମୃତ୍ୟୁର ଦିନକ ପୂର୍ବରୁ ଦମକିପାଲି ଅଂଚଳରେ ସ୍ଥାନୀୟ ଲୋକଙ୍କ ସହିତ ଫରେଷ୍ଟର ଶ୍ରୀ କୁମ୍ଭାରଙ୍କ ପାଟିତୁଣ୍ଡ ହୋଇଥିଲା। ଦନ୍ତା ଅନ୍ୟପଟେ ଥାଇ ଦମକିପାଲି ଅଂଚଳରେ ବିଦ୍ୟୁତ କାଟକୁ ନେଇ ଫରେଷ୍ଟର ଶ୍ରୀ କୁମ୍ଭାରଙ୍କ ସାର୍ଟ କଲରକୁ ସ୍ଥାନୀୟ ଲୋକେ ଧରିପକାଇଥିବା ସୂଚନା ମିଳିଛି।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଦନ୍ତା ନ ଥିବା ଅଂଚଳକୁ ବନ ବିଭାଗ ଯାଇଥିଲା ଓ ଦନ୍ତା ଥିବା ଅଞ୍ଚଳକୁ ବନ ବିଭାଗ ଯାଇନାହିଁ। ବିଭାଗୀୟ ଅବହେଳା ହୋଇଥିବା ଜଳ ଜଳ ହୋଇ ଜଣାପଡୁଥିବାବେଲେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ କାହିଁକି ଏ ଅବହେଳା ଜଣାପଡ଼ୁନାହିଁ ତାହା ବିଭାଗର ନିରପେକ୍ଷତାକୁ ପଦାରେ ପକାଇଛି। ଦନ୍ତା ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଏସିଏଫ ମାନସ କୁମାର ବେହେରାଙ୍କ ଉପରେ ମଧ୍ୟ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି।

ଫେରାର ଥିବା ଅଭିଯୁକ୍ତକୁ ଶ୍ରୀ ବେହେରା କାହିଁକି ଗିରଫ କରିପାରୁନାହାନ୍ତି ତାଙ୍କ କାର୍ଯ୍ୟଦକ୍ଷତା ଉପରେ ଲୋକେ ଅଙ୍ଗୁଳି ଉଠାଇବା ଆରମ୍ଭ କଲେଣି। ତୁରନ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରି ବନ ବିଭାଗ ନିଜ ମୁଣ୍ଡରୁ ଦୋଷ ହଟେଇବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ସ୍ଥାନୀୟ ରେଞ୍ଜର ଓ ଫରେଷ୍ଟରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

error: Content is protected !!